ପିଏମ୍ କେୟାର୍ସ ଫଣ୍ଡ ଅଡିଟ୍ ଦାବିକୁ ରୋକିଲା ବିଜେପି, ସମର୍ଥନ କଲା ବିଜେଡି
ନୂଆଦିଲ୍ଲୀ: ପିଏମ୍ କେୟାର୍ ଫଣ୍ଡର ଅଡିଟ୍କୁ ଅଟକାଇଲେ କେନ୍ଦ୍ର ସରକାର। କେନ୍ଦ୍ରକୁ ସହଯୋଗ କଲା ବିଜେଡି। ଜାତୀୟ ଗଣମାଧ୍ୟମ ଏନ୍ଡିଟିଭିରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ପାର୍ଲାମେଣ୍ଟାରୀ ପ୍ୟାନେଲ୍ ପବ୍ଲିକ ଆକାଉଣ୍ଟ କମିଟି(ପିଏସି) ପିଏମ୍ କେୟାର୍ ଫଣ୍ଡସର ଅଡିଟ୍ କରିବାକୁ ଦାବି କରିଥିଲା। କିନ୍ତୁ ବିଜେପି ନେତା ଓ ବିଜେଡି ସାଂସଦ ଏହାକୁ ବିରୋଧ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ପିଏସି ପୂର୍ବରୁ 2G ସ୍ପେକ୍ଟ୍ରମ ଭଳି ବଡ଼ ବଡ଼ ଦୁର୍ନୀତିର ଅଡିଟ୍ କରିଛି।
ରିପୋର୍ଟ ଅନୁସାରେ, କଂଗ୍ରେସ ନେତା ତଥା ପିଏସି ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀ ଏହି ଫଣ୍ଡର ଅଡିଟ୍ କରିବାକୁ ଲୋକସଭାରେ ଦାବି ଉଠାଇଥିଲେ। କିନ୍ତୁ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ ଏବଂ ଡିଏମ୍କେ ନେତା ଟିଆର୍ ବାଲୁ ପିଏମ୍ କେୟାର୍ ଫଣ୍ଡର ହିସାବ୍ ଦାବିକୁ ଅଟକାଇଥିଲେ। ଏମିତିକି ଏହା ପିଏସି ଯାଞ୍ଚ ଅଧୀନରେ ନ ଆସୁ ବୋଲି ସେମାନେ ଚାହୁଁଥିବା କୁହାଯାଉଛି।
ପୂର୍ବରୁ ପିଏମ୍ କେୟାର୍ସ ଫଣ୍ଡ କୌଣସି ଅଡିଟ୍ ହେବ ନାହିଁ କି ଏହା ଅଡିଟର ଜେନେରାଲ୍ ଅଫ୍ ଇଣ୍ଡିଆ(ସିଏଜି) ଅଧୀନରେ ଆସିବା ନାହିଁ ବୋଲି କେନ୍ଦ୍ର ସରକାର କହିଥିଲେ।
ବିଜେପିର ବରିଷ୍ଠ ନେତା ଭୂପେନ୍ଦର ଯାଦବ ଅଧୀର ରଞ୍ଜନ ଚୌଧୁରୀଙ୍କ ପ୍ରସ୍ତାବକୁ ବିରୋଧ କରିଥିଲେ। ପିଏମ୍ କେୟାର୍ସ ଫଣ୍ଡ ସଂସଦ ଅଧୀନରେ ଅଛି ଏହା କୌଣସି ବ୍ୟକ୍ତିଗତ କମିଟିର ନୁହେଁ ବୋଲି ସେ କହିଥିଲେ।