ଇମୋସ୍ନାଲ ହେଲେ ଜେପି ନଡ୍ଡା, କହିଲେ ଏଭଳି ହିଂସା ଭାରତ ବିଭାଜନ ବେଳେ ହୋଇଥିଲା

କୋଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ରବିବାର ଘୋଷଣା ହେବା ପରେ ହିଁ ରାଜ୍ୟର ଅଧିକାଂଶ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଏହି ହିଂସା ପଛରେ ଟିଏମସିର ପ୍ରମୁଖ ହାତ ରହିଛି ବୋଲି ବିଜେପି ଦାବି କରିଛି। ଏଥିସହ ଏହି ହିଂସାରେ ମୃତ୍ୟୁବରଣ କରିଥିବା ବିଜେପି କର୍ମୀଙ୍କ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ମଙ୍ଗଳବାର କୋଲକାତାରେ ପହଞ୍ଚିଛନ୍ତି ବିଜେପି ସଭାପତି ଜେପି ନାଡ୍ଡା । ସେ ଟିଏମସିକୁ ଟାର୍ଗେଟ କରି କହିଛନ୍ତି ଯେ, ଆମେ ଗଣତାନ୍ତ୍ରିକ ଉପାୟରେ ଲଢ଼ିବାକୁ ପ୍ରସ୍ତୁତ ଅଛୁ।

ଜେପି ନାଡ୍ଡା କହିଛନ୍ତି, ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପରେ ଆମେ ଯେଉଁ ସବୁ ଘଟଣା ଦେଖିବାକୁ ପାଉଛୁ ତାହା ଆମକୁ ଆଶ୍ଚର୍ଯ୍ୟ କରିଛି ଏବଂ ଭୟଭୀତ କରିଛି। ମୁଁ ଶୁଣିଥିଲି ଏଭଳି ଘଟଣା ଭାରତ ବିଭାଜନ ସମୟରେ ଘଟିଥିଲା। ସ୍ୱତନ୍ତ୍ର ଭାରତରେ ନିର୍ବାଚନ ପରେ ଏବେ ସୁଦ୍ଧା ଏଭଳି ହିଂସାକାଣ୍ଡ କେଉଁଠି ବି ଦେଖିବାକୁ ମିଳି ନଥିଲା । ନିର୍ବାଚନ ଫଳାଫଳ ପରେ ଏଭଳି ଅସହିଷ୍ଣୁତା କେଉଁଠି ବି ଦେଖାଯାଇ ନାହିଁ ।

ବିଜେପି ସଭାପତି ଆହୁରି କହିଛନ୍ତି, ‘ଆମେ ଏହି ଗଣତାନ୍ତ୍ରିକ ଲଢ଼େଇ ପାଇଁ ପ୍ରତିବଦ୍ଧ। ଖାଲି ସେତିକି ନୁହେଁ  ଟିଏମସିର ଏଭଳି ଅସହିଷ୍ଣୁତା କାର୍ଯ୍ୟକଳାପ ବିରୋଧରେ ମଧ୍ୟ ଲଢ଼ିବାକୁ ପ୍ରସ୍ତୁତ ।

ଏହି ଅବସରରେ ଜେପି ନାଡ୍ଡା ଏବଂ ପଶ୍ଚିମବଙ୍ଗ ରାଜ୍ୟ ସଭାପତି ଦିଲୀପ ଘୋଷ ନିର୍ବାଚନୀ ହିଂସାରେ ପ୍ରାଣ ହରାଇଥିବା ବିଭିନ୍ନ ବିଜେପି କର୍ମୀଙ୍କ ଘରକୁ ଯାଇଥିଲେ। ସେଠାରେ ବିଜେପି ଅଭିଯୋଗ କରିଛି ଯେ, ଟିଏମସି କାର୍ଯ୍ୟକର୍ତ୍ତାମାନେ ଏମାନଙ୍କ ଘରଦ୍ୱାର ମଧ୍ୟ ଭଙ୍ଗାଭଙ୍ଗି କରିଛନ୍ତି । ବିଜେପି କର୍ମୀଙ୍କ ଘର ଉପରକୁ ମଧ୍ୟ ଟିଏମସି କାର୍ଯ୍ୟକର୍ତ୍ତାମାନେ ଆକ୍ରମଣ କରିଛନ୍ତି ।

ଜେପି ନାଡା ଦକ୍ଷିଣ ୨୪ ପରଗାନାରେ କହିଛନ୍ତି ଯେ, ମମତା ଜୀ, ବିଜୟ ପରେ ଆପଣଙ୍କ ଦଳ ଯାହା କରିଛି ତାହା ଗଣତନ୍ତ୍ରରେ ଆପଣଙ୍କର କିଭଳି ବିଶ୍ୱା ରହିଛି ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି । ଟିଏମସି କାର୍ଯ୍ୟକର୍ତ୍ତା ତଥା ନେତାମାନେ ସୋସିଆଲ ମିଡିଆରେ ଏହି ସବୁ ଘଟଣାକୁ ମିଥ୍ୟା ବୋଲି କହୁଛନ୍ତି। ଆପଣ ଦେଖିଛନ୍ତି ଯେ, ହରନ ଆଧିକାରୀଙ୍କ ପତ୍ନୀ ଏବଂ ପୁଅ କିପରି କାନ୍ଦୁଛନ୍ତି ? ମୁଁ ଗଣମାଧ୍ୟମକୁ ସତ୍ୟ ଦେଖାଇବାକୁ ଅନୁରୋଧ କରୁଛି। “ ବିଜେପି କର୍ମୀଙ୍କ ପରିବାରକୁ ଭେଟିବା ସମୟରେ ଏଭଳି ଇମୋସ୍ନାଲ ହୋଇପଡ଼ିଥିଲେ ଜେପି ନଡ୍ଡା ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପରେ, ସୋମବାର ଏକ ବଡ଼ ଧରଣର ହିଂସା ଦେଖିବାକୁ ମିଳିଥିଲା । ଯେଉଁଥିରେ ଅନେକ ବିଜେପି କର୍ମୀଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଗୁରୁତର ହୋଇଥିଲେ। ବିଜେପି ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଏକ ବିଜେପି ପାର୍ଟି ଅଫିସ୍‌ରେ ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟି ଥିବା  ଦେଖାଯାଇଛି । ଏହାସହ ସେଠାରେ ଉପସ୍ଥିତ ଲୋକମାନେ ବିଚଳିତ ହୋଇ ଚିତ୍କାର କରୁଛନ୍ତି ।

ବିଜେପି ଦାବି କରିଛି ଯେ ଏହି ହିଂସାକାଣ୍ଡରେ ବିଜେପିର ଅତି କମରେ ୬ଜଣ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ମୃତ୍ୟୁ ଘଟିଛି। ଯେଉଁଥିରେ ଜଣେ ମହିଳା ମଧ୍ୟ ସାମିଲ ଅଛନ୍ତି ।

You might also like