ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇ ଧରାପଡ଼ିଲେ, ପଡ଼ିଲା ୪୨,୫୦୦ ଟଙ୍କା ଫାଇନ୍

ବେଙ୍ଗାଲୁରୁ: ଆପଣ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଗାଡ଼ି କିଣିବା ପାଇଁ ଭାବୁଛନ୍ତି କି ? ଯଦି ହଁ ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଅତ୍ୟ ଗୁରୁତ୍ୱପୂର୍ଣ୍ଣ। ନହେଲେ ଆପଣ ମଧ୍ୟ ଏହି ଯୁବକଙ୍କ ଭଳି ଅସୁବିଧାରେ ପଡ଼ିପାରନ୍ତି।

ଘଟଣାଟି ହେଲା, ପରିବା ବିକ୍ରି କରୁଥିବା ବେଙ୍ଗାଲୁରୁର ଜଣେ ଯୁବକ ହେଲ୍‌ମେଟ୍‌  ପିନ୍ଧି ନ ଥିବାରୁ ଟ୍ରାଫିକ୍‌ ପୋଲିସ୍‌ ତାଙ୍କୁ ଧରିଥିଲା। ଏହାପରେ ତାଙ୍କୁ ୪୨,୫୦୦ ଟଙ୍କା ଫାଇନ୍‌ କରିଛି। ଏହି ଫାଇନ୍‌ ସେ କିଣିଥିବା ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଗାଡ଼ିରୁ ବି ଅଧିକ ଟଙ୍କା। 

ସୂଚନା ଅନୁସାରେ, କିଛି ଦିନ ତଳେ ମଡିଭାଲାରେ ରହୁଥିବା ଅରୁଣ କୁମାର ନାମକ ଏହି ଯୁବକ ଏକ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ସ୍କୁଟି କିଣିଥିଲେ। ଶୁକ୍ରବାର ଦିନ ସ୍କୁଟି ନେଇ ଯାଉଥିବା ସମୟରେ ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ଟ୍ରାଫିକ୍‌ ପୋଲିସ୍‌ ତାଙ୍କୁ ଅଟକାଇ ଥିଲେ। ସେ ଭାବିଥିଲେ ହେଲ୍‌ମେଟ୍‌ ପାଇଁ ପାଇନ୍‌ ଦେଇ ସେଠାରୁ ପଳାଇବେ, ହେଲେ ଯେତେବେଳେ ତାଙ୍କ ହାତରେ ଟ୍ରାଫିକ୍‌ ପୋଲିସ୍‌ ଏକ ଲମ୍ବା ରିସିପ୍ଟ ଆଣି ଧରାଇ ଦେଇଥିଲେ, ଏହା ଦେଖି ତାଙ୍କ ମୁଣ୍ଡରେ ଆଉ କିଛି ପଶିନଥିଲା। ଏଥିରେ ୪୨,୫୦୦ ଟଙ୍କା ଫାଇନ୍ ଦେଖି ‌ଅରୁଣ ପୂରା ଚକିତ ହୋଇଯାଇଥିଲେ।

ମଡିଭାଲା ପୋଲିସ୍‌ର ସୂଚନା ଅନୁସାରେ, ଯେଉଁ ସ୍କୁଟି ଅରୁଣ ଚଲାଉଛନ୍ତି, ସେହି ଗାଡ଼ି ଉପରେ ୭୭ ଥର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗ ନେଇ ଫାଇନ୍‌ ପଡ଼ିଛି। ହେଲେ ଗୋଟିଏ ଥରେ ବି ଏହି ଫାଇନ୍‌ ଟଙ୍କା ଦିଆଯାଇ ନାହିଁ। ଯେଉଥିପାଇଁ ଏତେ ଟଙ୍କାର ଫାଇନ୍‌ ଆସିଥିବା ଜଣାପଡ଼ିଛି।

ଟଙ୍କା ଯୋଗାଡ଼ କରି ଏହି ଫାଇନ୍‌ ଦେବାପାଇଁ ଅରୁଣ କିଛଛି ସମୟ ମାଗିଥିବା ସୂଚନା ମିଳିଛି।

You might also like