ଗୋପାଳ କାଣ୍ଡାଙ୍କୁ ନେଇ ଅଡ଼ୁଆରେ ବିଜେପି

ନୂଆଦିଲ୍ଲୀ: ହରିଆଣାରେ ସରକାର ଗଠନ କରିବା ପୂର୍ବରୁ ହିଁ ଅଡ଼ୁଆରେ ପଡ଼ିଛି ବିଜେପି। ଏଚ୍‌ଏଲପିର ବିଧାୟକ ଗୋପାଳ କାଣ୍ଡା ବିଜେପିକୁ ସମର୍ଥନ କରିବାକୁ ଘୋଷଣା କରିବା ପରେ ଦଳର ଅଡ଼ୁଆ ବଢ଼ିଛି। ଗୋପାଲ କାଣ୍ଡାଙ୍କୁ ଦିନେ ଗରିଫ କରିବା ପାଇଁ ବିଜେପି  ରାଜରାସ୍ତାକୁ ଓହ୍ଲାଇଥିଲା। ହେଲେ ଏବେ ସେହି ଗୋପାଳ କାଣ୍ଡାଙ୍କୁ ନିଜ ସହ ସାମିଲ କରି ବିଜେପି କ୍ଷମତା ଦଖଲ କରିବାକୁ ଉଦ୍ୟମ କରୁଥିବାରୁ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ।

ସେହିପରି ଯେଉଁ ଗୀତିକା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ଦିନେ ଗୋପାଳ କାଣ୍ଡା ଗିରଫ ହୋଇଥିଲେ ତାଙ୍କ ଭାଇ ମଧ୍ୟ ବିଜେପିକୁ ‘ବେଟି ପଢ଼ାଓ ବେଟି ବଚାଓ’ ନାରା ମନେ ପକାଇ ଦେଇଛନ୍ତି।

ଗୀତିକାଙ୍କ ଭାଇ ଅଙ୍କିତ ଶର୍ମା କହିଛନ୍ତି, ଜଣେ ଅପରାଧୀଙ୍କୁ ସାମ୍ବିଧାନିକ ଅଧିକାର ଦେବା ସମାଜ ପାଇଁ ବିପଦ। ଗୋପାଳ କାଣ୍ଡା ପୂର୍ବରୁ ମୋ ଭଉଣୀଙ୍କ ହତ୍ୟା ମାମଲାରେ ଏକାଧିକ ପ୍ରମାଣ ନଷ୍ଟ କରିଦେଇଛନ୍ତି। କ୍ଷମତାରେ ନଥାଇ ବି ସେ ପ୍ରମାଣ ନଷ୍ଟ କରିପାରୁଥିଲେ। ତେଣୁ ଏବେ ବିଜେପି ଯଦି ତାଙ୍କୁ ମନ୍ତ୍ରୀ ପଦ ଦେବ, ତା’ହେଲେ ଏହାର ପରିଣାମ ଭୟଙ୍କର ରୂପ ନେଇପାରେ। ସେ ତାଙ୍କ ବିରୋଧରେ ଥିବା ସମସ୍ତ ପ୍ରମାଣକୁ ନଷ୍ଟ କରିଦେବେ। ଯେଉଁମାନେ ଝିଅଙ୍କୁ ମାରୁଛନ୍ତି, ସେମାନେ କ୍ଷମତାକୁ ଫେରିଲେ ବେଟି ବଚାଓ ନାରାର କ’ଣ ହେବ? ଏକଥାକୁ ସମସ୍ତେ ମନେ ରଖିବା ଉଚିତ।”

କଂଗ୍ରେସର ସୁସ୍ମିତା ଦେବ ବିଜେପି ସଭାପତି ଅମିତ ଶାହଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “କୁଆଡ଼େ ଗଲା ବିଜେପିର ବେଟି ବଚାଓ ନାରା। ବିଜେପି ଗୋପାଳ କାଣ୍ଡାଙ୍କ ଭଳି ଜଣେ ଅପରାଧୀଙ୍କୁ ନିଜ ସହ ସାମିଲ କରି ହରିଆଣାରେ ସରକାର ଗଠନ କରିବାକୁ ଚାହୁଁଛନ୍ତି। ଗୋପାଳ କାଣ୍ଡାଙ୍କ ନାଁରେ ଦୁଷ୍କର୍ମ ଓ ଆତ୍ମହତ୍ୟା ପାଇଁ ଉସକାଇଥିବା ଭଳି ମାମଲା ରୁଜୁ ହୋଇଛି। ଏଭଳି ଜଣେ ବ୍ୟକ୍ତିଙ୍କୁ ନିଜ ସହ ସାମିଲ କରି ବିଜେପି ମହିଳା ସୁରକ୍ଷାକୁ ବିପଦରେ ପକାଇଛି। ବିଜେପି ମହିଳା ସୁରକ୍ଷାକୁ ନିଜ ସଂକଳ୍ପପତ୍ରରେ ସାମିଲ କରିଥିଲା। ଏମିତି କରି ବିଜେପି କ’ଣ ମହିଳାଙ୍କୁ ସୁରକ୍ଷା ଦେଉଛି କି?”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପିର ମହାରାଷ୍ଟ୍ର ସହଯୋଗୀ ଶିବସେନା ମଧ୍ୟ ଗୋପାଳ କାଣ୍ଡାଙ୍କ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛି। ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ବିଜେପିକୁ ମହିଳା ସୁରକ୍ଷା କଥା ମନେପକାଇ ତାଚ୍ଛଲ୍ୟ କରିଛନ୍ତି।

ଗୋପାଳ କାଣ୍ଡାଙ୍କର ଏମଡିଏଲଆର ଏୟାରଲାଇନ୍ସ କମ୍ପାନୀ ରହିଛି। ଏଠାରେ ଗୀତିକା ଶର୍ମା କାମ କରୁଥିଲେ। ହେଲେ ତାଙ୍କୁ କାଣ୍ଡା ଏବଂ ଏୟାରଲାଇନ୍ସର ଜଣେ ଅଧିକାରୀ ମାନସିକ ନିର୍ଯାତନା ଦେବାରୁ ସେ ୨୦୧୨ରେ ଦିଲ୍ଲୀ ସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ତେବେ ସେ ଛାଡ଼ି ଯାଇଥିବା ଦୁଇଟି ସୁଇସାଇଡ୍ ନୋଟରେ କାଣ୍ଡା ତାଙ୍କୁ ଦେଇଥିବା ନିର୍ଯାତନା ବିଷୟରେ ଉଲ୍ଲେଖ କରିଥିଲେ। ଗୀତିକାଙ୍କ ମା’ ମଧ୍ୟ କିଛି ମାସ ପରେ ଆତ୍ମହତ୍ୟା କରିଥିଲେ।

ଏହାପରେ ଗୋପାଳଙ୍କ ବିରୋଧରେ ଯୌନ ନିର୍ଯାତନା, ଦୁଷ୍କର୍ମ, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଛନ୍ତି ବୋଲି ମାମଲା ଦାଏର ହୋଇଥିଲା। ସେ ୨୦୧୪ ପର୍ଯ୍ୟନ୍ତ ଜେଲରେ ମଧ୍ୟରେ ଥିଲେ। ହେଲେ ଜାମିନରେ ମୁକୁଳିବା ପରେ ସେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ଏବେ କିନ୍ତୁ ସେ ନିର୍ବାଚନରେ ବିଜୟୀ ହୋଇଛନ୍ତି।

You might also like