ଅଲିଅଳି ଭଉଣୀକୁ ନେଇଗଲା ମହାମାରୀ, ସ୍ମୃତିରେ ହସ୍ପିଟାଲ ତିଆରି କଲା ଭାଇ

କରୋନାରେ ଜୀବନ ହାରିଲା ଭଉଣୀ : ସ୍କୁଲକୁ ୩୦ ବେଡର କରୋନା ହସ୍ପିଟାଲରେ ପରିଣତ କଲା ଭାଇ

ବେଗୁସରାଇ : ଅତି ନିର୍ଦ୍ଦୟ ହୋଇଯାଇଛି କରୋନାର ଦ୍ୱିତୀୟ ଲହରୀ । ସମ୍ପର୍କ ଚିହ୍ନୁନି, ସାନବଡ଼ ଦେଖୁନି ସମସ୍ତଙ୍କୁ କବଳିତ କରୁଛି ଅଦୃଶ୍ୟ ଭାଇରସ୍ । ଦ୍ୱିତୀୟ ଲହରୀରେ ଅନେକ ଲୋକ ନିଜ ଆତ୍ମୀୟ ସ୍ୱଜନଙ୍କୁ ହରାଇଛନ୍ତି । ବିହାରର ବେଗୁସରାଇରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । କରୋନା ସଂକ୍ରମିତ ହୋଇ ଜଣେ ଯୁବକଙ୍କ ଭଉଣୀ ପ୍ରାଣ ହରାଇଛି । ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଅକାଳରେ ଚାଲିଗଲା ଅଲିଅଳି ଭଉଣୀର ଜୀବନ । ତେବେ ଭଉଣୀ ଯିବା ପରେ ଆଉ କେହି ଯେପରି ଅକ୍ସିଜେନ ଅଭାବରେ ଛଟପଟ ହରାଇ ପ୍ରାଣ ନହରାନ୍ତି, ସେଥିପାଇଁ ନିଜେ କାମ କରୁଥିବା ସ୍କୁଲକୁ କୋଭିଡ ହସ୍ପିଟାଲରେ ପରିଣତ କରିଦେଇଛନ୍ତି ।

ବେଗୁସରାଇର ଡୁନ ସ୍କୁଲର ପ୍ରବନ୍ଧକ ପଙ୍କଜ କୁମାରଙ୍କ ଭଉଣୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । କରୋନାରେ ସଂକ୍ରମିତ ହେବାପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତିି କରିଥିଲେ ପଙ୍କଜ କୁମାର । ହେଲେ ଅକ୍ସିଜେନ୍ ଅଭାବରୁ ୨୭ ଏପ୍ରିଲରେ ତାଙ୍କ ଭଉଣୀଙ୍କ ଜୀବନ ଚାଲିଗଲା । ଏକମାତ୍ର ଅଳିଅଳୀ ଭଉଣୀର ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଥିଲେ । କୋଭିଡ ବେଡ଼ରେ ପଡ଼ିଥିବା ତା’ର ନିଶ୍ଚଳ ଶରୀର ଓ ଅସହାୟ ମୁହଁ ସବୁବେଳେ ତାଙ୍କ ଆଖି ଆଗରେ ନାଚି ଉଠୁଥିଲା । ଭଉଣୀକୁ ବଞ୍ଚାଇ ନପାରିବାର ଆତ୍ମଗ୍ଲାନିରେ ସେ ଶୋଇପାରୁ ନଥିଲେ । ଅକ୍ସିଜେନ ଅଭାବରୁ ଭଉଣୀ ସବୁଦିନ ପାଇଁ ଆରପାରିକୁ ଚାଲିଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନଥିଲେ । ତେବେ ପଙ୍କଜ କହିଛନ୍ତି, ଭଉଣୀର ଚିକିତ୍ସା ସମୟରେ ଆଉ ଅନେକ ରୋଗୀ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିବା ତାଙ୍କ ନଜରରେ ଆସିଥିଲା ।

ତେଣୁ ଏଥିପାଇଁ ଅକ୍ସଜେନ୍ ଅଭାବରୁ ଯେପରି କେହି ଜୀବନ ନହରାନ୍ତି, ସେଥିପାଇଁ ପଙ୍କଜ କୁମାର ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି । କରୋନା କାଳରେ ବନ୍ଦ ହୋଇଥିବା ସ୍କୁଲକୁ ସେ କରୋନା ହସ୍ପିଟାଲରେ ପରିଣତ କରିଦେଇଛନ୍ତି । ଯେଉଁଠାରେ ଅକ୍ସିଜେନ ଯୁକ୍ତ ୩୦ ବେଡର ବ୍ୟବସ୍ଥା କରାଯାଇଛି । କେବଳ ଏତିକି ନୁହେଁ ସ୍କୁଲରେ ଅତିରିକ୍ତ ୧୩ରୁ ଅଧିକ ଅକ୍ସିଜେନ ସିଲିଣ୍ଡର ମହଜୁଦ ରହିଛି । ତେବେ ଏହି ଛୋଟ ହସ୍ପିଟାଲ ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ କରିବାକୁ ସ୍କୁଲ ପ୍ରବନ୍ଧକ, ଡିଏମ୍ ବେଗୁସରାଇଙ୍କୁ ଅନୁରୋଧ କରିଛନ୍ତି ପଙ୍କଜ । ତେବେ ସବୁଠାରୁ ବଡ଼ କଥା ହେଲା ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମସ୍ତ ଖର୍ଚ୍ଚ ଉଠାଇବ ସ୍କୁଲ । ସ୍କୁଲ ପାଣ୍ଠିିରୁ ରୋଗୀଙ୍କ ଚିକିତ୍ସା କରାଯିବ ।

You might also like