କରୋନାରେ ପୁଣି ଜଣେ ବିଧାୟକ ପ୍ରାର୍ଥୀଙ୍କ ଦେହାନ୍ତ

କୋଲକାତା: କରୋନାରେ ପୁଣି ଜଣେ ବିଧାୟକ ପ୍ରାର୍ଥୀଙ୍କ ଦେହାନ୍ତ। ଓଡ଼ିଶାର ପିପିଲି ଉପନିର୍ବାଚନ ଘଟଣା ପଶ୍ଚିମବଙ୍ଗରେ ରିପିଟ୍। ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଜଣେ ଟାଣୁଆ ନେତା, କରୋନା ଆକ୍ରାନ୍ତ ହେବା ପରେ ମୃତ୍ୟୁବରଣ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଟ୍ୱିଟ ଯୋଗେ ସେ ନିଜର ସମବେଦନା ଜଣାଇଛନ୍ତି।

ପଶ୍ଚିମବଙ୍ଗରେ ଟିଏମସି ନେତା କାଜଲ ସିହ୍ନାଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ଚଳିତ ନିର୍ବାଚନରେ ​ଖାରଦହ ବିଧାନସଭା ଆସନରୁ ଟିଏମସି ପ୍ରାର୍ଥୀ ହୋଇଥିଲେ। କାଜଲ ସିହ୍ନାଙ୍କୁ ଏପ୍ରିଲ ୨୧ ତାରିଖରେ କୋଲକାତାର ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ରବିବାର ସକାଳେ ଡାକ୍ତରଖାନାରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ବଡ଼ କଥା ହେଲା ୨୨ ଏପ୍ରିଲରେ ଖାରଦହ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ସରିଛି।

ଟିଏମସି ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମୃତ୍ୟୁ ସମ୍ପର୍କରେ ଟ୍ୱିଟ କରିଛନ୍ତି। ମମତା ବାନାର୍ଜୀ ଲେଖିଛନ୍ତି, କାଜଲ ସିହ୍ନାଙ୍କ ମୃତ୍ୟୁ ଖବର ଶୁଣି ସେ ଅତ୍ୟନ୍ତ ମର୍ମାହତ। ଖାରଦହରୁ ଟିଏମସିର ବିଧାନସଭା ପ୍ରାର୍ଥୀ ହୋଇଥିଲେ କାଜଲ ସିହ୍ନା, ତାଙ୍କର କରୋନାରେ ମୃତ୍ୟୁ ହୋଇଛି। ସେ ତାଙ୍କର ପୁରା ଜୀବନକୁ ଲୋକଙ୍କ ସେବାରେ ଉତ୍ସର୍ଗ କରିଥିଲେ। ସେ ଦଳର ପୁରୁଣା ସଦସ୍ୟ ମାନଙ୍କ ମଧ୍ୟରୁ ଜଣେ। ଆମେ ତାଙ୍କ ଅନୁପସ୍ଥିତିକୁ ନିଶ୍ଚିତ ମନେପକାଇବୁ। ତାଙ୍କ ପ୍ରିୟଜନ ଏବଂ ତାଙ୍କ ପରିବାର ପ୍ରତି ମମତା ଗଭୀର ସମବେଦନା ଜଣାଇଛନ୍ତି।

ଓଡ଼ିଶାରେ ପିପିଲି ଉପନିର୍ବାଚନକୁ ଆଉ ଦୁଇ ଦିନ ବାକିଥିବା ବେଳେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଏପ୍ରିଲ ୧୪ ତାରିଖରେ ମୃତ୍ୟ ହୋଇଥିଲା। ଯାହାଫଳରେ ଏପ୍ରିଲ ୧୭ରେ ହେବାକୁ ଥିବା ଉପନିର୍ବାଚନ ମେ’ ୧୬ ତାରିଖକୁ ଘୁଞ୍ଚାଯାଇଛି। ଅଜିତଙ୍କ ମୃତ୍ୟୁ ପରେ ନିର୍ବାଚନ କମିଶନଙ୍କ ଚେତା ପଶିଥିଲା। ଏହାପରେ କରୋନା କାରଣରୁ ନିର୍ବାଚନ ରାଲି ଉପରେ ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ କମିଶନ।

ସେହିଭଳି ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ପଶ୍ଚିମବଙ୍ଗରେ ନିର୍ବାଚନ ପାଇଁ ରାଲି, ରୋଡ ଶୋ’ ଜୋରଦାର ଚାଲିଥିଲା। ଯାହାଫଳରେ ସେଠାରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ରାଲି ଓ ସଭା ସମିତି ଉପରେ କଟକଣା ଲଗାଇଛନ୍ତି। ତେବେ ସେତେବେଳେ ସୋସିଆଲ ମିଡିଆରେ ପଶ୍ଚିମବଙ୍ଗର ନିର୍ବାଚନ ରାଲିକୁ ନେଇ ଅନେକ ସମାଲୋଚନା କରାଯାଇଥିଲା। ହେଲେ ଏଥିପ୍ରତି କୌଣସି ରାଜନୈତିକ ଦଳ ଗୁରୁତ୍ୱ ଦେଇ ନଥିଲେ। ବିନା ମାସ୍କ ଓ ବିନା ସାମାଜିକ ଦୂରତାରେ ଚାଲିଥିଲା ନିର୍ବାଚନ ରାଲି ଓ ପ୍ରଚାର।

You might also like