ପିଲାଙ୍କ ପାଇଁ ଭାକ୍ସିନ ପରୀକ୍ଷଣ ଜୁନ୍‌ରୁ; ଖୁବ ଶୀଘ୍ର WHO ଦେବ ମଞ୍ଜୁରୀ

ନୂଆଦିଲ୍ଲୀ: କରୋନା ଦ୍ଵିତୀୟ ଲହରର ପ୍ରକୋପ ଏ ପର୍ଯ୍ୟନ୍ତ ଦେଶରୁ କମିିନି, ଏପଟେ ତୃତୀୟ ଲହରର ଭୟ ମାଡ଼ି ଆସିଲାଣି । ତୃତୀୟ ଲହରକୁ ନେଇ ଡରିବାର ଅନେକ କାରଣ ବି ରହିଛି । କାରଣ ଆକଳନ ଅନୁସାରେ ତୃତୀୟ ଲହର ପିଲାମାନଙ୍କୁ ବେଶି ପ୍ରଭାବିତ କରିବ । ହେଲେ ପିଲାମାନଙ୍କ ପାଇଁ ଏ ପର୍ଯ୍ୟନ୍ତ ଭାକ୍ସିନ ଆସିନି । ତେଣୁ ତୃତୀୟ ଲହରର ମୁକାବିଲା ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପିଲାମାନଙ୍କୁ ଭାକ୍ସିନ ଦେବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଭାରତ ବାୟୋଟେକ୍‌ ଜୁନରୁ ପିଲାମାନଙ୍କ ପାଖରେ କୋଭିଡ ଟିକା ପରୀକ୍ଷଣ ଆରମ୍ଭ କରିପାରେ । କମ୍ପାନୀର ବିଜିନେସ ଡେଭଲପମେଣ୍ଟ ଆଣ୍ଡ ଇଣ୍ଟରନାଶନାଲ ଆଡ୍‌ଭୋକେସି ମୁଖ୍ୟ ରାଚେସ ଏଲା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ (WHO) ଖୁବ୍‌ ଶିଘ୍ର ଏହାକୁ ଅନୁମୋଦନ କରିବ ।

ଭାରତ ବାୟୋଟେକର କେତେଜଣ ବରିଷ୍ଠ ସଦସ୍ୟଙ୍କ କହିବା ଅନୁଯାୟୀ, ଆମ ପରିଶ୍ରମ ଏବେ ଶେଷ ପର୍ଯ୍ୟାୟରେ । ଆମ ଟିମ୍‌ ପକ୍ଷରୁ ପ୍ରସ୍ତୁତ ଟିକା ଖୁବ୍‌ ଭଲ କାମ କରୁଛି । ଟିକା ଯୋଗୁ ଲୋକଙ୍କ ଜୀବନ ବଞ୍ଚି ଯାଉଛି, ଏଥିପାଇଁ ଆମେ ବହୁତ ଖୁସି । ବର୍ଷ ଶେଷ ସୁଦ୍ଧା ଉତ୍ପାଦନ କ୍ଷମତା ୭୦ କୋଟି ଡୋଜକୁ ବଢାଇ ପାରିବୁ ବୋଲି ଆମର ଆଶା ।
ଡା.ରଚେଶ ଏଲା କହିଛନ୍ତି, କରୋନା ମହାମାରୀ ସମୟରେ ସରକାରଙ୍କ ପକ୍ଷରୁ ଯେପରି ଭାବେ ଆମ ଟିମକୁ ସମର୍ଥନ ମିଳିଛି ସେଥିରେ ଆମେ ବହୁତ ଖୁସି । ସରକାରଙ୍କ ସମର୍ଥନ ଓ ସହାୟତା ଯୋଗୁ ଏହି ସ୍ଥାନରେ ପହଞ୍ଚିବାରେ ଆମେ ସଫଳ ହୋଇଛୁ । କରୋନା ଭାକ୍ସିନ ଭାରତ ବାୟୋଟେକ ଏବଂ ଓଉଗଜ ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି । ସରକାର ୧୫୦୦ କୋଟି ଟଙ୍କାର ଭାକ୍ସିନ ଡୋଜ କିଣିବା ପାଇଁ ଅର୍ଡର ଦେଇଛନ୍ତି । ଖୁବ ଶୀଘ୍ର ଆମେ ବେଙ୍ଗାଲୁର ଏବଂ ଗୁଜୁରାଟରେ ଆମର ୟୁନିଟ ଖୋଲିବୁ ।

ସୂଚନା ଥାଉ କି, ଭାରତ ବାୟୋଟେକ କମ୍ପାନୀ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରିଥିବା ନାଜାଲ ଭାକ୍ସିନ ପରୀକ୍ଷା ଆରମ୍ଭ କରି ଦେଇଛି । ଏହି ଭାକ୍ସିନ ଡୋଜ୍‌ ନାକରେ ଦିଆଯିବ ଯାହା କରୋନା ଭୂତାଣୁକୁ ମାରିବା ପାଇଁ ସକ୍ଷମ ହୋଇପାରିବ । କମ୍ପାନୀର କହିବା ଅନୁଯାୟୀ, ନାଜାଲ ସ୍ପ୍ରେର କେବଳ ୪ ବୁନ୍ଦା ଆବଶ୍ୟକ । ନାକର ଦୁଇ ରନ୍ଧ୍ରରେ ଦୁଇ ଟୋପା ଲେଖାଏ ଦିଆଯିବ ।
କ୍ଲିନିକାଲ ଟ୍ରାଏଲ ରେଜିଷ୍ଟ୍ରି ଅନୁସାରେ, ୧୭୫ ଜଣଙ୍କୁ ଏହି ନାଜାଲ ଭାକ୍ସିନ ଦିଆଯାଇଛି । ଏହାକୁ ତିନୋଟି ଗ୍ରୁପ୍‌ରେ ବାଣ୍ଟି ଦିଆଯାଇଛି । ୧ମ ଓ ୨ୟ ଗ୍ରୁପ୍ରେ ୭୦ ଜଣ ଭଲେଣ୍ଟିୟରଙ୍କୁ ରଖାଯାଇଛି ଏବଂ ତୃତୀୟ ଗ୍ରୁପ୍‌ରେ ୩୫ ଜଣ ଭଲେଣ୍ଟିୟର ରଖାଯାଇଛି । ଟ୍ରାଏଲର ଫଳାଫଳ ଆସିବାକୁ ବାକି ରହିଛି ।

You might also like