ଘର ଭିତରୁ ମିଳିଲା ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ

ନୂଆଦିଲ୍ଲୀ: ବିଜେପି ସାଂସଦ ରାମ ସ୍ୱରୂପ ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଆଜି ସକାଳେ ଦିଲ୍ଲୀ ସ୍ଥିତ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି। ଏନେଇ ଦିଲ୍ଲୀ ପୋଲିସ୍‌ ସୂଚନା ଦେଇଛି। ମୃତଦେହ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ଏହାକୁ ପଠାଯାଇଛି।

ଆଜି ସକାଳେ ରାମ ସ୍ୱରୂପଙ୍କ ସୁରକ୍ଷାକର୍ମୀ ପୋଲିସ୍‌କୁ ଫୋନ୍‌ କରିଥିଲେ। ଘଟଣାସ୍ଥଳରେ ପୋଲିସ୍‌  ପହଞ୍ଚି ରାମ ସ୍ୱରୂପ ଶର୍ମାଙ୍କ ମୃତଦେହ ଉଦ୍ଧାର କରିଥିଲେ। ହିମାଚଳପ୍ରଦେଶର ମଣ୍ଡି ଆସନରୁ ନିର୍ବାଚିତ ହୋଇଥିବା ରାମ ସ୍ୱରୂପ ‌ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା।

ରାମ ସ୍ୱରୂପଙ୍କ ପରଲୋକ ପରେ ବିଜେପି ପକ୍ଷରୁ ଆଜି ସକାଳେ ହେବାକୁ ଥିବା ସଂସଦୀୟ ଦଳ ବୈଠକକୁ ବାତିଲ କରାଯାଇଛି। ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ରାମ ସ୍ୱରୂପ। ୨୦୧୪ରେ ସେ ପ୍ରଥମ ଥର ପାଇଁ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜୟ ହାସଲ କରି ମଣ୍ଡି ଆସନରୁ ପୁଣିଥରେ ନିର୍ବାଚିତ ହୋଇଥିଲେ।

ସୂଚନାଥାଉ କି, କିଛି ଦିନ ତଳେ ଦାଦ୍ରା ନଗର ହାବେଳିର ସାଂସଦ ମୋହନ ଡେଲକରଙ୍କ ମୃତଦେହ ମୁମ୍ବାଇର ଏକ ହୋଟେଲରୁ ଉଦ୍ଧାର କରାଯାଇଥିଲା।

You might also like