ରାମ ମନ୍ଦିର ଲାଗି ଗମ୍ଭୀର ଦେଲେ କୋଟିଏ ଟଙ୍କା

୧ କୋଟି ଦେଲେ ଗମ୍ଭୀର

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାରତର ପୂର୍ବତନ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର। ମନ୍ଦିର ନିର୍ମାଣ ଲାଗି ଗମ୍ଭୀର ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନର ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ଏହି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ତେବେ ଟଙ୍କା ଦେବା ପରେ ସାଂସଦ କହିଛନ୍ତି ଯେ, ଏହା କେବଳ ଏକ ମନ୍ଦିର ନୁହେଁ ବରଂ କୋଟି କୋଟି ଭାରତୀୟଙ୍କ ଆସ୍ଥାର ପ୍ରତୀକ। ଆଉ ଏଭଳି ଏକ ଶୁଭ କାମରେ ଅଳ୍ପ କିଛି ଯୋଗଦାନ କରିବା ମୋ ପାଇଁ ସୌଭାଗ୍ୟର କଥା। ଏକ ଭବ୍ୟ ରାମ ମନ୍ଦିର ଏବେ ସବୁ ଭାରତୀୟଙ୍କ ପାଇଁ ସ୍ୱପ୍ନ ପାଲଟିଥିବା ସେ କହିଛନ୍ତି।

ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି, ଦୀର୍ଘଦିନ ଧରି ଅଟକି ରହିଥିବା ବିବାଦୀୟ ରାମ ମନ୍ଦିର ମୁଦ୍ଦା ଏବେ ଶେଷ ହୋଇଛି। ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ ଦ୍ୱାରା ଅଯୋଧ୍ୟା ଓ ଏହାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିବ। ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଲେ ସ୍ଥାନୀୟ ଲୋକ ରୋଜଗାର ମଧ୍ୟ ପାଇବେ। ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି, ଯାହାଙ୍କ ପ୍ରୟାସରେ ଆମେ ସମସ୍ତେ ଏହି ଐତିହାସିକ କ୍ଷଣର ମୁକସାକ୍ଷୀ ହେବାକୁ ଯାଉଛୁ ବୋଲି କହିଛନ୍ତି ଗମ୍ଭୀର।

ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ପାଇଁ ପୂରା ଦେଶରୁ ଚାନ୍ଦା ଆଦାୟ କାର୍ଯ୍ୟକ୍ରମ ଚାଲିଛି। ଆରଏସଏସର କାର୍ଯ୍ୟକର୍ତ୍ତା ମନ୍ଦିର ନିର୍ମାଣରେ ସାଧାରଣ ଲୋକଙ୍କ ସହଯୋଗ ପାଇଁ ଗଳି କନ୍ଦି ବୁଲି ଚାନ୍ଦା ଆଦାୟ କରୁଛନ୍ତି। ଲୋକେ ୧ ଟଙ୍କା ଠାରୁ ଆରମ୍ଭ କରି ୧୦, ୧୦୦ ଓ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦାନ କରୁଛନ୍ତି। ତେବେ ୧ହଜାର ଉପରକୁ ଟଙ୍କା ଚେକ୍ ଆକାରରେ ପ୍ରଦାନ କରାଯାଉଛି। ତେବେ ଗମ୍ଭୀର ଦେଇଥିବା ଦାନ ଟଙ୍କାକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା।

ତେବେ ପୂର୍ବରୁ ରାମ ମନ୍ଦିର ନିର୍ମାଣ କରିବା ପାଇଁ ୫ ଲକ୍ଷ ଟଙ୍କା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ନିଜ ବ୍ୟକ୍ତିଗତ ଆକାଉଣ୍ଟରୁ ଏହି ଟଙ୍କା ରାଷ୍ଟ୍ରପତି ଦେଇଛନ୍ତି।  ତେବେ ରାମ ମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଆର୍ଥିକ ସହାୟତା ଲାଗି ଆଜି ଆସିଥିବା ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‍’ର ପ୍ରତିନିଧିମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭେଟିବା ସହ ନିଜ ବ୍ୟକ୍ତିଗତ ଆକାଉଣ୍ଟ୍‌ରୁ ୫ ଲକ୍ଷ ୧୦୦ ଟଙ୍କା ପ୍ରଦାନ କରିଛନ୍ତି।

You might also like