ପୂର୍ଣ୍ଣାଙ୍ଗ ରୂପ ନେଲା କୋଭାକ୍ସିନ୍; ହଟିଲା ‘ ହ୍ୟୁମାନ ଟ୍ରାଏଲ ମୋଡ଼୍‌’ ଲେବ୍‌ଲ

ନୂଆଦିଲ୍ଲୀ: ଭାରତର ନିଜସ୍ୱ କରୋନା ଟିକା-କୋଭାକ୍ସିନ୍ ଏବେ ପୂର୍ଣ୍ଣାଙ୍ଗ ରୂପ ନେଇଛି । କୋଭାକ୍ସିନକୁ ଏବେ ମାନବୀୟ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ବୋଲି କୁହାଯାଇ ପାରିବ ନାହିଁ । ଏହାଫଳରେ କୋଭାକ୍ସିନ ଟିକା ନେବା ପୂର୍ବରୁ ଆଉ ସ୍ୱୀକୃତୀ ପତ୍ର ଦସ୍ତଖତ କରି ଦେବାକୁ ପଡ଼ିବ ନାହିଁ । ଏନେଇ କୋଭାକ୍ସିନକୁ ନୀରିକ୍ଷଣ କରୁଥିବା ବିଶେଷଜ୍ଞ କମିଟି ଡିସିଜିଆଇକୁ ସୁପାରିସ କରିଛି।

ବିସ୍ତୃତ ପର୍ଯ୍ୟବେକ୍ଷଣ ପରେ କୋଭାକ୍ସିନକୁ ଟ୍ରାଏଲ ମୋଡ଼୍‌ରୁ ହଟେଇବା ଲାଗି ବିଶେଷଜ୍ଞ କମିଟି ସୁପାରିସ କରିଛି । ତେବେ ପୂର୍ବଭଳି ଏହାକୁ ଜରୁରୀ ପରିସ୍ଥିତିରେ ହିଁ ବ୍ୟବହାର କରିବାକୁ ଡିସିଜିଆଇ ପକ୍ଷରୁ ଭାରତ ବାୟୋଟେକ୍‌କୁ କୁହାଯାଇଛି । ଅନ୍ୟପକ୍ଷରେ ପାରମ୍ପରିକ ପଦ୍ଧତିରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି ରହିବ ବୋଲି ଡିସିଜିଆଇ କହିଛି।

ଭାରତ ସରକାରଙ୍କ ଏନ୍‌ଆଇଭି, ଆଇସିଏମଆର୍ ଓ ଭାରତ ବାୟୋଟେକ୍ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କୋଭାକ୍ସିନର ସଫଳତା ହାର ୮୧ ପ୍ରତିଶତ ସଫଳ ହୋଇଥିବା ଜଣାପଡ଼ିଛି । ଏହାସହ ବ୍ରିଟେନ ଷ୍ଟ୍ରେନର ମୁକାବିଲା କରିବାରେ ସଫଳ ହୋଇଥିବା କୁହାଯାଇଛି।

ସୂଚନା ଥାଉ କି, ICMR ଓ ଭାରତ ବାୟୋଟେକ୍ ପକ୍ଷରୁ ବିକଶିତ କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣର ଅନ୍ତରୀଣ ଫଳାଫଳସାମ୍ନାକୁ ଆସିଥିଲା। ଏହା ସମସ୍ତ ପ୍ରକାର ଡୋଜ୍ ଗ୍ରୁପରେ ଶରୀରରେ ପ୍ରତିରୋଧକ ଶକ୍ତି ବଢାଉଥିବା ଏଥିରେ ଦାବି କରାଯାଇଛି। ଏଥିସହ କୌଣସି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ସୃଷ୍ଟି କରୁନାହିଁ ବୋଲି ମଧ୍ୟ କୁହାଯାଉଥିଲା।

ସେପଟେ କରୋନା ଭୂତାଣୁର ଉତ୍ସ ଖୋଜିବାକୁ ଜାନୁଆରୀରେ ଚୀନ୍ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍ଓ ଟିମ୍। ଏନେଇ ଡବ୍ଲୁଏଚ୍ଓ ପକ୍ଷରୁ ଘୋଷଣା ବି କରାଯାଇଛି। ଡବ୍ଲୁଏଚ୍ଓ ମୁଖପାତ୍ର ହେଡିନ୍ ହାଲ୍ଡର୍ସନ୍ ଏନେଇ ସୂଚନା ଦେଇଛନ୍ତି। ଏହି ଟିମରେ ଏପିଡୋମିଓଲୋଜିଷ୍ଟ୍ ଓ ଆନିମଲ୍ ହେଲ୍ଥ ସ୍ପେଶାଲିଷ୍ଟ ରହିବେ। ବିଶ୍ୱ ମହାମାରୀରେ ପରିଣତ ହୋଇଥିବା କରୋନା ସଂକ୍ରମଣ ଗତବର୍ଷ ଡିସେମ୍ବରରେ ପ୍ରଥମେ ଚୀନର ଉହାନ ସ୍ଥିତ ମାଂସ ମାର୍କେଟରୁ ବ୍ୟାପିବା ଆରମ୍ଭ ହୋଇଥିଲା।

You might also like