ଟାଇମ୍ ମାଗାଜିନର ୧୦୦ ଉଦୀୟମାନ ନେତାଙ୍କ ତାଲିକାରେ ସ୍ଥାନ ପାଇଲେ ଆଜାଦ ଓ ୫ ଭାରତୀୟ ବଂଶୋଦ୍ଭବ
ନୂଆଦିଲ୍ଲୀ: ଆମେରିକାର ପ୍ରତିଷ୍ଠିତ ଟାଇମ ମାଗାଜିନ୍ର ୧୦୦ ଉଦୀୟମାନ ରାଜନେତାଙ୍କ ତାଲିକା ପ୍ରକାଶ କରିଛି ଯେଉଁମାନେ ଭବିଷ୍ୟତରେ ରାଜନୀତିକୁ ପ୍ରଭାବିତ କରିପାରିବେ। ଏହି ତାଲିକାରେ ୫ ଭାରତୀୟ ଯୁବ ନେତାଙ୍କ ନାଁ ସାମିଲ ରହିଛି। ବୁଧବାର ମାଗିଜିନ୍ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି। ମାଗାଜିନ୍ର ଶ୍ରେଷ୍ଠ ୧୦୦ ଇମର୍ଜିଂ ନେତା ତାଲିକାରେ ଭୀମ ଆର୍ମି ମୁଖ୍ୟ ଭାରତର, ଟପ୍ ଆଇନଜୀବୀ ବିଜୟା ଗାଡ୍ଡେ, ବ୍ରିଟେନର ଅର୍ଥମନ୍ତ୍ରୀ ରିଷି ସୁନକଙ୍କ ସହ ୫ ଭାରତୀୟ ବଂଶୋଦ୍ଭବ ରହିଛନ୍ତି।
ଟାଇମ୍ ମାଗାଜିନର ୧୦୦ ଇମର୍ଜିଂ ନେତା ତାଲିକାରେ ଥିବା ଭାରତୀୟ ବଂଶୋଦ୍ଭବମାନେ ହେଲେ ବଡ଼ ଆଇନ୍ଜୀବୀ ବିଜୟା ଗାଡ୍ଡେ, ବ୍ରିଟେନ୍ ଅର୍ଥମନ୍ତ୍ରୀ ରିଷି ସୁନକ, ଇନ୍ଷ୍ଟାକାର୍ଟ ଫାଉଣ୍ଡର ଏବଂ ସିଇଓ ଅପୂର୍ବା ମେହଟା, ଡାକ୍ତର ଓ ଗେଟ୍ ଅସ୍ ପିପିଇ(ପର୍ସନଲ ପ୍ରୋଟେକ୍ଟିଭ୍ ଇକ୍ୟୁପ୍ମେଣ୍ଟ) କାର୍ଯ୍ୟକାରୀ ନିର୍ଦ୍ଦେଶକ ଶିଖା ଗୁପ୍ତା ଓ ନନ୍ପ୍ରଫିଟ୍ ୱେବ୍ ଆପ୍ଲିକେସନ୍ ଅପସଲ୍ଭର ରୋହନ ପଭଲୁରୀ।
ବୁଧବାର ଟାଇମ୍ ମେଗାଜିନ୍ର ପ୍ରକାଶ ପାଇଥିବା ‘ଦି ୨୦୨୧ ଟାଇମ ୧୦୦ ନେକ୍ସଟ’ରେ ବିଶ୍ୱର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୧୦୦ ଜଣ ପ୍ରଖ୍ୟାତ ଲୋକଙ୍କୁ ଟାଇମ ଏହି ଇମର୍ଜିଂ ନେତା ତାଲିକାରେ ସ୍ଥାନ ଦେଇଛି। ମାଗାଜିନ୍ରେ ସ୍ଥାନିତ ସମସ୍ତ ବ୍ୟକ୍ତି ଇତିହାସ ସୃଷ୍ଟି କରିବେ ବୋଲି ଟାଇମ ୧୦୦ର ସମ୍ପାଦକ ଡାନ ମ୍ୟାକସାଇ କହିଛନ୍ତି।
ଭୀମ ଆର୍ମୀର ପ୍ରତିଷ୍ଠାତା ଚନ୍ଦ୍ର ଶେଖର ଆଜାଦ(୩୪)ଙ୍କର ଅନେକ ପ୍ରଶଂସା ମୂଳକ କାର୍ଯ୍ୟକୁ ସ୍ଥାନ ଦେଇଛି ଟାଇମ୍ ମାଗାଜିନ୍। ଆଜାଦଙ୍କର ଦଳିତ ପିଲାଙ୍କ ପାଇଁ ଏକ ସ୍କୁଲ୍ ଖୋଲିଛନ୍ତି। ଶିକ୍ଷା ମାଧ୍ୟମରେ ସେମାନେ କେମିତି ଦରିଦ୍ରତାରୁ ମୁକ୍ତି ପାଇପାରିବେ ଓ ଜାତିଭିତ୍ତିକ ଭେଦଭାବ ପାଇଁ ସ୍ୱର ଉତ୍ତୋଳନ କରିପାରିବେ ସେନେଇ ଟ୍ରେନିଂ ଦେବ। ତା ସହିତ ଦୁଷ୍କର୍ମର ଶିକାର ହୋଇଥିବା ହାଥରସର ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ଆଜାଦ ଅଭିଯାନ ଚଳାଇ ଥିବା କଥା ମାଗାଜିନ୍ରେ ଲେଖାଯାଇଛି।ସେହିଭଳି ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କ ପ୍ରୋଫାଇଲ୍ରେ ବି ତାଙ୍କର ପ୍ରତିଭା ସମ୍ପର୍କରେ ବର୍ଣ୍ଣନା କରିଛି ଟାଇମ୍।
କିଛି ବର୍ଷ ପୂର୍ବେ ୪୦ ବର୍ଷୀୟ ରିଷି ସୁନକ ବ୍ରିଟିଶ ସରକାରରେ ଜଣେ ଅଜଣା ଛୋଟ ନେତା ଭାବେ ପରିଚିତ ଥିଲେ। କିନ୍ତୁ ସେ ବ୍ରିଟେନ୍ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଖୁବ୍ ହଠାତ୍ ଖୁବ୍ ପରିଚିତ ହୋଇଗଲେ। କୋଭିଡ୍-୧୯ରେ ଚାକିରି ହରାଇଥିବା ଅନେକ ନାଗରିକଙ୍କ ପାଇଁ ବଡ଼ ଅର୍ଥରାଶି ଅନୁମୋଦନ କରିଥିଲେ ରିଷି। ଏସବୁ ସତ୍ତ୍ୱେ ସୁନକ ବ୍ରିଟେନ୍ର ସର୍ବାଧିକ ଲୋକପ୍ରିୟ ନେତା ଭାବେ ପରିଚିତ। ରିଷି ବ୍ରିଟେନ୍ର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ମାଗାଜିନ୍ ଲେଖିଛି।
ସେହିପରି ଅନ୍ୟ ନେତାମାନଙ୍କ ବିଷୟରେ ବି ତାଙ୍କର ଉନ୍ନତୀମୂଳକ କାର୍ଯ୍ୟ ଓ ଦୂରଦୃଷ୍ଟି ସମ୍ପର୍କରେ ମଗାଜିନ୍ରେ ଲେଖାଯାଇଛି। ଏହି ନେତାମାନେ ଏବେଠାରୁ କିଛି ଇତିହାସ ସୃଷ୍ଟି କଲେଣି। ସେମାନଙ୍କ କାର୍ଯ୍ୟ ଶୈଳୀ ଓ ଦକ୍ଷତାକୁ ଦୃଷ୍ଟିରେ ରଖି ଏମାନଙ୍କୁ ଟପ୍ ୧୦୦ ନେତାଙ୍କ ମଧ୍ୟରେ ସ୍ଥାନ ଦିଆଯାଇଛି ବୋଲି ଟାଇମ ୧୦୦ର ସମ୍ପାଦକ ଡାନ ମ୍ୟାକସାଇ କହିଛନ୍ତି।