ମହାରାଷ୍ଟ୍ର ରାଜନୀତି: ରାଜ୍ୟପାଳଙ୍କୁ ଅଲଗା ଭେଟିଲେ ବିଜେପି ଓ ଶିବସେନା

ମୁମ୍ୱାଇ: ଦୀପାବଳି ପରେ ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ଦଳ ବିଜେପି ଓ ଶିବସେନା ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ସହଯୋଗୀ ଦଳ ମଧ୍ୟରେ ବିବାଦ ବଢ଼ିଛି। ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଭେଟିଥିବାବେଳେ ଶିବସେନା ନେତା ଦିବାକର ରାଓତ ଭେଟିଛନ୍ତି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ୫୦-୫୦ ଫର୍ମୁଲାରେ ସରକାର ଗଢ଼ିବା ପାଇଁ ଦାବି କରିଛି। ଯେଉଁଥିରେ ମୁଖ୍ୟ ଦାବି ରହିଛି ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ। ଶିବସେନା କହିଛି ଦୁଇ ଦଳର ଜଣେ ନେତା ଅଢ଼େଇ-ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବେ। ବିଜେପି କିନ୍ତୁ ଏହି ସର୍ତ୍ତକୁ ନେଇ ରାଜି ନଥିବା କହିଛି। ନିର୍ବାଚନ ବେଳେ ବିଜେପି ଆଶା କରିଥିଲା ଏକୁଟିଆ ମ୍ୟାଜିକ ନମ୍ୱର ପାର କରିଦେବ। ହେଲେ ଫଳାଫଳ ବାହାରିବା ପରେ ମ୍ୟାଜିକ ନମ୍ୱର ୧୪୫ଠୁ ବହୁ ଦୂରରେ ରହିଛି ବିଜେପି। ଉଭୟ ଦଳ ମେଣ୍ଟ କରି ୨୮୮ଟି ଆସନରେ ପ୍ରାର୍ଥୀ ଦେଇଥିଲେ।

ଭେଟଘାଟ ପରେ ଦୁଇ ନେତା କହିଛନ୍ତି ଯେ ରାଜ୍ୟପାଳଙ୍କ ସହ ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା, ସେମିତି କିଛି ଏଜେଣ୍ଡା ନଥିଲା। ହେଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରାଜ୍ୟପାଳଙ୍କ ସହିତ ବର୍ତ୍ତମାନର ରାଜନୀତିକ ସ୍ଥିତି ବାବଦରେ ଆଲୋଚନା କରିଥିବା ସୂଚନା ରହିଛି। ତେଣେ ଶନିବାର ଶିବସେନା ସ୍ପଷ୍ଟ କରିସାରିଛି ଯେ, ମେଣ୍ଟ ସରକାରରେ ଶିବସେନା ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସିବ। ଏ ନେଇ ଅମିତ ଶାହ ନହେଲେ ଦେବେନ୍ଦ୍ର ଫଡ଼ନାଭିସଙ୍କ ପାଖରୁ ଲିଖିତ ପ୍ରତିଶ୍ରୁତି ମାଗିଛନ୍ତି।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରୁ ବିଜେପି ୧୦୫ଟି, ଶିବସେନା ୫୮, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ମିଶି୨୭ଟି ଆସନ ଜିତିଛନ୍ତି। ଗତକାଲି ଦୁଇ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ଶିବସେନାକୁ ସମର୍ଥନ କରିଛନ୍ତି। ଏହାପରେ ଶିବସେନାର ବିଧାୟକ ସଂଖ୍ୟା ୬୦ରେ ପହଞ୍ଚିଛି। ସରକାର ଗଢ଼ିବା ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଯାହାକି କୌଣସି ଦଳ ପାଖରେ ନାହିଁ। ବିଜେପିକୁ ସର୍ବାଧିକ ଭୋଟ ମହାରାଷ୍ଟ୍ରବାସୀ ଦେଇଥିବାରୁ ମେଣ୍ଟ ସରକାରରେ ସେ ହିଁ ନେତୃତ୍ୱ ନେବ ବୋଲି ଦାବି କରୁଛି।

You might also like