ମୋଦିଙ୍କୁ ଦେଖି ଜୋ ବାଇଡେନ କହିଲେ ‘ଆପଣଙ୍କୁ ଦେଖି ବହୁତ ଭଲ ଲାଗିଲା’
ୱାଶିଂଟନ: ୪ ଦେଶର କ୍ୱାଡ ଗ୍ରୁପ୍ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ହୃହଦରେ ସ୍ୱାଗତ କରିଛନ୍ତି। ବାଇଡେନ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ମୋଦିଙ୍କୁ ଭେଟିଛନ୍ତି। କ୍ୱାଡ ଗ୍ରୁପ୍ର ଡିଜିଟାଲ ଫର୍ମରେ ଆୟୋଜିତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କାଟ ମାରିସନ୍, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଯୋଗ ଦେଇଥିଲେ।
ଏହି ଭର୍ଚୁଆଲ ମିଟିଂରେ ପ୍ରଧାନମନ୍ତ୍ରୀ ମୋଦି କହିବାକୁ ଆସିଥିଲେ। ତାଙ୍କୁ ଦେଖିବା କ୍ଷଣି ବାଇଡେନ କହିଥିଲେ, ‘ ପ୍ରଧାନମନ୍ତ୍ରୀ ମୋଦି, ଆପଣଙ୍କୁ ଦେଖି ବହୁତ ଭଲ ଲାଗିଲା।’
ଭର୍ଚୁଆଲ ମିଟିଂରେ ମୋଦି କହିଥିଲେ, ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶକୁ ସାହାଯ୍ୟ କରିବା ପାଇଁ ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆ ସହଯୋଗରେ ଭାରତର ଟିକା ଉତ୍ପାଦନ କ୍ଷମତା ବୃଦ୍ଧି କରିବ। ସେ କହିଥିଲେ, କୋଭିଡ ୧୯ ବିରୋଧରେ ଆମେ ସମସ୍ତେ ଏକ ହୋଇ ଲଢେଇ କରିଥିଲେ। ଏବେ କୋଭିଡ ଟିକା ପହଞ୍ଚାଇବା ପାଇଁ ହାତ ବଢାଇବା।
ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଟିକା, ଜଳବାୟୁ ଏବଂ ପ୍ରଯୁକ୍ତି ବିଦ୍ୟା ଉପରେ କ୍ୱାଡ ଶିଖର ସମ୍ମିଳନୀରେ ଚର୍ଚ୍ଚା କରାଯିବ । ଏହି ଆଲୋଚନା ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି, ସ୍ଥିରତା ପାଇଁ ସରକାରାତ୍ମକ ଶକ୍ତି ଯୋଗାଇବ। ସେ ଆହୁରି କହିଥିଲେ, ଏହି ସମ୍ମେନଳରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କ୍ୱାଡ ଏବେ ବିକଶିତ ହୋଇଛି ଏବଂ ଏହି କ୍ଷେତ୍ରରେ ସ୍ଥିରତା ଏକ ମହତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇ ରହିବ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପୂର୍ବ ଅପେକ୍ଷା ଆମେ ଅଧିକ ମିଳିତ ଭାବରେ କାର୍ଯ୍ୟ କରିବୁ । ସହଭାଗୀ ମୂଲ୍ୟବୋଧ ତଥା ନିରାପତ୍ତା, ସ୍ଥିରତା ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ଆଗକୁ ବଢାଇବା। ଏହି ସକରାତ୍ମକ ଦୃଷ୍ଟିକୋଣକୁ ଭାରତର ବସୁଧୈବ କୁଟୁମ୍ବକମ୍ ଦର୍ଶନର ସମ୍ପ୍ରସାରିତ ରୂପ ଭାବେ ମୁଁ ଦେଖୁଛି, ଯାହା ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ବିବେଚନା କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସୂଚନାଥାଉ, କ୍ୱାଡ ଦେଶ ଭାରତ-ଆମେରିକା-ଜାପାନ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଥର ପାଇଁ ଭିଡିଓ କନଫେରନସିଂ ଜରିଆରେ ବୈଠକ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇ ‘ବସୁଧୈବ କୁଟୁମ୍ବକମ୍’କୁ ଗୁରୁତ୍ୱ ଦେଇଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ପାଇଁ କ୍ୱାଡ ଦେଶ ମିଳିତ ଭାବରେ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ତେବେ ଏହି ବୈଠକ ଆରମ୍ଭ ହେବା ପୂର୍ବରୁ ଚାଇନା ପ୍ରତିକ୍ରିୟା ରଖିଛି। ଯାହାକି କ୍ୱାଡ ଗ୍ରୁପର ବୈଠକକୁ ନେଇ ଚାଇନା ଚିନ୍ତିତ ବୋଲି ଜଣାପଡ଼ିଛି। ଏମିତିକି କ୍ୱାଡ ଦେଶ ମଧ୍ୟରେ ହେବାକୁ ଥିବା ବୁଝାମଣା ଚାଇନାକୁ ଟାର୍ଗେଟ କରି ନହେବା ଦରକାର ବୋଲି ଚାଇନାର ବୈଦେଶିକ ମନ୍ତ୍ରାଳୟ ପରୋକ୍ଷରେ କହିଛି।
Speaking at the First Quad Leaders’ Virtual Summit. https://t.co/Ypom6buHxS
— Narendra Modi (@narendramodi) March 12, 2021