ପ୍ରଚାର ପାଇଁ ନା ଥିଲା ଗାଡି ଘୋଡା, ନା ଥିଲା ସମ୍ବଳ? ହେଲେ ବି ଜିତିଲେ…

ବିନା ଟଙ୍କା ଖର୍ଚ୍ଚରେ ଜିତିଲେ ନିର୍ବାଚନ

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନରେ ମହିଳା ଭୋଟରଙ୍କ ବଳରେ ବିଜୟୀ ହୋଇ କ୍ଷମତାକୁ ପୁଣି ଫେରିଛି ଟିଏମସି। ସବୁ ଦଳ, ବଳ ଓ କୌଶଳ ଲଗାଇ ବି ବିଧାନସଭା ନିର୍ବାଚନରେ ପରାଜିତ ହୋଇଛି ବିଜେପି। ଦଳର ବହୁ ଦିଗଜ ନେତାଙ୍କୁ ବି ପରାଜୟର ମୁହଁ ଦେଖିବାକୁ ପଡିଛି। ହେଲେ ଦଳ ପକ୍ଷରୁ ଏଭଳି ଜଣେ ମହିଳା ବିଜୟୀ ହୋଇଛନ୍ତି ଯାହାଙ୍କ ଚର୍ଚ୍ଚା କେବଳ ପଶ୍ଚିମବଙ୍ଗରେ ନୁହେଁ, ସାରା ଦେଶକୁ ବ୍ୟାପିପାରିଛି। ଦେଶବ୍ୟାପୀ ସୋସିାଅଲ ମିଡିଆ ମାଧ୍ୟମରେ ଏବେ ତାଙ୍କରି ଭୁରି ଭୁରି ପ୍ରଶଂସା।

ପ୍ରଚାର ପାଇଁ ନା ଥିଲା ଗାଡି ଘୋଡା, ନା ଥିଲା ସମ୍ବଳ? ସମର୍ଥକ ଜୁଟାଇବା ଇବା ପାଇଁ ତାଙ୍କ ପକ୍ଷରେ ସମ୍ଭବ ନଥିଲା। ପ୍ରଚାରର ଚାକଚକ୍ୟ ନଥାଇ ବି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ଏବେ ବେଶ୍ ଚର୍ଚ୍ଚାରେ ଥିବା ଏ ମହିଳା ହେଉଛନ୍ତି ଚନ୍ଦନା ବାଉରି। ଅଖ୍ୟାତ ପଲ୍ଲୀର ଜଣେ ଦିନ ମଜୁରିଆଙ୍କ ପତ୍ନୀରୁ ଏବେ ସେ ବିଧାୟିକା। ସଲତୋରା ଆସନରୁ ବିଜେପି ଟିକେଟରେ ବିଜୟୀ ହୋଇ ସେ ପାଲଟିଛନ୍ତି ମହିଳା ସଶକ୍ତୀକରଣର ପ୍ରେରଣା।

୩୦ ବର୍ଷୀୟା ଚନ୍ଦନା ଟିଏମସିର ସନ୍ତୋଷ କୁମାର ମଣ୍ଡଳଙ୍କୁ ୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଗତ ୨ଟି ନିର୍ବାଚନରେ ଟିଏମସି ଏଠାରୁ ବିଜୟୀ ହୋଇଥିଲା ତଥାପି ବିନା ରାଜନୈତିକ ପୃଷ୍ଠଭୂମିରୁ ପ୍ରଥମ ଥର ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ଚନ୍ଦନା। ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା। ଆଉ ଅର୍ଥ ବଳର ପ୍ରାଚୁର୍ଯ୍ୟ ଓ ପ୍ରଚାର ଚାକଚକ୍ୟ ବିନା କିଭଳି ନିର୍ବାଚନ ଜିତିହୁଏ ତାହା ପ୍ରମାଣିତ କରି ଦେଖାଇପାରିଛନ୍ତି ସେ। ଏହି ବିଜୟ ପରେ କେବଳ ପଶିମବଙ୍ଗ ନୁହେଁ ସରା ଦେଶରେ ଚନ୍ଦନାଙ୍କୁ ନେଇ ଚର୍ଚ୍ଚା, ପ୍ରଶଂସା। ସୋସିଆଲ ମିଡିଆରେ ତାଙ୍କ ପ୍ରତି ଏବେ ଶୁଭେଚ୍ଛାର ସୁଅ ଛୁଟିଛି।

ଚନ୍ଦନାଙ୍କ ସମ୍ବଳ କହିଲେ, ଝାଟି ମାଟି ଛପର ଘର। ସ୍ୱାମୀ ଓ ୩ ଛୁଆଙ୍କୁ ନେଇ ପରିବାର। ସ୍ୱାମୀ ଜଣେ ମିସ୍ତ୍ରୀ ଭାବେ ନିତିଦିନିଆ ମଜୁରୀ ଖଟନ୍ତି। ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ଚନ୍ଦନାଙ୍କ ସମ୍ପତ୍ତି ଥିଲା ମାତ୍ର ୩୧ ହଜାର ୯୮୫ ଟଙ୍କା। ତାଙ୍କ ସ୍ୱାମୀଙ୍କ ସମ୍ପତ୍ତି ୩୦ ହଜାର ୩୧୧ ଟଙ୍କା। ଏହା ଛଡା ପରିବାର ପାଖରେ ତିନୋଟି ଗାଈ ଓ ତିନିଟି ଛେଳି ରହିଛି। ତାଙ୍କୁ ଦଳ ଟିକଟ୍ ଦେବ ବୋଲି ସେ କେବେବି ଭାବି ନଥିବା କହିଛନ୍ତି ଚନ୍ଦନା। ହେଲେ ତାଙ୍କର କିଛି ଶୁଭେଚ୍ଛୁ ଅନଲାଇନରେ ଆବେଦନ କଲାପରେ ବିଜେପି ତାଙ୍କ ନାଁରେ ହିଁ ମୋହର ମାରିଥିଲା। ଆଉ ଏବେ ସେ ଲଗାତାର ୨ଟି ନିର୍ବାଚନରେ ତୃଣମୂଳ କଂଗ୍ରେସ ପାଖରେ ଥିବା ଆସନକୁ ସେ ଛଡାଇ ବିଜେପିକୁ ବିଜୟ ଉପହାର ଦେଇଛନ୍ତି।

You might also like