ତୃତୀୟ ଲହର ସହ ଲଢ଼ିବାକୁ ମଧ୍ୟପ୍ରଦେଶର ପ୍ରସ୍ତୁତି, ଅମ୍ଳଜାନ ଶଯ୍ୟା ବୃଦ୍ଧି ପାଇଁ ଏବେଠୁ ଯୋଜନା

ଭୋପାଳ: ମଧ୍ୟପ୍ରଦେଶରେ, କରୋନାର ଦ୍ୱିତୀୟ ଲହର କ୍ରମାଗତ ଭାବରେ ନିୟନ୍ତ୍ରଣ ବାହାରେ ରହିଥିବା ବେଳେ ଏବେ ତୃତୀୟ ଲହର ସାଙ୍ଗେ ଲଢ଼େଇ ପାଇଁ ରାଜ୍ୟ ପ୍ରସ୍ତୁତ ହେଲାଣି । ତୃତୀୟ ଲହର ସହ ଲଢ଼େଇ ପାଇଁ ଭୋପାଳର ପାଞ୍ଚଟି ବଡ ମେଡିକାଲ କଲେଜରେ ଅମ୍ଳଜାନ ଏବଂ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଉଛି । ଅମ୍ଳଜାନ ଏବଂ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ସହିତ ମେଡିକାଲ କଲେଜଗୁଡ଼ିକ ନିଜସ୍ୱ ଅମ୍ଳଜାନ ଉତ୍ପାଦନ କାରଖାନା ଏବଂ ଷ୍ଟୋରେଜ୍ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ସୂଚନା ଅନୁଯାୟୀ, କରୋନାର ତୃତୀୟ ଲହର ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ତାଙ୍କ କହିବାନୁସାରେ, କରୋନାର ତୃତୀୟ ଲହର ଦ୍ୱିତୀୟ ଲହର ଅପେକ୍ଷା ଅଧିକ ଭୟଙ୍କର ହୋଇପାରେ । ଏହି ଚେତାବନୀ ପରେ ଭୋପାଳର ହାମିଦିଆ ହସ୍ପିଟାଲ, ଚିରାୟୁ ହସ୍ପିଟାଲ, RKDF ମେଡିକାଲ କଲେଜ, LN ମେଡିକାଲ କଲେଜ ଏବଂ ପିପୁଲ୍ସ ମେଡିକାଲ କଲେଜରେ ୧୮୮୫ ଅମ୍ଳଜାନ ଶଯ୍ୟା ବୃଦ୍ଧି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଡାକ୍ତରଖାନାରେ ବଢ଼ିବ ବେଡ୍‌ ସଂଖ୍ୟା

ସୂଚନାଯୋଗ୍ୟ, ହାମିଦିଆ ହସ୍ପିଟାଲରେ ଏବେ ୬୮୦ଟି ବେଡ୍‌ ରହିଛି । ଏଠାରେ ଆଉ ୨୧୦ଟି ବେଡ୍‌ ବୃଦ୍ଧି କରାଯିବ । ଆରକେଡିଏଫ ମେଡିକାଲ କଲେଜରେ ୨୨୫ ବେଡ୍‌ ରହିଥିବା ବେଳେ ଏଠାରେ ଆଉ ୫୨୫ ବେଡ୍‌ ବୃଦ୍ଧି କରାଯିବ । ସେହିଭଳି ଏଲଏନ ମେଡିକାଲ କଲେଜରେ ୭୦୦ ଶଯ୍ୟା ରହିଥିବା ବେଳେ ଏଠାରେ ଆଉ ୩୫୦ ଶଯ୍ୟା ବୃଦ୍ଧି କରାଯିବ । ପିପୁଲ୍ସ ମେଡିକାଲରେ ୩୦୦ ଶଯ୍ୟା ରହିଥିବା ବେଳେ ଏଠାରେ ନୂଆ ୪୫୦ ଶଯ୍ୟା ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଛି । ଚିରାୟୁରେ ୯୫୦ ଶଯ୍ୟା ରହିଥିବା ବେଳେ ଏଠାରେ ନୂଆ ୩୫୦ ଶଯ୍ୟା ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଛି ।

ଶେଷ ବର୍ଷ ଛାତ୍ରଛାତ୍ରୀମାନେ ତାଲିମ ନେବେ

କରୋନାର ତୃତୀୟ ଲହର ସହ ଲଢ଼େଇ ପାଇଁ ମେଡିକାଲ୍, ଡେଣ୍ଟାଲ୍ ଏବଂ ନର୍ସିଂର ତୃତୀୟ ବର୍ଷ ତଥା ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଟ୍ରେନିଂ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯିବା ପରେ, ଟ୍ରେନିଂ ମଡ୍ୟୁଲ ଅନୁଯାୟୀ କୋଭିଡ ୱାର୍ଡରେ ସେମାନଙ୍କୁ ଦାୟିତ୍ୱ ଦିଆଯିବ ।

ପ୍ରତି ସପ୍ତାହରେ ପ୍ରସ୍ତୁତିର ହେବ ସମୀକ୍ଷା

କରୋନାର ତୃତୀୟ ଲହର ସହ ମୁକାବିଲା କରିବା ପାଇଁ ପ୍ରତ୍ୟେକ ସ୍ତରରେ ପ୍ରସ୍ତୁତି ଚାଲିଛି । ଚିକିତ୍ସା ଓ ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗଙ୍କ କହିବାନୁଯାୟୀ, ଡାକ୍ତରଖାନାଗୁଡ଼ିକୁ କରୋନା ରୋଗୀଙ୍କ ପାଇଁ ବେଡ୍‌ ସଂଖ୍ୟା ବଢ଼ାଇବାରେ ଯେଭଳି କୌଣସି ସମସ୍ୟା ନହୁଏ, ସେଥିପାଇଁ ଆଗୁଆ ପ୍ରସ୍ତୁତି ଚାଲିଛି । ପ୍ରତି ସପ୍ତାହରେ ଏହି ପ୍ରସ୍ତୁତିକୁ ନେଇ ସମୀକ୍ଷା କରାଯିବ । ସହରର ବଡ଼ ବଡ଼ ମେଡିକାଲ କଲେଜ ସହିତ ଛୋଟ ଡାକ୍ତରଖାନା ଗୁଡ଼ିକର ପ୍ରସ୍ତୁତି ଉପରେ ମଧ୍ୟ ସମୀକ୍ଷା କରାଯିବ ।

You might also like