• translate
Odishatv Bureau

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପିର ଶକ୍ତି ବଢ଼ିଛି। ସଂସଦର ଉଚ୍ଚ ସଦନକୁ ୯ ବିଜେପି ସାଂସଦ ନିର୍ବାଚିତ ହେବା ପରେ ବିଜେପିର ମୋଟ ସଂଖ୍ୟା ୯୨କୁ ବୃଦ୍ଧି ପାଇଛି। ଏଥିସହ ଏନଡିଏର ସାଂସଦ ସଂଖ୍ୟା ୧୦୦ ଟପି ୧୦୪ରେ ପହଞ୍ଚିଛି।

ଏବେ ରାଜ୍ୟସଭାରେ ମୋଟ ୨୪୨ ସଭ୍ୟ ଅଛନ୍ତି। ତେଣୁ ମ୍ୟାଜିକ ନମ୍ବର ହେଉଛି ୧୨୧।  ରାଜ୍ୟସଭାରେ ଏନଡିଏର ଶକ୍ତି ବୃଦ୍ଧି ହୋଇଥିବାରୁ ଏବେ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ସହଜରେ ପାସ୍ କରାଇପାରିବେ ମୋଦି ସରକାର।

ପୂର୍ବରୁ ଏନ୍‌ଡିଏକୁ ୪ ମନୋନୀତ ସଭ୍ୟଙ୍କ ସମର୍ଥନ ମିଳୁଥିବାବେଳେ ଅନେକ ସମୟରେ ମୋଦି ସରକାରଙ୍କୁ ରାଜ୍ୟସଭାରେ AIADMK, BJD, TRS, YSRCP ର ସମର୍ଥନ ମଧ୍ୟ ମିଳିଥାଏ।

ଗତକାଲି ରାଜ୍ୟରସଭାର ୧୧ଟି ଆସନ ପାଇଁ ଭୋଟ ହୋଇଥିଲା। ଏଥିମଧ୍ୟରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରିଦୀପ ପୁରିଙ୍କୁ ମିଶାଇ ବିଜେପିର ୯ ପ୍ରାର୍ଥୀ ଜିତିଥିଲେ। ଏହି ନୂଆ ସଭ୍ୟଙ୍କ କାର୍ଯ୍ୟକାଳ ୨୦୨୬ ନଭେମ୍ବର ୨୪ ତାରିଖରେ ସରିବ।

ତେବେ ରାଜ୍ୟସଭାରେ ବିଜେପିର ଶକ୍ତି ବୃଦ୍ଧି ହୋଇଥିବା ବେଳେ କଂଗ୍ରେସର ସାଂସଦ ସଂଖ୍ୟା ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହି ଦଳର ସାଂସଦ ସଂଖ୍ୟା ହ୍ରାସ ପାଇ ୩୮ରେ ପହଞ୍ଚିଛି।

Other Stories