କିଏ ଯିବେ ବନବାସ ? କାହାର ହେବ ସିଏମ୍‌ ନିବାସ ?

ପାଟନା: କାହାର ହେବ ବିହାର ? ପରିବର୍ତ୍ତନର ହାଓ୍ୱା ବହିବ ନା ଏକ୍‌ଜିଟ୍‌ ପୋଲ୍‌ ଭୁଲ୍ ପ୍ରମାଣିତ ହେବ। କାଣ୍ଟେ କା ଟକ୍କର ଦେଖିଥିବା ବିହାରବାସୀ କାହାକୁ ସମର୍ଥନ ଦେଉଛନ୍ତି। ଆଉ କାହାକୁ କ୍ଷମତାରୁ ଦୂରେଇ ରଖୁଛନ୍ତି ତାହା ନିର୍ଦ୍ଧାରଣ ହେବ ଆଜି।

ବିହାର ବିଧାନସଭା ନିର୍ବାଚନକୁ ନେଇ ଯେଉଁ ଏକ୍‌ଜିଟ୍‌ ପୋଲ୍ ଆସିଛି ଯଦି ତାହା ସତ ହୁଏ ତେବେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବେ। ସେ କଂଗ୍ରେସ, ବାମ ଦଳ ଏବଂ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମହାମେଣ୍ଟର ଚେହେରା ପାଲଟିଛନ୍ତି।

ସେପଟେ ଲଗାତାର ୧୫ ବର୍ଷ ଧରି ଶାସନ ଗାଦିରେ ବସିଥିବା ଜେଡିୟୁ ନେତା ନୀତିଶ କୁମାର ନିର୍ବାଚନରେ ପରାଜୟ ସହ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନା ମୋଦି ମ୍ୟାଜିକ୍‌ କାମ କରିବ। ତାହା ଆଜି ସ୍ପଷ୍ଚ ହୋଇଯିବ। ତେବେ ଫଳାଫଳ କାହା ସପକ୍ଷରେ ଯାଉଛି ? ଜେଡିୟୁ ନେତୃତ୍ୱାଧିନ ଏନ୍‌ଡିଏ ନା ଆର୍‌ଜେଡି ନେତୃତ୍ୱାଧୀନ ମହାମେଣ୍ଟ ବାଜି ମାରିବ।

ସ୍ୱର୍ଗତ ରାମବିଳାସ ପାଶଓ୍ୱାନଙ୍କ ଲୋକଜନଶକ୍ତି ପାର୍ଟି(ଏଲ୍‌ଜେପି) ଓ ଏହାର ନେତା ଚିରାଗ ପାଶଓ୍ୱାନ ଜନତାଙ୍କ ସମର୍ଥନ ଯୋଗାଡ଼ରେ କେତେ ପାସ୍ ଓ କେତେ ଫେଲ୍ ତାହା ବି ସ୍ପଷ୍ଟ ହୋଇଯିବ। ୧୫ ବର୍ଷର ଶାସନ ପରେ ବି ବିହାରରେ ଜଙ୍ଗଲ ରାଜର ଉଦାହରଣ ଦେଇଥିବା ଏନ୍‌ଡିଏ, ରାଜ୍ୟର ବିକାଶର ନାରା ଦେଇ କ୍ଷମତାକୁ ଫେରିବାର ଆଶା ରଖିଛି। କରୋନା ମୁକାବିଲା, ବେରୋଜଗାର, ବିକାଶ, ବନ୍ୟା, ଶିକ୍ଷା ପ୍ରସଙ୍ଗ ଉଠାଇଥିବା ମେଣ୍ଟ, ବିହାରରେ କ୍ଷମତା ପରିବର୍ତ୍ତନର ସ୍ୱପ୍ନ ଦେଖୁଛି।

ଦିନ ୧୦ଟା ସୁଦ୍ଧା ୨୪୩ଟି ଆସନରୁ ମହାମେଣ୍ଟ(କଂଗ୍ରେସ, ବାମ ଦଳ ଓ ଆର୍‌ଜେଡି) ୧୧୩ଟି ଆସନରେ ଆଗୁଆ ଥିବାବେଳେ ଏନ୍‌ଡିଏ ୧୧୨ ଓ ଏଲ୍‌ଜେପି ୯ ଓ ଅନ୍ୟାନ୍ୟ ଦଳ ୯ଟି ଆସନରେ ଆଗୁଆ ରହିଛି। 

You might also like