ହଠାତ୍‌ ବଢ଼ିଗଲା କରୋନା ମୃତ୍ୟୁ ସଂଖ୍ୟା

ପାଟନା: ଦେଶରେ ଦୈନିକ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଆଜି ଦୈନିକ ମୃତ୍ୟୁ ହାର ରେକର୍ଡ ପାର୍ କରିଛି। ୨୪ ଘଣ୍ଟାରେ ୬ ହଜାର ୧୪୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଏହି ନୂଆ ମୃୃତ୍ୟୁ ହାର ସହ ଦେଶରେ କରୋନା ଜନିତ ମୋଟ୍‌ ମୃୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬କୁ ବୃଦ୍ଧି ପାଇଛି। ବୁଧବାର ବିହାରରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଏକ ବଡ଼ ଧରଣର ସଂଶୋଧନ ପରେ ସାରା ଦେଶର ଏହା ମୃତ୍ୟୁ ହାରକୁ ବଢ଼ାଇ ଦେଇଛି। ବିହାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସଂଶୋଧନ କରାଯାଇଛି। ଫଳରେ ଏହାକୁ ମିଶାଇ ବିହାରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯,୪୨୯ରେ ପହଞ୍ଚିଛି। ମଙ୍ଗଳବାର ଏହି ସଂଖ୍ୟା ୫,୪୫୮ ଥିଲା।

ବିହାର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବୁଧବାର ମୃତ୍ୟୁ ସଂଖ୍ୟା ୫,୪୭୮ ଥିଲା। ତେବେ ସଂଶୋଧନ ପରେ ଆଉ ୩,୯୫୧ ମୃତ୍ୟୁ ସଂଖ୍ୟା ଯୋଡ଼ା ଯାଇଥିଲା। ଫଳରେ ବିହାରରେ କରୋନା ମୃତ୍ୟୁ ସଂଖ୍ୟାରେ ହଠାତ୍‌ ବୃଦ୍ଧି ଦେଖିବାକୁ ମିଳିଥିଲା। ଏହାକୁ ମିଶାଇ ବିହାରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯,୪୨୯ରେ ପହଞ୍ଚିଛି। ଯାହାକି ସାରା ଦେଶର ମୃତ୍ୟୁ ହାରକୁ ବଢ଼ାଇ ଦେଇଛି। ତେବେ ନିର୍ଦ୍ଦିଷ୍ଟ କେଉଁ ଦିନ ୩,୯୫୧ ଜଣଙ୍କ ମୃତ୍ୟୁ ଘଟିଥିଲା ତାହା ବିହାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଲ୍ଲେଖ କରାଯାଇ ନାହିଁ। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ବିରୋଧୀ ଦଳ ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ସେହିପରି ବିହାରରେ କରୋନା ସୁସ୍ଥ ହାର ମଙ୍ଗଳବାର ୯୮.୭୦% ଥିବାବେଳେ ବୁଧବାର ସଂଶୋଧିତ ପରେ ୯୭.୬୫%ରେ ପହଞ୍ଚି ଥିଲା।

ଦିନକରେ ଦେଶରେ ୯୪ ହଜାର ୫୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୧ ଲକ୍ଷ ୮୩ ହଜାର ୧୨୧କୁ ବୃଦ୍ଧି ଘଟିଛି। ଦେଶରେ ଆକ୍ଟିଭ୍‌ କେସ- ୧୧ଲକ୍ଷ ୬୭ ହଜାର ୯୫୨ ରହିଥିବା ବେଳେ ସୁସ୍ଥ ହେଲେଣି ୨ କୋଟି ୭୬ ଲକ୍ଷ ୫୫ ହଜାର ୪୯୩ ଜଣ।

You might also like