ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ପାଟନା: ବିହାର ବିଧାନସଭା ନିର୍ବାଚନରେ ଅନେକ ଆସନରେ ଧନ ଓ ବାହୁବଳର ଲଢ଼େଇ ଚାଲିଥିବା ବେଳେ, ଏମିତି ଅନେକ ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କ ପାଖରେ ନିର୍ବାଚନ ଲଢ଼ିବା ପାଇଁ କିଛି ନାହିଁ। ନା ଅଛି ସେମାନଙ୍କ ପାଖରେ ଧନ ନା ବାହୁବଳ। ହେଲେ ସେମାନେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି।

ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଲଖିସରାଇ ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଭରତ ମହତୋଙ୍କ ନିକଟରେ। ନା ତାଙ୍କ ପାଖରେ ଅଛି ମୋବାଇଲ୍‌ ନା ପିନ୍ଧିବା ପାଇଁ ହଳେ ଚପଲ। ତଥାପି ସେ ଅନ୍ୟ ପ୍ରାର୍ଥୀଙ୍କ ଭଳି ନିର୍ବାଚନ ମୈଦାନକୁ ଓହ୍ଲାଇ ନିର୍ବାଚନ ପ୍ରଚାର କରୁଛନ୍ତି।

ସୂଚନା ଅନୁସାରେ, ଭରତଙ୍କ ଘରେ ଏକ ଛୋଟ ମୋବାଇଲ୍‌ଟିଏ ଅଛି। ବାହାରେ ଶ୍ରମିକ ଭାବେ କାମ କରୁଥିବା ତାଙ୍କ ପୁଅ ଏହି ମୋବାଇଲ୍‌ରେ ଫୋନ୍‌ କରି ଘର ଲୋକଙ୍କ ସମ୍ପର୍କରେ ପଚାରି ବୁଝିଥାନ୍ତି। ହେଲେ ତାଙ୍କ ନିଜ ପାଖରେ କୌଣସି ମୋବାଇଲ୍‌ ଫୋନ୍‌ ନ ଥିବା ଜଣାପଡ଼ିଛି। ପ୍ରାର୍ଥୀପତ୍ର ଦାଖଲ ସମୟରେ ସେ ତାଙ୍କ ସଢ଼ୁଙ୍କ ଫୋନ୍‌ ନମ୍ବର ଦେଇଥିବା ଜଣାପଡ଼ିଛି।

ଝିଅର ବିବାହ ପାଇଁ କରିଥିବା ଋଣକୁ ସେ ଆଜି ପର୍ଯ୍ୟନ୍ତ ଶୁଝୁଛନ୍ତି। ତାଙ୍କର ଦୁଇ ପୁଅ ବାହରେ ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣାପଡ଼ିଛି।

୭୨ ବର୍ଷୀୟ ଭରତ ପଞ୍ଚାୟତ ସ୍ତରରେ ଅନେକ ନିର୍ବାଚନ ଲଢ଼ି ସାରିଛନ୍ତି। ହେଲେ ଏସବୁ ନିର୍ବାଚନରେ ସେ ହାରି ଯାଇଛନ୍ତି। ପ୍ରଥମଥର ପାଇଁ ସେ ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ୁଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଭରତ କହିଛନ୍ତି, ବର୍ତ୍ତମାନ ସେ କେତୋଟି ନିର୍ବାଚନ ଲଢ଼ିଛନ୍ତି ତାଙ୍କର ମନେ ନାହିଁ। ଏପରିକି ଏହାର ହିସାବ ରଖିବାକୁ ମଧ୍ୟ ସେ କେବେ ଚେଷ୍ଟା ମଧ୍ୟ କରି ନାହାନ୍ତି। କେବଳ ଏତିକି ମନେ ଅଛି ୱାର୍ଡ, ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଇତ୍ୟାଦି ନିର୍ବାଚନ ଲଢ଼ିଛନ୍ତି, ହେଲେ ସବୁଥିରେ ସେ ହାରି ଯାଇଛନ୍ତି।

ଲଖୀସରାଇ ଆସନ ପାଇଁ ଭରତଙ୍କ ସମେତ ୨୦ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ଜଣଙ୍କର ନାମାଙ୍କନ ପତ୍ର ଖାରଜ ହୋଇଯାଇଥିଲା। ଏବେ ୧୯ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି।

You might also like