ମୋଦୀଙ୍କ ସହ ଭେଟ ହେବା ପୂର୍ବରୁ ବଦଳିଲା ଚାଇନାର ଚରିତ୍ର

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ସ୍ୱର ବଦଳାଇଲା ବେଜିଂ।  କାଶ୍ମୀର ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ, ତେଣୁ ଆଲୋଚନା ଜରିଆରେ ଏହାର ସମାଧାନ ପାଇଁ ପରାମର୍ଶ ଦିଆଯାଇଛି ବୋଲି ଚୀନ୍ କହିଛି। ସେତିକି ନୁହେଁ,  ଆତଙ୍କବାଦ ବିରୋଧରେ ଲଢିବା ସହ ଭାରତ-ଚାଇନା ମିଳିତ ସମରାଭ୍ୟାସ କରିବେ ବୋଲି ଜିନ୍‌ ପିଙ୍ଗ ଭାରତକୁ ଆଶ୍ୱସ୍ତି ଦେଇଛନ୍ତି। ଚଳିତ ବର୍ଷ ଡିସେମ୍ୱରରେ ଏହି ଆଣ୍ଟି-ଟେରର ସମରାଭ୍ୟାସ ହେବାକୁ ଯାଉଛି।

କାଶ୍ମୀରରୁ ଭାରତ ଧାରା ୩୭୦ ଉଚ୍ଛେଦ କରିବା ପରେ ସାରା ବିଶ୍ୱରେ କେବଳ ଚୀନ ହିଁ ପାକିସ୍ତାନକୁ ଏକପ୍ରକାର ସମର୍ଥନ କରିଥିଲା। ତେବେ ଆସନ୍ତା ୧୧ ତାରିଖରେ ଚୀନ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍ ଭାରତ ଆସୁଛନ୍ତି। ତା ପୂର୍ବରୁ ଚୀନର ଆଭିମୁଖ୍ୟ ବଦଳିଥିବା ଦେଖିବାକୁ ମିଳିଛି।

ଚେନ୍ନାଇର ମହାବଳିପୁରମରେ ଦୁଇ ଦିନିଆ ଅର୍ଥନୀତିକ ସମ୍ମିଳନୀ ରହିଛି। ଏହି ଅବସରରେ ଯୋଗ ଦେବା ପାଇଁ ଜିନ୍‌ ପିଙ୍ଗ୍ ଭାରତ ଆସୁଛନ୍ତି। ଜିନ୍ ପିଙ୍ଗ୍ ଚେନ୍ନାଇର ମାମଲାପୁରମରୁ ତାଙ୍କର ଗସ୍ତ ଆରମ୍ଭ କରିବେ।  ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସହ ଅନୌପଚାରିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦୁଇ ଦେଶ ମଧ୍ୟରେ ସାମରିକ, ରାଜନୈତିକ, ଅର୍ଥନୈତିକ ଓ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଏଥିସହ ସୀମା ବିବାଦର ସମାଧାନ ପୂର୍ବରୁ ଦୁଇଦେଶ ଶାନ୍ତି ବଜାୟ ରଖିବା ଦରକାର ବୋଲି ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସନ ୱିଡଙ୍ଗ୍ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜିନ୍‌ ପିଙ୍ଗଙ୍କର ଏହା ଦ୍ୱିତୀୟ ଅନୌପଚାରିକ ଶିଖର ବାର୍ତ୍ତା ହେବ। ଆଜି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏ ନେଇ କୁହାଯାଇଛି । ମୋଦି-ଜିନ୍‌ ପିଙ୍ଗ ବୈଠକରେ ଆତଙ୍କବାଦ ଉପରେ ଆଲୋଚନା ହେବ।  ହେଲେ  ଜମ୍ମୁକାଶ୍ମୀରରୁ ଧାରା ୩୭o ଉଚ୍ଛେଦ ପ୍ରସଙ୍ଗରେ କୌଣସି ଆଲୋଚନା ହେବ ନାହିଁ। ଏଥିସହିତ କୌଣସି ବୁଝାମଣା କିମ୍ବା ଏମଓୟୁ ଉପରେ ମଧ୍ୟ ଚୁକ୍ତି ସ୍ୱାକ୍ଷର ହେବ ନାହିଁ।

ପୂର୍ବରୁ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାପାଇଁ ଚୀନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବାରୁ ଏହି ଗସ୍ତର ଅନେକ ଗୁରୁତ୍ୱ ରହିଛି। ଗତବର୍ଷ ଏପ୍ରିଲରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହୋଇଥିଲା ।

You might also like