କରୋନାରେ ଆଖି ବୁଜିଲେ ବିଜେପିର ଦୁଇ ରାଜନେତା

ଜୟପୁର: କରୋନାର କରାଳ ଗ୍ରାସରେ ସାରା ଦେଶ ଥରୁଛି। ଚାରିଆଡେ ଯେମିତି ମୃତ୍ୟୁ ଦୂତ ଛକି ବସିଛି। ଯେମିତି ସେ କାହାକୁ ବି ଛାଡ଼ୁନି। ସାଧାରଣ ଲୋକଙ୍କଠାରୁ ରାଜନେତା ପର୍ଯ୍ୟନ୍ତ ସମସ୍ତେ କରୋନା କବ୍‌ଜାରେ। ଗତକାଲି  ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ବିଜୟ କଶ୍ୟପଙ୍କର କରୋନାରେ ମୃତ୍ୟୁ ଘଟିଥିବାବେଳେ ଆଜି ରାଜସ୍ଥାନର ପ୍ରତାପଗଡ ଜିଲ୍ଲା ଧରିଆବାଦ ବିଧାନସଭା ଅଞ୍ଚଳର ଜଣେ ବିଜେପି ବିଧାୟକ ଗୌତମଲାଲ ମିନାଙ୍କର ମୃତ୍ୟୁ ଘଟିଛି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି ଏହି ସୂଚନା ଦେବା ସହ ଶୋକ ପ୍ରକାଶ କରିଛନ୍ତି। ଇତି ମଧ୍ୟରେ  ରାଜସ୍ଥାନର ବିଭିନ୍ନ ଅଞ୍ଚଳରୁ  ୪ ଜଣ ବିଧାୟକଙ୍କର କରୋନାରେ ମୃତ୍ୟୁ ଘଟିଲାଣି। ଏହା ପୂର୍ବରୁ ରାଜସମନ୍ଦର ବିଜେପି ବିଧାୟକ କିରଣ ମାହେଶ୍ୱରୀ, ଭିଲବାଡର ସହାଡା ଅଞ୍ଚଳର କଂଗ୍ରେସ ବିଧାୟକ କୈଳାସ ତ୍ରିବେଦୀ ଏବଂ ଉଦୟପୁର ଜିଲ୍ଲା ବଲ୍ଲଭନଗରର କଂଗ୍ରେସ ବିଧାୟକ ଗଜେନ୍ଦ୍ର ସିଂହ ଶକ୍ତାୱତଙ୍କର କରୋନାରେ ମୃତ୍ୟୁ ଘଟିଥିଲା।

ଧରିଆବାଦର ବିଜେପି ବିଧାୟକ ଗୌତମଲାଲ ମୀନା କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଉଦୟପୁର ମହାରାଣା ଭୂପାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୨ ଦିନ ତଳେ ଭେଣ୍ଟିଲେଟରରେ ରଖାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଏବଂ ଅନ୍ୟ ବରିଷ୍ଠ ନେତାମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥିଲେ।

ଚିକିତ୍ସା ସତ୍ତ୍ୱେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରେ ଲାଗିଥିଲା। ଆଜି ସକାଳ ୯ଟାରେ ତାଙ୍କର ମୃତ୍ୟୁ ଘଟିଛି। ମୀନାଙ୍କ ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ସବୁଆଡେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ବିଜେପି ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆ ପ୍ରମୁଖ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୀନା ରାଜନୀତିରେ ତାଙ୍କର କ୍ୟାରିୟର ବିଜେପିରୁ ଆରମ୍ଭ କରିଥିଲେ। ସେ ଧରିଆବାଦ ବିଧାନସଭା କ୍ଷେତ୍ରରୁ ୩ୟ ଥର ବିଧାୟକଭାବେ ନିର୍ବାଚିତ ହେଇଥିଲେ। ୨୦୦୩ରେ ସେ ପ୍ରଥମ ଥର ପାଇଁ ବିଧାୟଭଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୧୩ ଏବଂ ୨୦୧୮ରେ ବିଧାୟକ ହୋଇଥିଲେ।

ସେହିପରି ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀମଣ୍ଡଳର ରାଜସ୍ୱ ବିଭାଗ ମନ୍ତ୍ରୀ ଭାବେ କାମ କରୁଥିବା ବିଜୟ କଶ୍ୟପଙ୍କର ଗତକାଲି ମୃତ୍ୟୁ ଘଟିଥିଲା। ୫୬ ବର୍ଷୀୟ କଶ୍ୟପ ମୁଜାଫରନଗର ଛରଥୱାଲ ନିର୍ବାଚନମଣ୍ଡଳୀର ବିଧାୟକ ଥିଲେ। ସେ କିଛିଦିନ ତଳେ କୋଭିଡ ଆକ୍ରାନ୍ତ ହୋଇଥିଲେ। ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ତାଙ୍କୁ ଭତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କାଲି ମୃତ୍ୟୁ ଘଟିଛି।

ସୂଚନାଥାଉ କି, ଏହା ପୂର୍ବରୁ ଉତ୍ତରପ୍ରଦେଶର ୨ ଜଣ କାର୍ଯ୍ୟରତ ମନ୍ତ୍ରୀ କରୋନାରେ ଆଖି ବୁଜିଛନ୍ତି। ଗତବର୍ଷ ମନ୍ତ୍ରୀ କମଲରାଣୀ ବରୁଣ ଓ ଚେତନ ଚୌହାନ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏଥି ସହିତ କାଶ୍ୟପଙ୍କ ପୂର୍ବରୁ ୪ ଜଣ ବିଧାୟକଙ୍କର ମଧ୍ୟ କରୋନାରେ ମୃତ୍ୟୁ ଘଟିଥିଲା।

You might also like