ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ରାଜନୀତି ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ସାକ୍ଷାତକାର ମହାରାଷ୍ଟ୍ର ରାଜନୀତି ଉପରେ ଏକ ବଡ଼ ପ୍ରଭାବ ପକାଇବାର ସମ୍ଭାବନା ରହିଛି ବୋଲି ରାଜନୀତି ବିଶେଷଜ୍ଞମାନେ ମଧ୍ୟ ମତ ଦେଇଛନ୍ତି । ତେବେ ଏଭଳି ଚର୍ଚ୍ଚାକୁ ଆହୁରି ଘନିଭୂତ କରିଛି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେଙ୍କ ଏକ ବୟାନ । ସେ ବୟାନ ଦେଇଛନ୍ତି ଯେ, ଆଗାମୀ ଦିନରେ ଶିବ ସେନା ଓ ବିଜେପି ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଯାଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମେଣ୍ଟ ହେବା ପରେ ମୁଖ୍ୟମନ୍ତ୍ରୀ ପଦକୁ ଅଧା-ଅଧା କାର୍ଯ୍ୟକାଳ ପାଇଁ ଶିବ ସେନା ସହ ଭାଗ ହୋଇପାରେ ।

କେନ୍ଦ୍ରମନ୍ତ୍ରୀ ଆଠୱାଲେ ଆହୁରି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଯେ, ଏହି ମାମଲାରେ ବିଜେପି ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ଙ୍କ ସହ ତାଙ୍କର ଆଲୋଚନା ହୋଇସାରିଛି । ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ପ୍ରସ୍ତାବ ଦେବା ସହ ଏନେଇ ଆଲୋଚନ କରିବେ । ଏହି ବୟାନ ଏମିତି ଏକ ସମୟରେ ଆଠୱାଲେ ଦେଇଛନ୍ତି, ଯେଉଁ ସମୟରେ ଉଦ୍ଧବ ଠାକ୍‌ରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇ ଚର୍ଚ୍ଚା ସାଉଟିଛନ୍ତି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ମୋଦିଙ୍କୁ ଭେଟିବା ପରେ ଉଦ୍ଧବ ଠାକ୍‌ରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ତାଙ୍କର ସବୁକଥାକୁ ଗୁରୁତ୍ୱର ସହ ଶୁଣିଛନ୍ତି । ସେ କହିଛନ୍ତି ତାଙ୍କର ଏହି ସାକ୍ଷାତକାରରେ ମରାଠା ଆରକ୍ଷଣ ଏବଂ ଜିଏସ୍‌ଟି ସମେତ ଅନେକ ସମ୍ବେଦନଶୀଳ ମୁଦ୍ଦାକୁ ନେଇ ଆଲୋଚନା ହୋଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ସହ ଭେଟ ହେବା ପରେ ଉଦ୍ଧବ ଠାକ୍‌ରେ ପ୍ରାଞ୍ଜଳ ଭାବେ କହିଥିଲେ ଯେ, ଏହି ସାକ୍ଷାତକାର ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ଥିଲା । ଏହା ଆଦୌ ରାଜନୈତିକ ସାକ୍ଷାତକାର ନଥିଲା । ସେ ଏହି କଥାକୁ ଅଧିକ ଗୁରୁତ୍ୱ ଦେଇଥିଲେ ଯେ, ପିଏମ୍‌ ମୋଦିଙ୍କ ସହ ତାଙ୍କର ସମ୍ପର୍କ ଅତ୍ୟନ୍ତ ଭଲ ରହିଛି । ସେ ଆହୁରି କହିଥିଲେ ଯେ, ‘ଆମେ ରାଜନୈତିକ ଦୃଷ୍ଟିରୁ ଅଲଗା ଥାଇପାରୁ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମ ଭିତରେ ଥିବା ସମ୍ପର୍କ ଭାଙ୍ଗି ଯାଇଛି । ମୁଁ କୌଣସି ନୱାଜ ସରିଫଙ୍କୁ ଭେଟଇବାକୁ ଯାଇନଥିଲି ।ଯଦି ମୁଁ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି ତେବେ ଏଥିରେ କିଛି ବି ଭୁଲ ନାହିଁ ।’

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ନିକଟରେ ହୋଇଥିବା ସାକ୍ଷାତକାର ପରେ ଶିବ ସେନା ନେତା ସଞ୍ଜୟ ରାଉତଙ୍କ ସ୍ୱର ମଧ୍ୟ ବଦଳି ଯାଇଥିବା ଦେଖାଯାଇଛି । ସଞ୍ଜୟ ରାଉତ ନିକଟ ଅତୀତରେ ପ୍ରଧାନ ମନ୍ତ୍ରୀଙ୍କୁ ପ୍ରଶଂସା କରି କହିଥିଲେ ଯେ, ମୋଦି ଦେଶର ଏବଂ ବିଜେପିର ସର୍ବଶ୍ରେଷ୍ଠ ନେତା ।

Other Stories