କରୋନା ଯୋଦ୍ଧାଙ୍କୁ ଏମିତି ସ୍ୱାଗତ ଜଣାଇଲେ ଲୋକେ, ଭାବପ୍ରବଣ ହୋଇ ଆଖିରୁ ଝରିଲା ଲୁହ

ବେଙ୍ଗାଲୁରୁ: କରୋନା ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। ହେଲେ ସ୍ୱାସ୍ଥ୍ୟ ବିଭାଗର ସେଇ କର୍ମଚାରୀମାନଙ୍କୁ ଧନ୍ୟବାଦ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ସେବା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଜଣେ କରୋନା ଯୋଦ୍ଧାଙ୍କ ବିଷୟରେ କହିବୁ ଯାହାଙ୍କୁ ନେଇ ଏବେ ଚର୍ଚ୍ଚା। ହେଲେ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଭାବୁଥିବେ ଆମେ ଆପଣଙ୍କୁ ଏସବୁ କ’ଣ କହୁଛୁ। ଆମେ ଆପଣଙ୍କୁ କହୁଛୁ ବେଙ୍ଗାଲୁରୁର ଡାକ୍ତର ବିଜୟଶ୍ରୀଙ୍କ ସମ୍ପର୍କରେ। ତେବେ ତାଙ୍କ ଆଖିରେ ଯେଉଁ ଲୁହ ଦେଖିବାକୁ ମିଳିଥିଲା, ଏହା କୌଣସି ଦୁଃଖର ଲୁହ ନୁହେଁ ବରଂ ଭାବପ୍ରବଣ ହୋଇ ତାଙ୍କ ଆଖିରୁ ଏହି ଲୁହ ଝରି ଆସିଥିଲା।

ସୋସିଆଲ ମିଡିଆରେ ଏବେ ଡାକ୍ତର ବିଜୟଶ୍ରୀଙ୍କ ଏକ ଭିଡ଼ିଓ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଦେଖିବାକୁ ମିଳିଛି, କରୋନା ରୋଗୀଙ୍କ ଚିକିତ୍ସା କରି ହସ୍ପିଟାଲରୁ ଘରକୁ ଫେରିବା ମାତ୍ରେ ସୋସାଇଟିର ଲୋକମାନେ ଡାକ୍ତର ବିଜୟଶ୍ରୀଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ। ଲୋକମାନଙ୍କର ଏଭଳି ସ୍ୱାଗତ ଦେଖି ସେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ। 

ପଡୋଶୀମାନଙ୍କ ଏଭଳି ଭଲପାଇବା ଏବଂ ସମ୍ମାନ ଦେଖି ସେ ଭାବପ୍ରବଣ ହେବାସହ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା ଏହାପରେ ସେ ସମସ୍ତ ପଡ଼ୋଶୀଙ୍କୁ ହାତ ଯୋଡ଼ି ଧନ୍ୟବାଦ ଜଣାଇଥିଲେ।

ଏହି ଭିଡିଓକୁ ବେଙ୍ଗାଲୁରୁ ମେୟର ଏମ ଗୌଥମ କୁମାର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଭିଡ଼ିଓକୁ ଶେଆର କରି ସେ ଲେଖିଛନ୍ତି, ଏମଏସ ରାମାୟା ମେମୋରିଆଲ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା କରି  ଘରକୁ ଫେରିବା ମାତ୍ରେ ବେଙ୍ଗାଲୁରୁର ଡାକ୍ତର ବିଜୟଶ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ମହାମାରୀ କରୋନା ମୁକାବିଲା ଲାଗି ଏଭଳି ସମୟରେ ନିଃସ୍ୱାର୍ଥ ଭାବେ କାର୍ଯ୍ୟ କରୁଥିବା ସମସ୍ତ କରୋନା ୱାରିୟର୍ସଙ୍କୁ ଆମେ ସାଲ୍ୟୁଟ ଜଣାଉଛୁ।

You might also like