ମାଗଣାରେ ବିରିୟାନୀ ବାଣ୍ଟୁଛନ୍ତି ଏହି ମହିଳା

ଚେନ୍ନାଇ: ମହାମାରୀ କରୋନା ଯୋଗୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଅନୁଷ୍ଠାନ ଓ ଲୋକମାନେ ସହାୟତାର ହାତ ବଢ଼ାଇଛନ୍ତି। ଏମାନେ ଲୋକଙ୍କୁ ମାଗଣାରେ ଖାଇବା ଯୋଗାଇବା ସହ ଅନ୍ୟାନ୍ୟ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି ତାମିଲନାଡୁରେ। ଏଠାରେ ଜଣେ ମହିଳା ଲୋକଙ୍କୁ ମାଗଣାରେ ବିରିୟାନୀ ଖାଇବାକୁ ଦେଉଛନ୍ତି। ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ ଓ ସେମାନେ ଭୋକିଲା ଅଛନ୍ତି, ସେମାନଙ୍କୁ ମାଗଣାରେ ବିରିୟାନୀ ଖାଇବାକୁ ଦେଉଛନ୍ତି ଏହି ମହିଳା। 

ତାମିଲନାଡୁର କୋଏମ୍ବାଟୁର ସ୍ଥିତ ପୁଲିଆକୁଲମ୍‌ ଅଞ୍ଚଳରେ ସମ୍ପୃକ୍ତ ମହିଳାଙ୍କ ଏକ ଛୋଟ ଷ୍ଟଲ୍‌ ରହିଛି। ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ ଓ ସେମାନେ ଭୋକିଲା ଅଛନ୍ତି, ସେମାନେ ମାଗଣାରେ ଏଠାରେ ବିରିୟାନୀ ଖାଇପାରିବେ। ଷ୍ଟଲ୍‌ ବାହାରେ ଏକ ଛୋଟ କଳାପଟା ରଖାଯାଇଛି। ଯେଉଁଠି ଲେଖାଯାଇଛି, ‘କ’ଣ ଆପଣ ଭୋକିଲା ଅଛନ୍ତି କି ? ଆପଣ ଏଠାରୁ ଖାଦ୍ୟ ଖାଇପାରିବେ।’

ଅଭିନେତା ତଥା RJ ବାଲାଜୀ ଟ୍ୱିଟ୍‌ କରି ସମ୍ପୃକ୍ତ ମହିଳାଙ୍କ ଷ୍ଟଲ୍‌ର ଫଟୋ ଶେଆର କରିଛନ୍ତି। ଟ୍ୱିଟ୍‌ କରି ସେ ଲେଖିଛନ୍ତି, ‘କୋଏମ୍ବାଟୁରର ପୁଲିଆକୁଲମ୍‌ ଅଞ୍ଚଳରେ ରାସ୍ତାକଡ଼ରେ ଥିବା ଏହି ଛୋଟ ବିରିୟାନୀ ଦୋକାନ କେତେ ଭଲ କାମ କରୁଛି।’

ଲୋକଙ୍କ ପ୍ରତି ଏଭଳି ଉଦାର ମନୋଭାବ ଦେଖାଇ ମହିଳା ଜଣକ ଲୋକଙ୍କ ହୃଦୟ ଜିତିବା ସହ ଭୋକିଲାଙ୍କ ପାଇଁ ସାହାରା ପାଲଟିଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।

You might also like