ବିହାରରେ ଏନ୍‌ଡିଏ ଆସନ ବୁଝାମଣା ବିବାଦ ତୁଟିଲା

ନୂଆଦିଲ୍ଲୀ :  ଆସନ ବୁଝାମଣାକୁ ନେଇ ବିହାରରେ ଏନ୍‌ଡିଏରେ ଦେଖାଦେଇଥିବା ଅସନ୍ତୋଷ ଦୂର ହୋଇଛି। ରାଜ୍ୟରେ ବିଜେପି ଓ ସଂଯୁକ୍ତ ଜନତା ଦଳ ପ୍ରତ୍ୟେକ ୧୭ଟି ଲେଖାଏଁ ଆସନରେ ଲଢ଼ିବେ।

ଅନ୍ୟତମ ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି ୬ଟି ଆସନରେ ପ୍ରାର୍ଥୀ ଦେବ। ଏହାସହ ଏଲ୍‌ଜେପି ନେତା ତଥା କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ରାଜ୍ୟସଭା ପଠାଯିବ ବୋଲି ସହମତି ହୋଇଛି।

ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ-ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଏଲ୍‌ଜେପି ମୁଖ୍ୟ ରାମବିଳାସ ପାଶ୍ୱାନ ଏବଂ ପୁଅ ଚିରାଗ ପାଶ୍ୱାନ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି।

ଆସନ ବୁଝାମଣାରେ ବିଳମ୍ବ ହେବାରୁ ଅସନ୍ତୋଷ ପ୍ରକାଶ କରି ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ନେତା ଉପେନ୍ଦ୍ର କୁଶୱାହା ଏନ୍‌ଡିଏ ଛାଡ଼ିବା ପରେ ଏଲ୍‌ଜେପି ନେତା ଚିରାଗ ପାଶ୍ୱାନ ଆସନ ବୁଝାମଣା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଏହାପରେ ରାମବିଳାସ ଓ ଚିରାଗଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଲୋଚନା କରିଥିଲେ। ଆଜି ଅମିତ ଶାହ ଏ ପ୍ରସ୍ତାବ ଉପରେ ମୋହର ଲଗାଇବା ସହ ଆସନ ବୁଝାମଣା ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରିଛନ୍ତି।

You might also like