ଗଣଦୁଷ୍କର୍ମ ପରେ ବିୟୁଟି କ୍ୱିନ୍‌ଙ୍କୁ ହତ୍ୟା, ହୋଟେଲ୍ ବାଥରୁମ୍‌ରୁ ମିଳିଲା ମୃତଦେହ

ମନୀଲା: ଗଣଦୁଷ୍କର୍ମ ପରେ ବିୟୁଟି କ୍ୱିନ୍‌ଙ୍କୁ ହତ୍ୟା। ଫିଲିପାଇନ୍ସରେ ଏହି ଅମାନବୀୟ କାଣ୍ଡ ଘଟିଛି। ଏହି ଘଟଣା ପରେ ପୁରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ନୂଆବର୍ଷ ପାର୍ଟି ସେଲିବ୍ରେସନ୍‌ ପରେ ହୋଟେଲ୍ ବାଥରୁମ୍‌ରୁ ବିୟୁଟି କ୍ୱିନ୍‌ କ୍ରିଷ୍ଟିନ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

୨୩ ବର୍ଷୀୟ ବିୟୁଟି କ୍ୱିନ୍ କ୍ରିଷ୍ଟିନ୍‌ ‌କିଛିଦିନ ହେବ ଫିଲିପାଇନ୍ସ ଏୟାରଲାଇନ୍ସରେ ପାଇଲଟ୍‌ ଆଟେଣ୍ଡାଣ୍ଟ୍‌ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତଦେହ ମକାତି ସହରର ଏକ ଫୋର୍‌ ଷ୍ଟାର ହୋଟେଲ୍‌ର ବାଥରୁମ୍‌ରୁ ମିଳିଥିଲା। କ୍ରିଷ୍ଟିନ୍‌ଙ୍କ ଶରୀରରେ ଅନେକ ଗଭୀର କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଏନେଇ ପୋଲିସ୍ ସୂଚନା ଦେଇଛି।

ଧାରୁଆ ଜିନିଷରେ ଅନେକ ଥର ତାଙ୍କୁ ଗଭୀର ଆଘାତ ଦିଆଯାଇ ହତ୍ୟା କରାଯାଇଥିବା ପୋଲିସ୍‌ ସନ୍ଦେହ କରୁଛି। ମୃତଦେହ ଉଦ୍ଧାର କରି ପୋଲିସ୍‌ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟ ପରେ ଆହୁରି ଅନେକ କିଛି ଖୁଲାସା ହେବ ବୋଲି ଜଣାପଡ଼ିଛି।

କ୍ରିଷ୍ଟିନ୍‌ଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ପୋଲିସ୍‌ର ରାଡାରରେ ଏବେ ୧୧ଜଣ ଲୋକ ଅଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ୍‌ ଗିରଫ କରି ପଚରାଉଚରା ଚଳାଇଛି। ଏହାସହ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।

ଡ୍ରିଙ୍କ୍‌ରେ ଡ୍ରଗ୍ସ ମିଶାଯାଇ ଝିଅ ସହ ଏଭଳି କରାଯାଇଥିବା କ୍ରିଷ୍ଟିନ୍‌ଙ୍କ ମା’ ଅଭିଯୋଗ କରିଛନ୍ତି।

ଫିଲିପାଇନ୍ସର ବିୟୁଟି କ୍ୱିନ୍‌ଙ୍କ ସହ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକମାନେ ସୋସିଆଲ୍‌ ମିଡିଆରେ କ୍ରିଷ୍ଟିନ୍‌ଙ୍କ ଫଟୋ ଶେଆର କରି ଏଭଳି ଅମାନବୀୟ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ଟ୍ୱିଟରରେ #justiceforchristinedacera ମଧ୍ୟ ଟ୍ରେଣ୍ଡ୍‌ କରୁଥିବା ଦେଖିବାକୁ ମିଳିଛି।

You might also like