ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଦିଶପୁର: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ପ୍ରଥମ ଦଫାରେ ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱଲ ମଜୁଲି ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ହେଭିେଓ୍ୱଟ ହିମନ୍ତ ବିଶ୍ୱଶର୍ମା ଜାଲୁକବାରିରୁ ପ୍ରାର୍ଥୀ ହେବେ। କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ପରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯାଇଥିଲା। ଏଥର ଆସାମ ଗଣ ପରିଷଦ ଓ UPPL ସହିତ ମେଣ୍ଟ କରି ବିଜେପି ନିର୍ବାଚନ ଲଢୁଛି। ଆସାମ ଗଣ ପରିଷଦ ଭାଗରେ ୨୬ଟି ଓ UPPL କୁ ୮ଟି ଆସନ ମିଳିଛି।

ସେପଟେ କଂଗ୍ରେସ ମଧ୍ୟ ଏଥର ମେଣ୍ଟ କରିଛି। AIUDF, AGM ଓ ବାମ ଦଳ ସହିତ ମେଣ୍ଟ ହୋଇଛି।  ଆସାମର ୧୨୬ ଆସନ ବିଶିଷ୍ଟ ବିଧାନସଭା ପାଇଁ ୩ଟି ପର୍ଯ୍ୟାୟରେ ଭୋଟ ହେବ। ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ଏପ୍ରିଲ ୬ ତାରିଖରେ ମତଦାନ ହେବ। କୋଭିଡକୁ ଦେଖି ଏଥର ୧ ଘଣ୍ଟା ଅଧିକ ମତଦାନ କରାଯିବ ବୋଲି ନିର୍ବାଚନ କମିଶନ ଆଗରୁ ଘୋଷଣା କରିଥିଲେ। ଗତ ନିର୍ବାଚନରେ ୧୨୬ ଆସନରୁ ୮୬ଟି ଆସନରେ ଜିତି ସରକାର ଗଠନ କରିଥିଲା।

ଅପରପଟେ ବିଜେପିକୁ ଚ୍ୟାଲେଞ୍ଜ ଦେଇ ଏଥର ନନ୍ଦିଗ୍ରାମରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିଜର ପାରମ୍ପରିକ ସିଟ୍ ଭବାନୀପୁର ବଦଳରେ ମମତା ଏଥର ନନ୍ଦିଗ୍ରାମରୁ ଲଢ଼ିବେ। ଏଠାକାର ବିଧାୟକ ଥିଲେ ହେଭିେଓ୍ୱଟ ଶୁଭେନ୍ଦୁ ଅଧିକାରୀ। ଆଗରୁ ମମତାଙ୍କ ଖାସ୍ ଅନୁଗତ ଥିବା ଶୁଭେନ୍ଦୁ ଏବେ ଶିବିର ପରିବର୍ତ୍ତନ କରି ବିଜେପିରେ ଯୋଗ ଦେଇଛନ୍ତି। ତେଣୁ ସିଧାସଳଖ ଶୁଭେନ୍ଦୁ ଓ ବିଜେପିକୁ ଚ୍ୟାଲେଞ୍ଜ ଦେଇ ନନ୍ଦିଗ୍ରାମରୁ ଲଢ଼ିବେ ବୋଲି ଆଗରୁ ମମତା ଘୋଷଣା କରିଥିଲେ।

ଶୁଭେନ୍ଦୁ ମଧ୍ୟ କହିଥିଲେ ମମତାଙ୍କ ବିରୋଧରେ ଲଢ଼ିବାକୁ ସେ ପ୍ରସ୍ତୁତ ଅଛନ୍ତି। ତେବେ ଶେଷ ନିଷ୍ପତ୍ତି ନେବ ବିଜେପି। ଯଦି ଶୁଭେନ୍ଦୁ ନନ୍ଦିଗ୍ରାମରୁ ଲଢ଼ନ୍ତି, ତେବେ ହାଇଭୋଲଟେଜ୍ ଟକ୍କର ହେବ। ନନ୍ଦିଗ୍ରାମ ଓ ସିଙ୍ଗୁର ଜମି ଅଧିଗ୍ରହଣକୁ ପ୍ରସଙ୍ଗ କରି ମମତା ବାନାର୍ଜୀ ବାମ ଶାସନର ଅନ୍ତ କରିଥିଲେ କିନ୍ତୁ ନନ୍ଦିଗ୍ରାମରେ ଶୁଭେନ୍ଦୁ ହିଁ ଥିଲେ ମମତାଙ୍କ ଡାହାଣ। ତେଣୁ ସତରେ ଯଦି ସେ ମମତାଙ୍କ ବିରୋଧରେ ଠିଆ ହୁଅନ୍ତି, ତେବେ ଗୁରୁ-ଶିଷ୍ୟ ମଧ୍ୟରେ ମୁକାବିଲା ରୋମାଞ୍ଚକର ହେବ। ବିଧାନସଭା ନିର୍ବାଚନ ପାଇଁ ଆଜି ଟିଏମ୍‌ସି ୨୯୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

You might also like