ପତ୍ନୀ ଦଳ ଛାଡ଼ିବା ପରେ ମିଡିଆ ସାମ୍ନାରେ କାନ୍ଦିଲେ ବିଜେପି ଏମ୍‌ପି, କହିଲେ-‘ସମ୍ପର୍କ ଶେଷ’

କୋଲକାତା: ଆଉ ୪ ମାସ ପରେ ହେବ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ନିର୍ବାଚନରେ ୨୯୪ ଆସନରୁ ୨୦୦ରୁ ଅଧିକ ଆସନ ଜିତିବେ ବୋଲି ଦୃଢ ଆଶା ରଖିଛନ୍ତି। ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହ, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ଲାଗି ପଡ଼ିଛନ୍ତି। ଏଥିପାଇଁ ବିଜେପି ତାର ରଣନୀତି ପ୍ରସ୍ତୁତ କରି ସାରିଲାଣି। ରାଜ୍ୟକୁ ୫ଟି ନିର୍ବାଚନୀ ଜୋନରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଜୋନ ପାଇଁ ଜଣେ ପର୍ଯ୍ୟବେକ୍ଷକ ରଖାଯାଇଛି।

ପଶ୍ଚିମବଙ୍ଗରେ ଏବେ ନିର୍ବାଚନୀ ରାଜନୀତି ଜୋର ଧରିଥିବାବେଳେ ପ୍ରତି ଦିନ କିଛି ନା କିଛି ନୂଆ ଡ୍ରାମା ଦେଖିବାକୁ ମିଳୁଛି। ଶନିବାର ଟିଏମ୍‌ସିର ଅନେକ ନେତା ବିଜେପିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଏପରି ପରିସ୍ଥିତିରେ ବିଜେପି ସାଂସଦ ସୌମିତ୍ର ଖାନ୍‌ଙ୍କ ପତ୍ନୀ ସୁଜାତା ମଣ୍ଡଳ ଖାନ୍‌ ତୃଣମୂଳରେ ସାମିଲ ହୋଇଛନ୍ତି।

ସୁଜାତା କହିଛନ୍ତି, ସେ ମୁକ୍ତ ପବନ ଚାହାନ୍ତି ଏବଂ ସକ୍ଷମ ଦଳର ଜଣେ ସକ୍ଷମ ନେତା ହେବାକୁ ଚାହାନ୍ତି। ହେଲେ ତାଙ୍କର ଏପରି ପଦକ୍ଷେପ ତାଙ୍କ ସ୍ୱାମୀଙ୍କ ପସନ୍ଦ ଆସିନାହିଁ।

ସୌମିତ୍ର ଖାନ ବିଜେପିର ଯୁବ ମୋର୍ଚ୍ଚାର ଅଧ୍ୟକ୍ଷ ଅଛନ୍ତି। ତାଙ୍କର ପତ୍ନୀ ଏବେ ତୃଣମୂଳ କଂଗ୍ରେସରେ ମିଶିଛନ୍ତି। ହେଲେ ଏହା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି କାନ୍ଦି ପକାଇଥିଲେ।

ଅବଶ୍ୟ ପତ୍ନୀ ସୁଜାତା କହିଛନ୍ତି, ପରିବାର ଏବଂ ରାଜନୀତି ଅଲଗା ଅଲଗା ଜିନିଷ ଅଟେ। ଅନ୍ୟପକ୍ଷେ ତାଙ୍କ ସ୍ୱାମୀ ଦଳ ବଦଳାଇବେ କି ବୋଲି ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ’ଦଳ ବଦଳ କରିବା ସ୍ୱାମୀଙ୍କ ଉପରେ ନିର୍ଭର କରେ। ସେ କ’ଣ କରିବେ ତାହା ତାଙ୍କ ଇଚ୍ଛା ଉପରେ ନର୍ଭର କରେ।’

ହେଲେ ସ୍ୱାମୀ ସୌମିତ୍ର ଖାନ୍‌ ସିଧା ସିଧା ସମ୍ପର୍କ ଛିନ୍ନ କରିବାକୁ ପଡ଼ିବ। ସେ ମିଡିଆ ସାମ୍ନାରେ କହିଛନ୍ତି, ରାଜନୀତିକୁ ନେଇ ତାଙ୍କର ୧୦ ବର୍ଷର ସମ୍ପର୍କ ଛିନ୍ନ ହୋଇଗଲା। ଏବେ ସେ ଛାଡପତ୍ର ପାଇଁ ପେପର ପ୍ରସ୍ତୁତ କରୁଛନ୍ତି। ଖାନ୍‌ ଆହୁରି କହିଛନ୍ତି, ସେ ଏଣିକି ଦଳ ପାଇଁ ଆହୁରି ଅଧିକ ପରିଶ୍ରମ କରିବେ।

ସୁଜାତା ମଣ୍ଡଳ ମିଡିଆକୁ କହିଛନ୍ତି, ‘ମୁ ଖୋଲା ନିଃଶ୍ୱାସ ନେବାକୁ ଚାହୁଁଛି। ମୁଁ ସମ୍ମାନ ଚାହେଁ। ମୁଁ ଏକ ସକ୍ଷମ ଦଳର ସକ୍ଷମ ନେତା ହେବାକୁ ଚାହେଁ। ମୁଁ ମୋର ପ୍ୟାରୀ ଦିଦିଙ୍କ ସହ କାମ କରିବାକୁ ଚାହେଁ।କ୍ଷ

ସେ ଅଭିଯୋଗ ଆଣିଛନ୍ତି, ବିଜେପିରେ ନୂଆ, ଅକ୍ଷମ ଏବଂ ଭ୍ରଷ୍ଟାଚାର ଲୋକଙ୍କୁ ଅଗ୍ରାଧିକାର ଦିଆଯାଉଛି। ସ୍ୱାମୀଙ୍କ ଉପରେ ଟିପ୍ପଣୀ ଦେଇ ସୁଜାତା କହିଛନ୍ତି, ‘ମୋର ବିଶ୍ୱାସ, ଦିନେ ନା ଦିନେ ସେ ବୁଝି ପାରିବେ। କିଏ ଜାଣେ ସେ ବି କେତେବେଳେ ଟିଏମ୍‌ସିକୁ ସେ ଫେରି ଆସିବେ।‘

You might also like