ଶପଥ ପୂର୍ବରୁ ପ୍ରତିଶ୍ରୁତି ପାଳନ କଲେ ବାଇଡ଼େନ: ପ୍ରତି ନାଗରିକଙ୍କୁ ଦେବେ ୩୦ ହଜାର ଟଙ୍କା

ବାଇଡେନଙ୍କ ରେସ୍କ୍ୟୁ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ଶପଥ ଗ୍ରହଣ ପୂର୍ବରୁ ବାଇଡେନଙ୍କ ରେସ୍କ୍ୟୁ ପ୍ୟାକେଜ ଘୋଷଣା। ଆମେରିକାର ଅସଜଡା ଅର୍ଥନୀତିକୁ ସୁଧାରିବା ଲାଗି ୧.୯ ଟ୍ରିିଲିୟନ ଡଲାର ବା ୧୩୮ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ବାଇଡ଼େନ। ତେବେ ସେ ଶପଥ ନେବା ପରେ ହିଁ ସଙ୍ଗେ ସଙ୍ଗେ ଏହାକୁ ଆମେରିକୀୟ ସଂସଦରେ ପାରିତ କରାଯିବ ବୋଲି ସୂଚନା ରହିଛି। ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏହି ପ୍ୟାକେଜ ସଂସଦରେ ପାରିତ ହେଲେ ପ୍ରତ୍ୟେକ ଆମେରିକୀୟଙ୍କ ପାଖକୁ ଯିବ ୧୪ ଶହ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୩୦ ହଜାର ଟଙ୍କା। କେବଳ ଏତିକି ନୁହେଁ ବରଂ ବାଇଡ଼େନଙ୍କ ଏହି ପ୍ୟାକେଜ ବଳରେ ଅନେକ କ୍ଷୁଦ୍ର ବ୍ୟବସାୟୀଙ୍କୁ ମଧ୍ୟ ସହାୟତା ମିଳିବ।

ଶପଥ ନେବା ପୂର୍ବରୁ ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି ବାଇଡ଼େନ। ଲାଭ ପାଇବେ ଲକ୍ଷାଧିକ ଆମେରିକୀୟ। ସବୁ ଘାତ ପ୍ରତିଘାତ ଭିତରେ ଆସନ୍ତା ୨୦ ତାରିଖରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ- ବାଇଡେନ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ଭୁଲିନାହାନ୍ତି ବାଇଡ଼େନ୍। କିନ୍ତୁ ଏବେ ବି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ବିଭ୍ରାଟ ଲାଗି ରହିଛି । ବର୍ତ୍ତମାନ ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପ୍ ନିଜର ପରାଜୟକୁ ସ୍ୱୀକାର କରିବାକୁ ନାରାଜ।

ଏବେ ବି ରାଷ୍ଟ୍ରପତି ପଦର ମୋହ ଛାଡିପାରୁନାହାନ୍ତି ଟ୍ରମ୍ପ। କିନ୍ତୁ ଗଣତନ୍ତ୍ରର ପ୍ରକ୍ରିୟାକୁ ସମ୍ମାନ ଜଣାଇ ନିଜର ପଦବୀ ଛାଡିବାକୁ ବାଧ୍ୟ ହେବେ ଟ୍ରମ୍ପ। କାରଣ ଅଫିସିଆଲ ଭୋଟ ଗଣତି ଦିନ ତାଙ୍କର କିଛି ସମର୍ଥକ କ୍ୟାପିଟଲ ହଲରେ ପଶି ହଙ୍ଗାମା କରିଥିଲେ । ଏହା ପରେ ଆମେରିକା ସଂସଦ ପକ୍ଷରୁ ଟ୍ରମ୍ପଙ୍କ ନାମରେ ଦ୍ୱିତୀୟଥର ପାଇଁ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି । ତେଣୁ ବାଇଡ଼େନ ରାଷ୍ଟ୍ରପତି ହେବା ଗୋଟିଏ ପ୍ରକାର ନିଶ୍ଚିତ ହୋଇସାରିଛି। ତେବେ ଯଦି ଟ୍ରମ୍ପ ନିଜ ପଦବୀକୁ ସ୍ୱଇଚ୍ଛାରେ ନଛାଡ଼ନ୍ତି ତାଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ କଥାକୁ ବି ଏଡ଼ାଇ ଦିଆଯାଇନପାରେ।

ନିର୍ବାଚନ ଫଳାଫଳକୁ ଅମାନ୍ୟ, ନିର୍ବାଚନରେ ଜାଲିଆତି ନେଇ ମିଥ୍ୟା ଅଭିଯୋଗ ଓ ନିଜ ସମର୍ଥକଙ୍କୁ ଉସୁକାଇ କ୍ୟାପିଟଲ ହିଲ୍ କବ୍‌ଜା। ବିଶ୍ୱର ସର୍ବପୂରାତନ ଗଣତନ୍ତ୍ରର ମର୍ଯ୍ୟାଦାହାନୀ ଅଭିଯୋଗରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁଦ୍ଧରେ ଗୃହୀତ ହୋଇଥିଲା ମହାଭିଯୋଗ ପ୍ରସ୍ତାବ। ଏହା ସପକ୍ଷରେ ୨୩୨ଟି ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ପଡିଛି ୧୯୭ ଭୋଟ୍ ଉଲ୍ଲେଖନୀୟ ହେଉଛି। ତାଙ୍କ ନିଜ ଦଳ ରିପବ୍ଲିକାନ୍ ପାର୍ଟିର ବରିଷ୍ଠ ନେତା ଲିଜ୍ ଚେନିଙ୍କ ସହ ୧୦ ଜଣ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛନ୍ତି।

ଆମେରିକୀୟ ସମ୍ବିଧାନର ୨୫ତମ ସଂଶୋଧନ ଅନୁଯାୟୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇଦେବାକୁ ଡେମୋକ୍ରାଟଇକାନ୍ ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କୁ ନିବେଦନ କରିଥିଲେ। ତେବେ ପେନ୍ସ ଏଥିରେ ରାଜି ନହେବାରୁ ଟ୍ରମ୍ପ ପୁଣି ମହାଭିଯୋଗର ସମ୍ମୁଖୀନ ହୋଇଛନ୍ତି।

 

ଏପଟେ ନିଜ ସମର୍ଥକମାନଙ୍କ ପାଇଁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟମାନେ ଏକଜୁଟ୍ ହେବା ଲାଗି ସେ ଆହ୍ୱାନ ଦେଇଛନ୍ତି। ଆମେରିକା ରାଜନୀତିରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି ଟ୍ରମ୍ପ। କ୍ୟାପିଟଲ ହିଲ୍ ହିଂସାକୁ ନିନ୍ଦା କରିବା ସହ ହିଂସାକାଣ୍ଡରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି। ତେବେ ତାଙ୍କ ବିରୁଦ୍ଧରେ ଗୃହିତ ମହାଭିଯୋଗ ପ୍ରସ୍ତାବ ସଂପର୍କରେ ଟ୍ରମ୍ପ କିଛି କହିନାହାନ୍ତି।

You might also like