ଭାରତୀୟ ଜନସଂଘର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧବାର୍ଷିକୀ ଆଜି ସାରା ଦେଶ ପାଳନ କରୁଛି । ଭାରତୀୟ ଜନତା ପାର୍ଟି ମଧ୍ୟ ଏହାର ପ୍ରତିଷ୍ଠାତାଙ୍କ ଅବଦାନକୁ ମନେ ପକାଇଛି । ଗୋଟେ ପଟେ କାଶ୍ମୀରରେ ଗୁପକର୍ ଗୋଷ୍ଠୀଙ୍କ ଘନ ଘନ ବୈଠକ ଓ କାଶ୍ମୀରକୁ ନେଇ ବିବାଦୀୟ ବୟାନ ମଧ୍ୟରେ ଆଜି ମୁଖାର୍ଜୀଙ୍କ ତିରୋଧାନ ଦିବସରେ ସେମାନଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟପ୍ରକାଶ ନଡ୍ଡା ।

JP Nadda

ସେ କହିଛନ୍ତି, ଶ୍ୟାମାପ୍ରସାଦ ମୁଖାର୍ଜୀ ତାଙ୍କ ଜୀବନକାଳ ମଧ୍ୟରେ କାଶ୍ମୀରରୁ ଧାରା ୩୭୦ ଓ ୩୫ଏ ହଟାଇବା ପାଇଁ ଚେଷ୍ଟା କରିଥିଲେ । ଭାରତକୁ ଅଖଣ୍ଡ ଭାରତରେ ପରିଣତ କରିବାକୁ ଏବଂ ରାଷ୍ଟ୍ରୀୟ ଏକତା ବଜାୟ ରଖିବାକୁ ସେ ସବୁବେଳେ ଚେଷ୍ଟା କରିଆସିଥିଲେ ବୋଲି କହିଛନ୍ତି ଜେ.ପି. ନଡ୍ଡା ।

ତେବେ ଏହି ଗୁପକର କମିଟି ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଯେତେବେଳେ କେନ୍ଦ୍ର ସରକାର କାଶ୍ମୀରର ସ୍ୱତନ୍ତ୍ର ସ୍ଥିତିକୁ ସମାପ୍ତ କରି ଧାରା ୩୭୦ ପ୍ରତ୍ୟାହାର କଲେ ଏବଂ ଏହାର ରାଜ୍ୟତାକୁ ମଧ୍ୟ ରଦ୍ଦ କରିଦେଇଥିଲେ । ସେବେଠାରୁ କାଶ୍ମୀର ରାଜନୀତିରେ ଉତ୍ତେଜନା ଦେଖାଦେଇଛି । ସେତେବେଳେ ଗୁପକର ସହଯୋଗୀ ଦଳର ନେତାମାନଙ୍କୁ ଅନେକ ମାସ ଧରି ଗୃହବନ୍ଦୀ କରି ରଖାଯାଇଥିଲା । ବର୍ତ୍ତମାନ କାଶ୍ମୀରର ରାଜନୀତି ପୁଣିଥରେ ନୂଆ ମୋଡ଼ ନେଇଥିବାରୁ ଗୁପକର ନେତାଙ୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ଜୁନ୍‌ରେ କାଶ୍ମୀର ପ୍ରସଙ୍ଗକୁ ନେଇ ସର୍ବଦଳୀୟ ବୈଠକ କରିବାକୁ ଯାଉଛନ୍ତି । ଏନେଇ ଗୁପକର ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି, ଯାହାକୁ ସେମାନେ ଗ୍ରହଣ ମଧ୍ୟ କରିଛନ୍ତି ।

କ’ଣ ଏହି ଗୁପକର ଗଠବନ୍ଧନ?

ଜାତୀୟ ସମ୍ମିଳନୀ ସଭାପତି ଫାରୁକ୍ ଅବଦୁଲ୍ଲାଙ୍କ ବାସଭବନ ଶ୍ରୀନଗରର ଗୁପକର ରୋଡ୍ ୦୧ ରେ । ଏଠାରେ ୪ ଅଗଷ୍ଟ ୨୦୧୯ରେ କାଶ୍ମୀରର ୮ଟି ଦଳ ଏକତ୍ର ବୈଠକ କରିଥିଲେ । ଏହି ବୈଠକରେ ଜାମ୍ମୁ କାଶ୍ମୀରର ମିଳିତ ଦଳ କେନ୍ଦ୍ର ସରକାରଙ୍କ ରାଜ୍ୟ ନୀତି ବିରୋଧରେ ଏକ ନୂତନ ମେଣ୍ଟ ଗଠନ କରିବାକୁ ଘୋଷଣା କରିଥିଲେ ।

ଏହି ଗଠବନ୍ଧନକୁ ଗୁପକର କମିଟି ବା ଗୁପକର ଆଲାଏନ୍ସ କୁହାଯାଉଛି । ଯଦିଓ ସେ ପର୍ଯ୍ୟନ୍ତ ରାଜ୍ୟ ସରକାର ଧାରା ୩୭୦ ଏବଂ ଧାରା ୩୫ଏ ପ୍ରତ୍ୟାହାର ନେଇ ପଦକ୍ଷେପ ନେଇ ନ ଥିଲେ, କିନ୍ତୁ ରାଜ୍ୟରେ ସୁରକ୍ଷା ବାହିନୀର ସଂଖ୍ୟା ବୃଦ୍ଧି ପାଇଥିଲା । ସମସ୍ତ ପର୍ଯ୍ୟଟକଙ୍କୁ ତୁରନ୍ତ ରାଜ୍ୟ ଛାଡିବାକୁ କୁହାଯାଇଥିଲା । ଏକ ବର୍ଷ ପରେ, ଏହି ଦଳମାନେ ପୁନର୍ବାର ଫାରୁକ୍ ଅବଦୁଲ୍ଲାଙ୍କ ବାସଭବନରେ ସାକ୍ଷାତ କରି ଏକ ମିଳିତ ମଞ୍ଚ ଗଠନ ଘୋଷଣା କରିଥିଲେ । ଯାହାକୁ ଗୁପକର ଗଠବନ୍ଧନ କୁହାଯାଉଥିଲା । ବର୍ତ୍ତମାନ ଟିମ୍ ଏହି ନାମରେ ଜଣାଶୁଣା । ନଭେମ୍ବର ୨୦୨୦ରେ ଯେତେବେଳେ ଗୃହମନ୍ତ୍ରୀ ଅମିତ ଶାହା ଗୁପକରକୁ ନେଇ ଏକ ଟୁଇଟ୍ କରିଥିଲେ, ସେତେବେଳେ ଏହାକୁ ନେଇ ଏକ ବଡ଼ ବିବାଦ ହୋଇଥିଲା ।

Other Stories