ଆସନ୍ତାକାଲି ଭାରତ ବନ୍ଦ, ଗଡ଼ିବନି ଚକ

ନୂଆଦିଲ୍ଲୀ/କଟକ: ଫେବୃଆରୀ ୨୬ ଅର୍ଥାତ୍‌ ଆସନ୍ତାକାଲି The Confederation of All India Traders(CAIT) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। Goods and Services Tax (GST) ଆଇନ୍‌କୁ ବିରୋଧ, ତୈଳ ଦର ବୃଦ୍ଧି, ଇ-ୱେ ବିଲ୍‌ ସମେତ ଅନ୍ୟ ପ୍ରସଙ୍ଗକୁ ନେଇ CAIT ପକ୍ଷରୁ ଆସନ୍ତାକାଲି ବନ୍ଦ ପାଳନ ହେବ। କାଲି ‘ଚକା ଜାମ୍‌’ ସହ ରାସ୍ତା ଅବରୋଧ ମଧ୍ୟ କରାଯିବ। ଦେଶବ୍ୟାପୀ ଏହି ବ୍ୟବସାୟ ବନ୍ଦ ଡାକରାରେ ପାଖାପାଖି ୪୦ ହଜାର ବ୍ୟବସାୟିକ ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ଜଣାପଡ଼ିଛି।

The All India Transporters Welfare Association (AITWA) ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛି। ତୈଳ ଦର ବୃଦ୍ଧି ଓ ନୂଆ E-Way ବିଲ୍‌ ଉଚ୍ଛେଦକୁ ନେଇ ସମସ୍ତ ରାଜ୍ୟ ସ୍ତରୀୟ ପରିବହନ ସଂଗଠନ ଗୁଡ଼ିକ AITWAକୁ ସମର୍ଥନ ଜଣାଇଛନ୍ତି। ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ଗୋଟିଏ ଦିନ ପାଇଁ ସମସ୍ତ E-Way ବିଲ୍‌ ଆଧାରିତ ସାମଗ୍ରୀର ବୁକିଂ ଓ କାରବାରକୁ ପ୍ରତ୍ୟାଖାନ କରିବା।

ଆନ୍ଦୋଳନକୁ ସମର୍ଥନ ଜଣାଇବା ଲାଗି ସମସ୍ତ ପରିବହନ କମ୍ପାନୀ ଗୁଡ଼ିକୁ ସେମାନଙ୍କର ଗାଡ଼ିକୁ ସକାଳ ୬ଟାରୁ ରାତି ୮ଟା ଯାଏ ପାର୍କିଂ କରିବା ଲାଗି କୁହାଯାଇଛି। ଏହାସହ ସମସ୍ତ ପରିବହନ ଗୋଦାମ ଗୁଡ଼ିକରେ ଆନ୍ଦୋଳନର ବ୍ୟାନର ଲଗାଯିବା ପାଇଁ କୁହାଯାଇଥିବା AITWAର ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି।

ଅନ୍ୟପକ୍ଷରେ, ଏହି ବନ୍ଦକୁ କଟକ ନଗର ବ୍ୟବସାୟୀ ମହାସଂଘର ସମର୍ଥନ ଜଣାଇଛି। କଟକ ମାଲଗୋଦାମ ବଣିକ ସଂଘ କାର୍ଯ୍ୟାଳୟରେ ଏନେଇ ବୈଠକ ହୋଇଥିଲା। ବୈଠକରେ ଆସନ୍ତାକାଲି ଦେଶବ୍ୟାପୀ ବ୍ୟବସାୟ ବନ୍ଦ ଡାକରାକୁ ସମର୍ଥନ କରିବାକୁ ମହାସଂଘ ନିଷ୍ପତ୍ତି ନେଇଛି। ଜିଏସ୍‌ଟି ଜଟିଳତା ଦ୍ୱାରା ବ୍ୟବସାୟୀମାନେ ଆର୍ଥିକ ଓ ମାନସିକ ସ୍ତରରେ ଅତିଷ୍ଠ ହୋଇସାରିଲେଣି। ତା’ଛଡ଼ା ଜିଏସ୍‌ଟି ଯୋଗୁ ଇନ୍ସପେକ୍ଟର ରାଜ୍‌ ପ୍ରଚଳନ ଫଳରେ ବ୍ୟବସାୟ କରିବା ମୁସ୍କିଲ ହୋଇ ପଡ଼ିଲାଣି ବୋଲି ମହାସଂଘ କହିଛି।

ଜିଏସ୍‌ଟି ଆଇନ୍‌କୁ ବିରୋଧ କରି ଏହି ବନ୍ଦକୁ ସଫଳ କରିବା ଲାଗି କଟକ ସହରର ସମସ୍ତ ଚା’ ଦୋକାନୀଙ୍କଠୁ ଆରମ୍ଭ କରି ମଲ୍‌ ପର୍ଯ୍ୟନ୍ତ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି।

-ପ୍ରଶାନ୍ତ ପାତ୍ର, ଯୁଗ୍ମ ସଂପାଦକ, କଟକ ବଣିକ ସଂଘ

You might also like