ଅମିତ୍ ଶାହଙ୍କ ପାଇଁ ରୋଜା ରଖିବେ ଏହି ନେତା

ଶ୍ରୀନଗର: ଗୃହମନ୍ତ୍ରୀ ଅମିତ୍ ଶାହଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ରବିବାର ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂରା ଦେଶ ଏବେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଏହା ମଧ୍ୟରେ ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ଗୁଫତାର ଅହମ୍ମଦ ଅମିତ୍ ଶାହଙ୍କ ସୁସ୍ଥ ହେବା ପାଇଁ ଏକ ବଡ଼ ତ୍ୟାଗ କରିବାକୁ ଘୋଷଣା କରିଛନ୍ତି।

ବିଜେପିର ଏହି ନେତା ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ଗୃହମନ୍ତ୍ରୀଙ୍କ ସୁସ୍ଥ ହେବା ପର୍ଯ୍ୟନ୍ତ ପ୍ରତିଦିନ ରୋଜା ରଖିବେ। ସେ ନିଜର ଟ୍ୱିଟର୍ ହ୍ୟାଣ୍ଡଲରେ ଏହି ଭିଡିଓ ଶେଆର୍ କରିଛନ୍ତି। ସେ ଭିଡିଓରେ କହିଛନ୍ତି, ମଙ୍ଗଳବାରଠାରୁ ସେ ରୋଜା ଆରମ୍ଭ କରିବେ ଏବଂ ଅମିତ୍ ଶାହଙ୍କ କରୋନା ରିପୋର୍ଟ ନେଗେଟିଭ୍ ନଆସିବା ଯାଏ ଏହା ଜାରି ରହିବ।

ଗୁଫତାର ଆହୁରି କହିଛନ୍ତି, ଅମିତ୍ ଶାହଙ୍କ ସୁସ୍ଥ ହେବା ନେଇ ମୁଁ ଭଗବାନଙ୍କୁ ନିକଟରେ ପ୍ରାର୍ଥନା କରିଛି। ଆମ ପାର୍ଟିର ଅନ୍ୟ ନେତାମାନେ ମଧ୍ୟ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ମୁଁ ପୂର୍ବରୁ ବି କହିସାରିଛି ଯେ ଯଦି ପାର୍ଟିରେ କୌଣସି ସମସ୍ୟା ଆସେ, ତାହେଲେ ପ୍ରାର୍ଥନା ଦ୍ୱାରା ତା’ର ସମାଧାନ କରିବାକୁ ପ୍ରୟାସ କରିବୁ। ମୋର ବିଶ୍ୱାସ ଯେ ଭଗବାନ ତାଙ୍କୁ ଶୀଘ୍ର ସୁସ୍ଥ କରିଦେବେ।

ସୂଚନାଯୋଗ୍ୟ, ରବିବାର ଜଣକ ପରେ ଜଣେ ବଡ଼ ନେତା କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ସର୍ବପ୍ରଥମେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ରିପୋର୍ଟ ପଜିଟିଭ୍ ଥିବା ଖବର ଆସିଥିଲା। ତାଙ୍କ ପରେ ଉତ୍ତର ପ୍ରଦେଶ ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂହଙ୍କର ମଧ୍ୟ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ବର୍ତ୍ତମାନ ସ୍ୱତନ୍ତ୍ରଦେବ ହୋମ୍ ଆଇସୋଲେସନରେ ଅଛନ୍ତି। ରାତିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରୁପ୍ପା କରୋନାରେ ଆକ୍ରାନ୍ତ ଥିବା ଖବର ସାମ୍ନାକୁ ଆସିଥିଲା।

You might also like