ମନ୍ତ୍ରୀପଦ ସମ୍ଭାଳିବାର ଦେଢ଼ ଘଣ୍ଟା ପରେ ଇସ୍ତଫା ଦେଲେ ନୀତୀଶଙ୍କ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଇସ୍ତଫା ଦେଲେ ନୀତୀଶଙ୍କ ୩ ଦିନିଆମନ୍ତ୍ରୀ। ୩ ଦିନ ପାଇଁ ଶିକ୍ଷା ମନ୍ତ୍ରୀ ହୋଇଥିବା ମେୱାଲାଲ୍ ଚୌଧୁରୀ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଥିବାରୁ ବିରୋଧୀଙ୍କ ଚାପ ଯୋଗୁ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡ଼ିଛି।

ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗୁରୁବାର ଅପରାହ୍ନରେ ମେୱାଲାଲ୍ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ନୀତୀଶଙ୍କୁ ମେୱାଲାଲ୍ ଇସ୍ତଫା ଦେବାକୁ କହିଥିଲେ। ରାଜ୍ୟପାଳ ମଧ୍ୟ ମେୱାଲାଲ୍‌ଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।

ମେୱାଲାଲ୍‌ ଆଜି ଦିନ ୧୨.୩୦ରେ ଶିକ୍ଷାମନ୍ତ୍ରୀ ଭାର ସମ୍ଭାଳିଥିଲେ, ଆଉ  ଦିନ ୨ଟା ବେଳେ ଇସ୍ତଫା ପତ୍ର ଦେଇଥିଲେ। ଅର୍ଥାତ୍ ମାତ୍ର ଦେଢ଼ ଘଣ୍ଟା ପାଇଁ ସେ ବିହାର ଶିକ୍ଷା ମନ୍ତ୍ରୀ ହୋଇଥିଲେ। ମେୱାଲାଲ୍‌ ପ୍ରଫେସର ଓ ଜୁନିଅର ସାଇଣ୍ଟିଷ୍ଟଙ୍କ ନିଯୁକ୍ତିକୁ ପ୍ରଭାବିତ କରିବାର ଅଭିଯୋଗ ରହିଛି।

୨୦୧୭ରେ ଭାଗଲପୁର ସବଉର ଏଗ୍ରିକଲଚର ୟୁନିଭର୍ସିଟିର ଭାଇସ୍‌ ଚାନ୍‌ସେଲର ଥିବା ବେଳେ ନିଜ ପଦର ଅପବ୍ୟବହାର କରି ୧୬୧ ଆସିଷ୍ଟାଣ୍ଟ ପ୍ରଫେସର ଓ ଜୁନିଅର ସାଇଣ୍ଟିଷ୍ଟଙ୍କ ନିଯୁକ୍ତି ପ୍ରଭାବିତ କରିଥିବା ମେୱାଲାଲ୍‌ଙ୍କ ନାଁରେ ଅଭିଯୋଗ ରହିଛି। ତା ସହିତ ସବଉର ଏଗ୍ରିକଲଚର ୟୁନିଭର୍ସିଟି ବିଲ୍‌ଡିଂ ନିର୍ମାଣ ବେଳେ ମଧ୍ୟ ଦୁର୍ନୀତି ହୋଇଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି। ଏହି ଅଭିଯୋଗରୁ ସେ ଦଳରୁ ବହିଷ୍କୃତ ମଧ୍ୟ ହୋଇଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେହି ସମୟରେ ବିହାର ରାଜ୍ୟପାଳ ଥିବାରୁ ମେୱାଲାଲ୍‌ଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ମେୱାଲାଲ୍‌ଙ୍କ ବିରୋଧରେ ଲାଗିଥିବା ଦୁର୍ନୀତି ଅଭିଯୋଗ ସତ ଜଣାପଡ଼ିଥିଲା। କିନ୍ତୁ ମେୱାଲାଲ୍‌ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ଅସ୍ୱୀକାର କରିଥିଲେ।

ନୀତୀଶଙ୍କ ସପ୍ତମ ପାଳିରେ ମେୱାଲାଲ୍‌ ଶିକ୍ଷାମନ୍ତ୍ରୀ ହେବା ପରେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲା ବିରୋଧୀ ଆର୍‌ଜେଡି। ନୀତୀଶ ମେୱାଲାଲ୍‌ଙ୍କୁ ପୁଣିଥରେ ଲୁଟ୍ କରିବାର ସୁଯୋଗ ଦେଲେ ବୋଲି କହି ଏନ୍‌ଡିଏକୁ ଟାର୍ଗେଟ କରିଥିଲେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ।

You might also like