ଇନ୍ଦୋର: ବିଚ୍ ରାସ୍ତାରେ ବାପା ଉପରେ ବର୍ଷୁଥିଲା ବିଧା, ଗୋଇଠା । ପୋଷାକ ଫାଡ଼ି ନୃଂସଶ  ଭାବେ ଜଣେ ଅସହାୟ ଲୋକକୁ ମାରି ଚାଲିଥିଲେ ଖାକି ବର୍ଦ୍ଦିଧାରୀ ପୋଲିସ ବାବୁ । ଆଉ ଏସବୁ ଘଟୁଥିଲା କୁନି ପୁଅର ଆଖି ସାମ୍ନାରେ । କାନ୍ଦ କାନ୍ଦ ହୋଇ ମୋ ବାପାଙ୍କୁ ଛାଡ଼ିଦିଅ ଛାଡ଼ିଦିଅ କହି ନେହୁରା ହେଉଥିଲା, କିନ୍ତୁ ପୋଲିସ ବାବୁ ମାରିଚାଲିଥିଲେ । ପୋଲିସ ଠାରୁ ବାପାଙ୍କୁ ଛଡ଼ାଇବାକୁ ସବୁ ଚେଷ୍ଟା ବିଫଳ ହୋଇଥିଲା । ତା’ର ବିକଳ କାନ୍ଦ ପୋଲିସ ବାବୁଙ୍କ କାନରେ ପଡ଼ୁନଥିଲା । ତେବେ ଏହି ଘଟଣାକୁ ସମସ୍ତେ ଦେଖୁଥିଲେ, କିନ୍ତୁ କେହି ଅଟକାଉ ନଥିଲେ । ସଂକ୍ରମଣ ରୋକିବା ନାଁରେ ପୋଲିସର ଗୁଣ୍ଡାଗିରି ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି । ମଧ୍ୟପ୍ରେଦଶର ଇନ୍ଧୋରରେ କରୋନା ରୋକିବା ନାଁରେ ପୋଲିସର ଏପରି କାରନାମା କରିଛି, ଯାହା ସରକାରୀ ନୀତି ନିୟମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇନ୍ଦୋରର ଏହି ମର୍ମସ୍ପର୍ଶୀ ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି । ଖାକି ପୋଷାକରେ ଏପରି ଦାଗ ଲାଗିଛି, ଯାହାକୁ କେହି ଲିଭାଇ ପାରିବ ନାହିଁ । ଇନ୍ଧୋର ପରଦେଶୀପୁରା ଥାନା ଅଞ୍ଚଳରେ କୋଭିଡ଼୍ ନିୟମ ଉଲ୍ଲଂଘନ କରିଥିବା କହି ପୁଅ ସାମ୍ନାରେ ବାପାକୁ ଅତି ନୃଶଂସ ଭାବେ ମାଡ଼ ମାରିଛନ୍ତି ଦୁଇ ପୋଲିସ କର୍ମଚାରୀ । ମାସ୍କ ପିନ୍ଧି ନଥିବାରୁ ମଣିଷକୁ ମଣିଷ ପରି ନଦେଖି ଗାଈଗୋରୁ ପଡ଼ି ବାଡ଼େଇ ଚାଲିଥିଲେ । କୃଷ୍ଣା କୁଞ୍ଜିଂର ନାମକ ଯୁବକଙ୍କୁ ଦୁଇ ପୋଲିସ କର୍ମଚାରୀ କମଲ ପ୍ରଜାପତ ଓ ଧର୍ମେନ୍ଦ୍ର ଜାଟ ଅତି ଅମାନବୀୟ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । କୁନି ପୁଅ ପାଖରେ ଥିଲେ ବି ଏପରି ମନମାନୀ କରୁଥିଲେ ପୋଲିସ ବାବୁ ମାନେ । ରାସ୍ତାରେ ସର୍ବସମ୍ମୁଖରେ ଚାଲିଥିଲା ତାଲିବାନୀ ଶାସନ । ପୂର୍ବରୁ ଆଘତ ଲାଗିଥିବା କଥା ବାରମ୍ବାର କହୁଥିଲେ, ସେସବୁ ପୋଲିସ ବାବୁଙ୍କ କାନକୁ ଯାଉନଥିଲା ।

ସେପଟେ କୃଷ୍ଣକାନ୍ତ କୁଞ୍ଜିର କହିଛନ୍ତି , ମୋର ମାସ୍କ ଟିକିଏ ତଳକୁ ହୋଇଯାଇଥିଲା । ମୁଁ କିଛି କହିବା ଆଗରୁ ମାରି ଚାଲିଥିଲେ । ମୋ କଥା ଶୁଣିବାକୁ ଚେଷ୍ଟା କଲେନି । ସମସ୍ତଙ୍କ ସାମ୍ନାରେ ନୃଶଂସ ଭାବେ ମାରିଚାଲିଲେ । ମୋତେ ଆଘାତ ଲାଗିଥିଲେ ସୁଦ୍ଧା ଅକଥନୀୟ ଅତ୍ୟାଚାର ଚାଲୁ ରଖିଥିଲା ।

ତେବେ ଏନେଇ ଅଭିଯୋଗ କରିବା ପରେ ବଡ଼ ବାବୁ ମାନେ କଥା ବାଆଁରେଇବା ପାଇଁ ଚେଷ୍ଟା କରୁଛନ୍ତି । ପୋଲିର ଖାକି ବର୍ଦ୍ଦରେ ଲାଗିଥିବା ଦାଗ ଧୋଇବାକୁ ଚେଷ୍ଟା କରି ଓଲଟା ପୀଡ଼ିତଙ୍କୁ ମଦୁଆ, ଜୁଆଡ଼ି ବୋଲି କହିଛନ୍ତି ପୋଲିସ୍ ମୁଖିଆ। ଉଭୟ ପୋଲିସ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସେମାନଙ୍କ ପକ୍ଷ ନେଇଛନ୍ତି । ମାଡ଼ ଖାଇଥିବା ବ୍ୟକ୍ତି ଜଣଖ ମଦୁଆ, ନିଶାଡ଼ି ହୋଇଥିବା ସହ ଅନେକ ଅପରାଧରେ ଜଡ଼ିତ ବୋଲି କହିଛନ୍ତି । ପୀଡ଼ିତ ଜଣକ ପୋଲିସ କର୍ମଚାରୀଙ୍କର କଲର ଧରିବାରୁ ପୋଲିସ ମାଡ଼ ମାରିଥିବା ଯୁକ୍ତି ବାଢ଼ିଛନ୍ତି ।

Other Stories