ୟୁପି ରାଜନୀତି: ଦୁଷ୍କର୍ମ ମାମଲାରେ ଜେଲ୍ ଦଣ୍ଡ ଭୋଗୁଥିବା କୁଲଦୀପଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କଲା ବିଜେପି

ଉତ୍ତରପ୍ରଦେଶରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ତେଣୁ ଏହି ପରିପ୍ରେକ୍ଷିରେ ବିଜେପି ଉନ୍ନାଓ ଜିଲ୍ଲା ପଞ୍ଚାୟତ ପାଇଁ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିସାରିଛି। ୫୧ଟି ୱାର୍ଡ ମଧ୍ୟରୁ ସଙ୍ଗିତା ସେଙ୍ଗରଙ୍କୁ ବିଜେପି ଫତେହପୁର ଚବିଶ ତୃତୀୟରେ ପ୍ରାର୍ଥୀ କରିଛି। ଏବେ ସେ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ସଙ୍ଗିତା ସେଙ୍ଗର ହେଉଛନ୍ତି, ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ପତ୍ନୀ। ଯିଏକି ଏବେ ଜେଲରେ ଦିନ କାଟୁଛନ୍ତି। ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ଜେଲ ଯିବା ପରେ କୁଲଦୀପଙ୍କୁ ବିଜେପିରୁ ବହିଷ୍କାର କରାଯାଇଛି। ସେ ୪ ଥର ବିଧାୟକ ରହିସାରିଛନ୍ତି।

୨୦୧୭ରେ ଉନ୍ନାଓ ଦୁଷ୍କର୍ମ ମାମଲାରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହି କାରଣରୁ ୨୦୧୯ରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ସେ ୨୦୧୭ରେ ବିଜେପିରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ସେ ସମାଜବାଦୀ ପାର୍ଟିରେ ଥିଲେ। ଖାଲି ସେତିକି ନୁହେଁ, କୁଲଦୀପ ନିଜ ରାଜନୈତିକ କ୍ୟାରିୟରରେ ଅନେକ ଦଳ ପରିବର୍ତ୍ତନ କରିସାରିଛନ୍ତି। ସେ ୧୯୯୦ରେ ଜାତୀୟ କଂଗ୍ରେସରୁ ନିଜ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ବେଳେ ୨୦୦୨ରେ ସେ ବହୁଜନ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ସେହି ଦଳରୁ ବହିଷ୍କାର ହେବା ପରେ ସେ ୨୦୦୭ରେ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ।

ତେବେ ୨୦୧୬ରେ ହୋଇଥିବା ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ତାଙ୍କ ପତ୍ନୀ ସ୍ୱାଧୀନ ପ୍ରାର୍ଥୀ ସଙ୍ଗିତା ସେଙ୍ଗର ଓ ସମାଜବାଦୀ ପାର୍ଟ ପ୍ରାର୍ଥୀ ଜ୍ୟୋତି ରାୱତଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ତେବେ ଏହି ନିର୍ବାଚନରେ ଉଭୟ ପ୍ରାର୍ଥୀ ସମାନ ସଂଖ୍ୟକ (୨୬-୨୬) ଭୋଟ ପାଇଥିଲେ। ଏହାପରେ ଲଟେରୀ କରାଯାଇଥିଲା, ସେଥିରେ କୁଲଦୀପଙ୍କ ପତ୍ନୀ ବିଜେତା ହୋଇଥିଲେ।

୨୦୧୬ରେ କୁଲଦୀପ ସମାଜବାଦୀ ପାର୍ଟି ସହ ଥିଲେ ମଧ୍ୟ ତାଙ୍କ ପତ୍ନୀଙ୍କ ପାଇଁ ଦଳ ସହଯୋଗ କରିନଥିଲା। ତେଣୁ ତାଙ୍କ ପତ୍ନୀ ସ୍ୱାଧୀନ ଭାବେ ଏହି ନିର୍ବାଚନ ଲଢ଼ିଥିଲେ। କୁଲଦୀପଙ୍କ ରାଜନୈତିକ ଅଭିଜ୍ଞତା ଓ ଗୋଟି ଚାଳନା ପାଇଁ ତାଙ୍କ ପତ୍ନୀ ବିଜୟ ଟିକା ପିନ୍ଧିଥିଲେ। ଏହାପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସମାଜବାଦୀରେ କୁଲଦୀପଙ୍କୁ କଣଠେସା କରି ଦିଆଯାଇଥିଲା। ତେଣୁ କୁଲଦୀପ ୨୦୧୭ରେ ବିଜେପିରେ ଯୋଗଦେଇଥିଲେ। ତେବେ ଏଥର ଦେଖିବାକୁ ବାକି ରହିଲା ଯେ, କୁଲଦୀପଙ୍କ ପତ୍ନୀ ଏହି ପଞ୍ଚାୟତ ନିର୍ବାଚନରେ ବିଜୟ ହୋଇ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ହୋଇପାରୁଛନ୍ତି ନା ନାହିଁ। କାରଣ ସବୁଠୁ ବଡ଼ କଥା ହେଲା ଏବେ ସଙ୍ଗିତାଙ୍କୁ ସହଯୋଗ କରିବା ପାଇଁ ତାଙ୍କ ସ୍ୱାମୀ କୁଲଦୀପ ପାଖରେ ନାହାନ୍ତି।

You might also like