କରୋନା ସହିତ ଲଢ଼ିବା ପାଇଁ ବେଙ୍ଗଲ ପୁଲିସର ଘରୋଇ ଉପଚାର; ଲେମ୍ବୁପାଣି ଓ ସୋରିଷ ତେଲରେ ସୁସ୍ଥ ହେବେ ରୋଗୀ !

କୋଲକାତା: କରୋନା ସହିତ ଲଢ଼ିବାରେ ପଶ୍ଚିମବଙ୍ଗ ପୁଲିସ ଏକ ନୂଆ ଉପାୟ ପାଇଛି। ସୋରିଷ ତେଲ, ଉଷୁମ ଲେମ୍ବୁ ପାଣି ଓ କେତେକ ଘରୋଇ ପ୍ରତିକାର ଆପଣାଇ ନିଜକୁ ସୁସ୍ଥ ରଖିବା ସହିତ କରୋନାକୁ ଉପଚାର ମଧ୍ୟ କରି ହେବ ବୋଲି ବେଙ୍ଗଲ ପୁଲିସ୍‌ ଦାବି କରିଛି।

ସିଲିଗୁଡ଼ି ପୁଲିସ୍‌ କିମିଶନରେଟ୍‌ର ଜଣେ ବରିଷ୍ଠ ପୁଲିସ୍‌ ଅଫିସର୍‌ ଏ ଦିଗରେ ସଫଳ ପରୀକ୍ଷଣ କରି ଅନେକ ଲୋକ ଏଥିରେ ସୁସ୍ଥ ହେବା ପରେ ପୁଲିସ ପକ୍ଷରୁ ଏପରି ଦାବି କରାଯାଇଛି।

ଏହି ଉପଚାର ମଣିଷଙ୍କୁ କେବଳ ସୁସ୍ଥ ରଖିବନି, କରୋନା ଭାଇରସ୍‌କୁ ଭଲ କରିଦେବ ବୋଲି ବେଙ୍ଗଲ ପୁଲିସ ଏକ ଚିଠି ଜାରି କରି ଏପରି ଦାବି କରିଛି।

ତେବେ ବେଙ୍ଗଲ ପୁଲିସ୍ ଅନୁସାରେ, ଏହିସବୁ ସାମଗ୍ରୀକୁ କେମିତି ବ୍ୟବହାର କରିବେ ତାହା କହି ରଖୁଛୁ।

ସୋରିଷ ତେଲର ବ୍ୟବହାର
୧. ପ୍ରତିଦିନ ସିଝା ଆଳୁ ଚକଟା, ମୁଢ଼ି, ସାଲାଡ ଆଦିରେ ଭଲଭାବରେ କଞ୍ଚା ଶୋରିଷ ତେଲ ପକାଇ ପ୍ରତିଦିନ ଖାଆନ୍ତୁ।୨. ଦିନରେ ତିନିଥର ତୁଳା ସାହାଯ୍ୟରେ ନାକପୁଡ଼ାରେ ଗୋଟି ଏ କି ଦୁଇ ଟୋପା ସୋରିଷ ତେଲ ପକାନ୍ତୁ।

ଅନ୍ୟ ଉପଚାର, ଦିନକୁ ୪ଥର
ଦିନକୁ ୪ଥର ଉଷୁମ ଲେମ୍ବୁପାଣି ପିଅନ୍ତୁ।
ସାମାନ୍ୟ ଲୁଣ ମିଷା ଉଷୁମ ପାଣିକୁ ଦିନକୁ ୪ଥର କୁଳି କରନ୍ତୁ(ଗର୍ଗଲିଂ)।
ପ୍ରତିଦିନ ଉଷୁମ କ୍ଷୀରରେ ସାମାନ୍ୟ ହଳଦୀ ମିଶାଇ ପିଅନ୍ତୁ

ସିଲିଗୁଡ଼ି ପୁଲିସ କମିଶନର ତ୍ରିପୁରାରୀ ଅର୍ଥଭ ମଧ୍ୟ ନିୟମିତ ଏପରି ଉପଚାର କରିବା ପାଇଁ ଲୋକଙ୍କ ପରାମର୍ଶ ଦେଇଛନ୍ତି।

ଉତ୍ତର ବେଙ୍ଗଲର ସିଆଇଡି ରିପୋର୍ଟ ଅନୁସାରେ, କମିଶନରେଟର୍‌ ଡେପୁଟି ପୁଲିସ କମିଶନରଙ୍କ ସମ୍ପର୍କୀୟ ଓ ଜଣେ ପୁଲିସ୍‌ କୁକୁର ତାଲିମଦାତା ହାବିଲଦାର ଓ ତାଙ୍କ ପତ୍ନି କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନେ ନିୟମିତ ଏହି ଉପଚାର କରିବାଦ୍ୱାରା କରୋନାରୁ ମୁକ୍ତି ପାଇଛନ୍ତି ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ ହୋଇଛି।

କମିଶନରେଟର ପୁଲିସର ଜଣେ ବରିଷ୍ଠ ନାଗରିକ କହିବାନୁସାରେ, ଆମେ ଡାକ୍ତର ନୋହୁଁ, କିନ୍ତୁ ପିଲାବେଳୁ ଏହିସବୁ ଘରୋଇ ଉପଚାରକୁ ଦେଖି ଆସୁଛୁ। ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ। ତେଣୁ ବର୍ତ୍ତମାନ କୋଭିଡ୍-୧୯ ସମୟରେ ଶରୀର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆମେ ସହକର୍ମୀମାନଙ୍କୁ ଏପରି ଉପଚାର  କରିବାକୁ ପରାମର୍ଶ ଦେଇଛୁ।”

ଏଥିସହିତ ଯେଉଁମାନେ ଥଣ୍ଡା, କାଶ, ଓ ମୁଣ୍ଡ ବ୍ୟଥାରେ ପୀଡ଼ିତ ଥିଲେ ଓ ଏହି ଉପଚାର ଆପଣାଇବା ଦ୍ୱାରା ସୁସ୍ଥ ହୋଇଛନ୍ତି ସେମାନେ ବି ଏହାର ଅନୁଭବ ବଖାଣିଛନ୍ତି।

ତେବେ ବର୍ତ୍ତମାନ କରୋନା ସମୟରେ କୌଣସି ଘରୋଇ ଉପଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଓ ସରକାର ନିୟମକୁ ମାନିବା ନିହାତି ଆବଶ୍ୟକ। ଏଥିରେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟକୁ ମଧ୍ୟ ସୁରକ୍ଷିତ ରଖିହେବ।