ଜିତିନ ପ୍ରସାଦଙ୍କୁ ବଡ଼ ଉପହାର ଦେଇପାରେ ବିଜେପି : ଯୋଗୀ କ୍ୟାବିନେଟରେ ମିଳିପାରେ ମନ୍ତ୍ରୀପଦ

ଲକ୍ଷ୍ନୌ : : ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ । ଦୁଇ ଦିନ ପୂର୍ବରୁ କଂଗ୍ରେସ ଛାଡ଼ି ପଦ୍ମପୋଖୀରକୁ ଲମ୍ଫ ପ୍ରଦାନ କରିବା ପରେ ଜିତିନଙ୍କୁ ବଡ଼ ଉପହାର ଦେଇପାରେ ଭାରତୀୟ ଜନତା ପାର୍ଟି । ସୂତ୍ର ଅନୁସାରେ ଜିତିନ ପ୍ରସାଦଙ୍କୁ ଯୋଗୀ କ୍ୟାବିନେଟରେ ମନ୍ତ୍ରୀ ପଦ ମିଳିପାରେ ।

ଉତ୍ତରପ୍ରଦେଶ ବ୍ରାହ୍ମଣ ଚେହେରା ଜିତିନ୍ । ବ୍ରାହ୍ମଣ ସମ୍ପ୍ରଦାୟରେ ତାଙ୍କର ପ୍ରବଳ ଦବଦବା ରହିଛି । ଏପରିସ୍ଥଳେ ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ତାଙ୍କୁ ବଡ଼ ଦାୟିତ୍ୱ ଦେଇପାରେ ବୋଲି ଆକଳନ କରାଯାଉଛି । ଜିତିନ ପ୍ରସାଦ ଦିଲ୍ଲୀ ଗସ୍ତରେ ଯାଇଥିବା ଯୋଗୀ ଆଦିତ୍ୟନାଥଙ୍କୁ ଗୁରୁବାର ରାତିରେ ସାକ୍ଷାତ କରିଛନ୍ତି । ବିଜେପିରେ ସାମିଲ ହେବା ପରେ ଜିତିନି ପ୍ରସାଦଙ୍କ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଥମ ଥର ପାଇଁ ଭେଟିଛନ୍ତି ।

ରାହୁଲ ଗାନ୍ଧୀଙ୍କ ଅତି ଘନିଷ୍ଠ ଥିଲେ ଜିତିନ ପ୍ରସାଦ । ୨୦୦୧ରେ ଜିତିନ ନିଜ ରାଜନୈତିକ କ୍ୟାରିୟର କଂଗ୍ରେସରୁ ଆରମ୍ଭ କରିଥିଲେ । ପ୍ରଥମେ ସେ ଦଳର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୪ରେ ସେ ଶାହାଜାହାନପୁର ଲୋକସଭାରୁ କଂଗ୍ରେସ ପ୍ରାର୍ଥୀ ହୋଇ ନିଜର ପ୍ରଥମ ନିର୍ବାଚନ ଜିତିଥିଲେ । ସେ ପ୍ରଥମ ଥର ସାଂସଦ ହୋଇଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀପଦ ଦିଆଯାଇଥିଲା । ଏହି ସମୟରେ ସେ କ୍ୟାବିନେଟରେ ସବୁଠାରୁ କମ୍ ବୟସର ମନ୍ତ୍ରୀ ଥିଲେ (୨୦୦୮ ଏପ୍ରିଲ)। ସେ ୨୦୦୯ରେ ଧାରୁଆରୁ ନିର୍ବାଚନ ଲଢ଼ିଥିଲେ । ସେଠାରେ ସେ ୧ ଲକ୍ଷ ୮୪ ହଜାର ୫୦୯ ଭୋଟରେ ବିଜୟ ହୋଇଥିଲେ ।

ଜିତିନଙ୍କ ବାପା ମଧ୍ୟ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ପଶ୍ଚିବଙ୍ଗ ନିର୍ବାଚନ ସମୟରେ ମଧ୍ୟ ଜିତିନ ଉପରେ ଗୁରୁଦାୟିତ୍ୱ ଦେଇଥିଲେ କଂଗ୍ରେସ ।

You might also like