ପୁଣି ମୁଣ୍ଡ ନେଲା ସିଗ୍‌ନେଚର୍‌ ବ୍ରିଜ୍‌

ନୂଆଦିଲ୍ଲୀ: ନୂଆ କରି ଖୋଲା ଯାଇଥିବା ଦିଲ୍ଲୀର ସିଗ୍‌ନେଚର୍‌ ବ୍ରିଜ୍‌ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଗୋଟିଏ ଦିନ ପୂର୍ବରୁ ଏହି ବ୍ରିଜ୍‌ରେ ୨ଜଣ ମେଡିକାଲ୍‌ ଛାତ୍ରଙ୍କ ମୃତ୍ୟୁ ଘଟିବାର ୨୪ ଘଣ୍ଟା ନପୂରୂଣୁ ପୁଣି ଜଣଙ୍କର ମୃତ୍ୟୁ ଘଟିଛି।

ଆଜି ସକାଳେ ଗାଜିଆବାଦର ୨୪ ବର୍ଷୀୟ ଶଙ୍କର ତାଙ୍କ ସମ୍ପର୍କୀୟ ଭାଇ ଦୀପକ (୧୭)ଙ୍କ ସହ ବାଇକ୍‌ରେ ଉତ୍ତର ଦିଲ୍ଲୀର ନଙ୍ଗଲୋଇଠାରୁ ଉତ୍ତର-ପୂର୍ବ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ଏହି ସମୟରେ ସେମାନଙ୍କ ବାଇକ୍‌ ବ୍ରିଜ୍‌ରେ ସ୍ଲିପ୍‌ କରି ଡିଭାଇଡର୍‌ରେ ପିଟି ହେବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ହସ୍ପିଟାଲକୁ ନେବା ବାଟରେ ଶଙ୍କରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୀପକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୀପକଙ୍କ ଆଣ୍ଠୁରେ ଆଘାତ ଲାଗିଛି।

ତେବେ ଉଭୟ ହେଲ୍‌ମେଟ୍‌ ପିନ୍ଧିଥିବା ବେଳେ, ସେମାନଙ୍କର ବାଇକ୍‌ ଡିଭାଇଡର୍‌ରେ ପିଟି ହେବା ପୂର୍ବରୁ ଶଙ୍କରଙ୍କ ହେଲ୍‌ମେଟ୍‌ ଉଡି ଯାଇଥିଲା ବୋଲି ଦୀପକ କହିଛନ୍ତି।

ଦୀର୍ଘ ୮ ବର୍ଷର ନିର୍ମାଣ କାର୍ଯ୍ୟ ପରେ ନଭେମ୍ବର ୪ରେ ଏହି ବ୍ରିଜ୍‌ ଖୋଲା ଯାଇଥିଲା। ଗତ କିଛିଦିନ ଧରି କିଛି ଲୋକ ଏହି ସ୍ଥାନରେ ସେଲ୍‌ଫି ନେଉଥିବା ଜଣାପଡ଼ିଛି।

You might also like