ଆଉ ଅଭାବ ରହିବନି କୋଭାକ୍ସିନ୍‌, ୧୪ଟି ରାଜ୍ୟକୁ ସିଧାସଳଖ ଯୋଗାଣ କରୁଛି ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଇଲାଙ୍କ ଅନୁଯାୟୀ, କମ୍ପାନୀ ମେ’ ୧ ତାରିଖରୁ ଦିଲ୍ଲୀ ଏବଂ ମହାରାଷ୍ଟ୍ର ସମେତ ୧୪ଟି ରାଜ୍ୟକୁ କୋଭିଡ-୧୯ ଟିକା ‘କୋଭାକ୍ସିନ୍‌’ ସିଧାସଳଖ ଯୋଗାଣ ଆରମ୍ଭ କରିଛି । ହାଇଦ୍ରାବାଦସ୍ଥିତ ଏହି କମ୍ପାନୀ କେନ୍ଦ୍ର ସରକାର ଦ୍ୱାରା କରାଯାଇଥିବା ଆବଣ୍ଟନ ଅନୁଯାୟୀ କୋଭିଡ-୧୯ ଟିକା ଯୋଗାଇବା ଆରମ୍ଭ କରିଛି ।

ଇଲା ଟ୍ୱିଟ୍ କରି କହିଛନ୍ତି, ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ଆବଣ୍ଟନ ଆଧାରରେ ୧ ମେ’ ୨୦୨୧ରୁ ଏହି ରାଜ୍ୟ ସରକାରଙ୍କୁ ସିଧାସଳଖ କୋଭାକ୍ସିନ୍‌ ଯୋଗାଣ ଆରମ୍ଭ କରାଯାଇଛି । ଅନ୍ୟ ରାଜ୍ୟରୁ ମଧ୍ୟ ଅନୁରୋଧ ଗ୍ରହଣ କରାଯାଇଛି, ଆମେ ଷ୍ଟକ୍‌ ପରିମାଣକୁ ଆଖି ଆଗରେ ରଖି ରାଜ୍ୟମାନଙ୍କୁ ଟିକା ବଣ୍ଟନ କରିବୁ । କମ୍ପାନୀ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଗୁଜୁରାଟ, ଜାମ୍ମୁ କାଶ୍ମୀର, ଝାରଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଟିକା ଯୋଗାଉଛି ।

କୋଭାକ୍ସିନ୍‌ ଉତ୍ପାଦନ ବୃଦ୍ଧି କରାଯାଉଛି

ମେ-ଜୁନ୍ ମାସରେ ସ୍ୱଦେଶୀ ଟିକା କୋଭାକ୍ସିନ୍‌ର ଉତ୍ପାଦନ ଦ୍ୱିଗୁଣିତ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଉତ୍ପାଦନକୁ ଦ୍ରୁତ ଗତିରେ ବୃଦ୍ଧି କରାଯାଉଛି । ସେପ୍ଟେମ୍ବର ସୁଦ୍ଧା ପ୍ରତି ମାସରେ ୧୦ ହଜାର କୋଟି ଡୋଜ୍‌ ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଆତ୍ମନିର୍ଭର ଭାରତ ମିଶନ ୩.୦କୁ ଦୃଷ୍ଟିରେ ରଖି ସ୍ୱଦେଶୀ ଟିକାକୁ ଅଧିକ ପ୍ରୋତ୍ସାହିତ କରାଯିବ ।

ଏହି ମିଶନ ଅଧୀନରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଟିକା ଉତ୍ପାଦନ ପାଇଁ ପାଣ୍ଠି ଯୋଗାଉଛି । ବର୍ତ୍ତମାନ ପ୍ରତି ମାସରେ ସ୍ୱଦେଶୀ ଟିକା କୋଭାକ୍ସିନ୍‌ର ଏକ କୋଟି ଡୋଜ ଉତ୍ପାଦନ କରାଯାଉଛି । ଖୁବ୍‌ଶୀଘ୍ର ଏହା ଦ୍ୱିଗୁଣିତ ହେବ ଏବଂ ତା’ପରେ ଜୁଲାଇ-ଅଗଷ୍ଟ ସୁଦ୍ଧା ଏହାକୁ ୬-୭ ଗୁଣା ବୃଦ୍ଧି କରାଯିବ । ତେବେ ସେପ୍ଟେମ୍ବର ୨୦୨୧ ସୁଦ୍ଧା ପ୍ରତି ମାସରେ ୧୦ ହଜାର କୋଟି ଡୋଜ ଉତ୍ପାଦନ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି ।

You might also like