ଅଖ-ଚକ ବନ୍ଦ ସମର୍ଥନରେ ଦେଶର ୯ ବିରୋଧୀ ଦଳ

ନୂଆଦିଲ୍ଲୀ: ଆସନ୍ତା ୮ ତାରିଖରେ ଚାଷୀ ଭାରତ ବନ୍ଦ ଡାକରା ବି ଦେଇଛନ୍ତି। ଭାରତ ବନ୍ଦକୁ ବିରୋଧୀଦଳଗୁଡ଼ିକ ପକ୍ଷରୁ ସମର୍ଥନ ଘୋଷଣା କରିଛନ୍ତି। ଚାଷୀଙ୍କ ଏହି ବନ୍ଦ ଡାକରାକୁ କଂଗ୍ରେସ ସଂପୂର୍ଣ୍ଣ ସମର୍ଥନ ଦେବ ବୋଲି କହିଛି। ସେହିପରି ସିପିଆଇ, ସିପିଆଇ(ଏମ୍), ଆରଏସ୍‌ପି, ଡିଏମ୍‌କେ, ଆରଜେଡି, ଏସ୍‌ପି, ଫରୱାର୍ଡ ବ୍ଲକ, ପିପୁଲ୍ସ ଆଲାଏନ୍ସର ସମର୍ଥନ କରିବ। ଚାଷୀ ଓ କେନ୍ଦ୍ର ସରକାରଙ୍କ ଭିତରେ ବାରମ୍ବାର ଆଲୋଚନା ପରେ ବି ବାହାରି ପାରିନି ସମାଧାନର ବାଟ। ତେବେ ଆସନ୍ତା ୯ ତାରିଖରେ ପୁଣି ଚାଷୀଙ୍କ ସହ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରିଛି କେନ୍ଦ୍ର।

ଗତକାଲି ଚାଷୀଙ୍କ ପ୍ରତିନିଧି ଦଳ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପଞ୍ଚମ ରାଉଣ୍ଡ ବୈଠକ ହୋଇଥିଲା ତେବେ ଚାଷୀ କହିଛନ୍ତି ସରକାର ସେମାନଙ୍କ ଦାବି ମାନନ୍ତୁ ନଚେତ୍ ମାନିବେ ବୋଲି ପ୍ରତିଶ୍ରୁତି ଦିଅନ୍ତୁ। ତେବେ କୃଷି ମନ୍ତ୍ରୀ କହିଛନ୍ତି ଏମ୍ଏସ୍‌ପି ରହିବ, ତେଣୁ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରି ଅନ୍ୟ ଦାବି ଉପରେ ଆଲୋଚନା କରନ୍ତୁ।

କୃଷି ଆଇନ ଚାଷୀଙ୍କ ହିତରେ, ଏ କଥା ସେମାନଙ୍କୁ ବୁଝାଇବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେପଟେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଯଦି ଆଇନରେ କିଛି ତ୍ରୁଟି ଅଛି, ତା ହେଲେ ତାହା ସଂଶୋଧନ କରିବାକୁ ସରକାର ବିଚାର କରିବେ। କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ୧୧ ଦିନ ଧରି ଚାଲିଛି ଚାଷୀ ଆନ୍ଦୋଳନ।

ଆହୁରି ପଢ଼ନ୍ତୁ:ଆସନ୍ତାକାଲି ଭାରତବନ୍ଦ; କ’ଣ ବନ୍ଦ ରହିବ, କ’ଣ ଖୋଲିବ ?

You might also like