ପୁଣି ବିଜେପି ସରକାର; ୨୪ ଘଣ୍ଟାରେ ହାତ ମୁଠାକୁ ଆଣିଲା ୯ ସ୍ୱାଧୀନ ବିଧାୟକ

ଚଣ୍ଡୀଗଡ଼: ହରିଆଣାରେ ପୁଣିଥରେ ସରକାର ଗଢ଼ିବ ବିଜେପି। ଦଳ ପାଖରେ ମ୍ୟାଜିକ୍‌ ନମ୍ବର୍‌ ନଥିଲେ ମଧ୍ୟ ଦଳ ସରକାର ଗଢ଼ିବାକୁ ଯାଉଛି। କାରଣ ବିଜେପିକୁ ସମର୍ଥନ କରିଛନ୍ତି ୯ ସ୍ୱାଧୀନ ବିଧାୟକ।

ହରିଆଣାରେ ମୋଟ ୯୦ଟି ବିଧାନସଭା ସିଟ୍‌ ମଧ୍ୟରୁ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର୍‌ ହେଉଛି ୪୬। ଆଉ ଏଥର ବିଜେପି ଜିତିଛି ୪୦ଟି ଆସନ। ତେଣୁ ମ୍ୟାଜିକ୍‌ ନମ୍ବର ପାଇବା ପାଇଁସ୍ୱାଧୀନ ପ୍ରାର୍ଥୀଙ୍କୁ ନିଜ ପାଖକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲା ବିଜେପି। ଆଉ ଫଳାଫଳ ଘୋଷଣା ହେବାର ୨୪ ଘଣ୍ଟା ମଧ୍ୟରେ ବିଜେପି ୯ ଜଣ ସ୍ୱାଧୀନ ବିଧାୟକଙ୍କୁ ନିଜ ପାଖକୁ ଆଣିବାରେ ସକ୍ଷମ ହୋଇଛି।

୯ ବିଧାୟକ ମଧ୍ୟ ଖୋଲାଖୋଲି ଭାବେ ବିଜେପିକୁ ସମର୍ଥନ କରିବେ ବୋଲି କହିଛନ୍ତି। ଏମାନଙ୍କ ମଧ୍ୟରେ ରଣଧୀର ଗୋଲେନ, ବଲରାଜ କୁଣ୍ଡୁ, ରଣଜୀତ ସିଂହ ଚୌଟାଲା, ରାକେଶ ଦୌଲତାବାଦ, ଗୋପାଳ କାଣ୍ଡା, ସୋମବୀର ସାଙ୍ଗୱାନ, ଧର୍ମପାଲ ଗୋଣ୍ଡେର, ଅଭୟ ଚୌଟଲା ଓ ନୟନପାଲ ରାୱତ ରହିଛନ୍ତି।

ଏମାନେ ବିଜେପିକୁ ସମର୍ଥନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ଓ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ। ଏହାପରେ ସମସ୍ତେ ଗଣମାଧ୍ୟମ ଆଗରେ ବିଜେପିକୁ ସମର୍ଥନ କରିବେ ବୋଲି କହିଛନ୍ତି।

ବିଜେପିକୁ ଏହି ୯ ଜଣ ବିଧାୟକ ସମର୍ଥନ କଲେ, ଦଳର ଆସନ ସଂଖ୍ୟା ୪୯ରେ ପହଞ୍ଚି ଯିବ। ବିଜେପି ପୁଣିଥରେ ହରିଆଣାରେ ସରକାର ଗଠନ କରିବାକୁ ଯେଉଁ ଲକ୍ଷ୍ୟ ରଖିଥିଲା, ତାହା ପୂରଣ ହେବ। ଏହି ୯ ବିଧାୟକଙ୍କ ମଧ୍ୟରୁ ଗୋପାଳ କାଣ୍ଡା ଏଚଏଲପିର ହୋଇଥିବା ବେଳେ ଅଭୟ ଚୌଟାଲା ଆଇଏନଏଲଡ୍‌ର ବିଧାୟକ।

ଅନ୍ୟପକ୍ଷରେ ବିଜେପି ହରିଆଣା ବିଧାନସଭାର ୧୦ଟି ଆସନ ଜିତିଥିବା ଦ୍ୟୁଷନ୍ତ ଚୌଟାଲାଙ୍କ ଜେଜେପି ଉପରେ ମଧ୍ୟ ଆଖି ପକାଇଛି। ଦଳକୁ ନିଜ ପାଖକୁ ଆଣିବା ପାଇଁ ବିଜେପିର ବରିଷ୍ଠ ନେତାମାନେ ଜୋରଦାର କସରତ ଆରମ୍ଭ କରିଦେଇଛନ୍ତି।

ଆସନ୍ତାକାଲି ହରିଆଣା ବିଜେପି ବିଧାୟକ ଦଳ ବୈଠକ ରହିଛି। ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅରୁଣ ସିଂହ ଯୋଗଦେବେ। ଏହି ସମୟରେ ହିଁ ବିଧାୟକ ଦଳ ନେତା କିଏ ହେବ, ତା’ର ନିଷ୍ପତ୍ତି ନିଆଯିବ। ଆସନ୍ତାକାଲି ଦିନ ୧୧ଟାରେ ଚଣ୍ଡୀଗଡ଼ଠାରେ ଏହି ବୈଠକ ବସିବ।

You might also like