ବିହାରରେ ଆସନ ବୁଝାମଣା ନେଇ ତୁଟିଲା ଅଡ଼ୁଆ

ପାଟନା: ବିହାରରେ ଆସନ ବୁଝାମଣା ନେଇ ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି) ଓ ବିଜେପି ମଧ୍ୟରେ ଅସନ୍ତୋଷ ଦୂର ହୋଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ଏଲ୍‌ଜେପି ନେତା ରାମବିଳାଶ ପାଶ୍ୱାନ ଓ ପୁଅ ଚିରାଗ ପାଶ୍ୱାନଙ୍କ ଆଲୋଚନା ପରେ ଦୁଇ ଦଳ ମଧ୍ୟରେ ଅଡ଼ୁଆ ତୁଟିଛି।

ଏହାପରେ ଆଜି ଏନ୍‌ଡିଏ ଅଂଶୀଦାର ଦଳଗୁଡ଼ିକ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିବାର ଯୋଜନା ରହିଛି। ଏଥିରେ ବିହାରରେ ଆସନ ବୁଝାମଣା ଓ ମେଣ୍ଟ ସଂପର୍କରେ ସୂଚନା ଦିଆଯିବ।

୨୦୧୯ ସାଧାରଣ ନିର୍ବାଚନରେ ବିହାରରେ ୬ଟି ଆସନରେ ଲଢ଼ିବା ଲାଗି ଏଲ୍‌ଜେପିର ଦାବିକୁ ବିଜେପି ମାନି ନେଇଛି। ଏହାସହ ଏଲ୍‌ଜେପିର ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବା ପାଇଁ ମଧ୍ୟ ଅମିତ ଶାହା ରାଜି ହୋଇଥିବା ଜଣାପଡ଼ିଛି।

ଫଳରେ ଏଲ୍‌ଜେପି ଏନ୍‌ଡିଏ ସରକାରକୁ ସମର୍ଥନ ଦେବା ଜାରି ରଖିବ। ଉପେନ୍ଦ୍ର କୁଶଓ୍ୱାହ ଏନ୍‌ଡିଏ ଛାଡ଼ି ବିରୋଧୀ ମେଳିରେ ମିଶିବା ପରେ ଏଲ୍‌ଜେପି ବିଜେପିକୁ ନାଲିଆଖି ଦେଖାଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଅଧିକ ସିଟ୍ ମାଗିବା ସହ ବିଭିନ୍ନ ପ୍ରସଙ୍ଗରେ ସର୍ତ୍ତ ରଖିଥିଲା।

ତେବେ ଏଲ୍‌ଜେପିର ସମସ୍ତ ସର୍ତ୍ତ ବିଜେପି ମାନିନେଇଥିବା ଜଣାପଡ଼ିଛି। ଅନ୍ୟପଟେ ବିଜେପି ଓ ଜେଡିୟୁ ମିଳିତ ଭାବେ ୧୭ଟି ଲେଖାଏଁ ସିଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡ଼ିଛି।

You might also like