ବାପା ପାଇଁ ବିଧବା ହେଲା ଝିଅ। ପରିବାର ବିରୋଧରେ ଯାଇ ପ୍ରେମ ବିବାହ କରିଥିବାରୁ ଜ୍ୱାଇଁକୁ ଗୁଳି କରି ହତ୍ୟା କଲା ଶ୍ୱଶୁର

ବେଗୁସରାଇ: ଝିଅକୁ ବିଧବା ସଜାଇଲା ବାପା। ଜ୍ୱାଇଁକୁ ହତ୍ୟା କଲା ଶ୍ୱଶୁର। ବିହାରରେ ଅନର କିଲିଂ ପାଇଁ ସବୁଦିନ ପାଇଁ ବେସାହାରା ହୋଇଗଲେ ସାଦିଆ ପରବିନ। ଦୁଇ ବର୍ଷର କୁନି ଝିଅ ମୁଣ୍ଡରୁ ହଟିଗଲା ବାପାର ଛାଇ। ବିହାରର ବେଗୁସରାଇରେ ଏପରି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ପ୍ରେମ ବିବାହର ଚାରି ବର୍ଷ ପରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ବର୍ଷ ବର୍ଷ ଧରି ମନରେ ରାଗ ରଖିଥିବା ଶ୍ୱଶରୁ ଝିଅର ଭବିଷ୍ୟତ କଥା ଚିନ୍ତା ନକରି ଦିନ ଦ୍ୱିପହରରେ ଜ୍ୱାଇଁକୁ ଗୁଳି କରି ହତ୍ୟା କରିଛନ୍ତି । ତେବେ ଏହି ଗୁଳିମାଡ଼ରେ ଜଣେ ଦୋକାନୀ ମଧ୍ୟ ଆହତ ହୋଇଛନ୍ତି।

ମୁଖସ୍ତିଲ ଥାନାର ହରଦିଆ ଚୌକରେ ଅଞ୍ଚଳର ଘଟଣା ଘଟିଛି।  ଚାରିବର୍ଷ ତଳେ ଘରୁ ଲୁଚି ପଳାଇ ଯାଇଥିଲେ ସାଦିଆ ପରବିନ ଓ ମହମ୍ମଦ ଇମତିଆଜ୍ । ଉଭୟଙ୍କ ସମ୍ପର୍କକୁ ନେଇ କେହି ଖୁସିନଥିବା ବେଳେ ବାପାମାଙ୍କ ଅନିଚ୍ଛା ସତ୍ତ୍ୱେ ସାଦିଆ ଇମତିଆଜଙ୍କୁ ବିବାହ କରିଥିଲେ । ହସଖୁସରେ ଚଳି ଯାଉଥିଲା ତେଲଲୁଣର ସଂସାର । ଦୁଃଖେ ସୁଖେ କୁନି ଝିଅକୁ ନେଇ ଚଳୁଥିଲା ପରିବାର। ହେଲେ ଏତେ ବର୍ଷ ପରେ ବି ଝିଅକୁ କ୍ଷମା କରିନଥିଲେ ସାଦିଆଙ୍କ ବାପା। ଖୋଜଖବର ନେଇ ଗତ ଶନିବାର ଝିଅ ରହୁଥିବା ସହରରେ ପହଞ୍ଚି ଯାଇଥିଲେ । ଇମତିଆଜ ଏକ ଗ୍ୟାରଜରେ ବସିଥିବା ସମୟରେ  ଝିଅର ବାପା ନିଜର ସହଯୋଗୀଙ୍କ ସହ ଆଖିବୁଜା ଫାୟାରିଂ କରିଥିଲେ। ଫଳରେ ଘଟଣାସ୍ଥଳରେ ଟପଡ଼ିଥିଲେ ଇମତିଆଜ ।

ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି, ପରିବାର ବିରୋଧରେ  ଯାଇ ୪ ବର୍ଷ ପୂର୍ବରୁ ଉଭୟ ବିବାହ କରିଥିଲୁ । ତେବେ ଏତେ ବର୍ଷ ପରେ ବି ପରିବାର ଲୋକଙ୍କ ରାଗ ଶାନ୍ତ ହୋଇନଥିଲା। ଆଉ ଆଜି ବାପା ମୋ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ମୋ ସଂସାର ଉଜାଡ଼ି ଦେଇଛନ୍ତି। ପୂର୍ବରୁ ସ୍ୱାମୀକୁ ଲଗାତାର ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିଲା ବୋଲି ପ୍ରକାଶ କରିଛନ୍ତି । ତେବେ ଗତ ଗୁରୁବାର ଝିଅର ବାପା ଓ ଭାଇ ଅପରାହ୍ନ ୪ଟାରେ ଜ୍ୱାଇଁକୁ ଗୁଳିକରି ହତ୍ୟା କରିଛନ୍ତି।

ଅଭିଯୋଗ ପରେ ପୋଲିସ ମୃତଦେହର ପୋଷ୍ଟମଟମ କରି ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି।  ସାଦିଆ ପରବିରନଙ୍କ ବୟାନ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି। କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାବତ ମା’ ଓ ଦୁଇ କକା ପୁଅ ଭାଇଙ୍କୁ ଗିରଫ କରାଯାଇଛି। ହେଲେ ମୁଖ୍ୟ ଅଭିଯୁକ୍ତ ତଥା ସାଦିଆଙ୍କ ବାପା ଫେରାର ଅଛନ୍ତି।  ବାପା, ଭାଇ ଓ ସାବତ ମା’ ବିରୋଧରେ ଥାନାର ଏତଲା ଦିଆଯାଇଥିବା ଡିଏସପି ନୀତିଶ ପ୍ରତିକ୍ରିୟା ଦେଇଛନ୍ତି। ଏ‍ ସବୁ ଦିଗରୁ ଦୃଷ୍ଟିରେ ରଖି ଅଭିଯୁକ୍ତକୁ  ଖୋଜୁଛି ପୋଲିସ୍ ।

You might also like