ଚତୁର୍ଥ ପର୍ଯ୍ୟାୟରେ ବହୁ ହେଭିୱେଟ୍‌ଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଅନେକ ହେଭିୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା ହେବ। ମୁମ୍ବାଇର ନର୍ଥ ସେଣ୍ଟ୍ରାଲ ଆସନରେ ବିଜେପିର ପୁନମ୍‌ ମହାଜନ ଓ କଂଗ୍ରେସର ପ୍ରିୟା ଦତ୍ତଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ସେହିପରି ମୁମ୍ବାଇ ନର୍ଥ ୱେଷ୍ଟରେ କଂଗ୍ରେସର ସଞ୍ଜୟ ନିରୁପମ୍ ଓ ମୁମ୍ବାଇ ନର୍ଥ ଆସନରେ ଅଭିନେତ୍ରୀରୁ ରାଜନେତା ହୋଇଥିବା କଂଗ୍ରେସର ଉର୍ମିଳା ମାତୋଣ୍ଡକରଙ୍କ ଭାଗ୍ୟ ପରୀକ୍ଷା ହେବ।

ମୁମ୍ବାଇ ସାଉଥରୁ କଂଗ୍ରେସ ଟିକେଟ୍‌ରେ ଶିଳ୍ପପତି ମିଲିନ୍ଦ ଦେଓରା ଲଢୁଛନ୍ତି। ଉତ୍ତରପ୍ରଦେଶର କନୌଜ ଆସନରୁ ସମାଜବାଦୀ ପାର୍ଟିର ଡିମ୍ପଲ୍‌ ଯାଦବ ଏବଂ ଉନ୍ନାଓ ଆସନରୁ ବିଜେପିର ବରିଷ୍ଠ ନେତା ସାକ୍ଷୀ ମହାରାଜ ପ୍ରାର୍ଥୀ ହୋଇଛନ୍ତି। ଖାଲି ଏତିକି ନୁହେଁ ରାଜସ୍ଥାନ ଯୋଧପୁରରେ ମଧ୍ୟ ହାଇ ପ୍ରୋଫାଇଲ ଲଢେଇ ହେବ। ଏଠାରେ ବିଜେପିର ଗଜେନ୍ଦ୍ର ସିଂ ଶେଖାୱତଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ୍ ମଧ୍ୟରେ କଡା ମୁକାବିଲା ହେଉଛି।

ଅନ୍ୟପକ୍ଷେ, ବିହାର ବେଗୁସରାଇ ଆସନରେ ମଧ୍ୟ ତ୍ରିମୁଖୀ ଲଢ଼େଇ ହେବ। ସେଠାରେ ସିପିଆଇ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଜେଏନ୍‌ୟୁର ପୂର୍ବତନ ଛାତ୍ରନେତା କହ୍ନେୟା କୁମାର ଓ ବିଜେପି ନେତା ଗିରିରାଜ ସିଂଙ୍କ ସହ ଆର୍‌ଜେଡି ପ୍ରାର୍ଥୀ ତନବୀର ହସନଙ୍କ କଡ଼ା ମୁକାବିଲା ହେବ।

ପଶ୍ଚିମବଙ୍ଗର ଆସାନସୋଲ ଆସନରୁ ବିଜେପିର ବାବୁଲ ସୁପ୍ରିୟୋ ଲଢୁଛନ୍ତି। ସେହିପରି ମଧ୍ୟପ୍ରଦେଶର ଛିନ୍ଦୱାଡା ଆସନରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲ ନାଥ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

You might also like