ଜଙ୍ଗଲୀ ଭାଲୁଙ୍କ ମୁହଁରେ ଲାଗିଛି ଆଇସକ୍ରିମର ସ୍ୱାଦ

୫୦ରୁ ୬୦ ହଜାର ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ କଲେ ବିକ୍ରେତା

କାଙ୍କେର : ଭାଲୁ ଖାଉଛି ଆଇସକ୍ରିମ । ଟାଇଁ ଟାଇଁ ଖରାରେ ଲୋକଙ୍କ ତଣ୍ଟି ଶୁଖି ଯାଉଥିବା ବେଳେ ଜଙ୍ଗଲୀ ଭାଲୁକୁ ଆଇସକ୍ରିମ ଖିଆ ନିଶା ଲାଗିଛି । ଛତିଶଗଡ଼ର କାଙ୍କେର ସହରରେ ଶିତଲାପାରା ଅଞ୍ଚଳରେ କିଛିଦିନ ହେବ ଜଙ୍ଗଲୀ ଭାଲୁ ଆଇସକ୍ରିମ ଲୋଭରେ ଜନବସତି ଆଡ଼କୁ ପଳାଇ ଆସୁଥିବା ଦେଖିବାକୁ ମିଳୁଛି । ଠେଲାରେ ଥିବା ସମସ୍ତ ଆଇସକ୍ରିମ ଖାଇଯାଉଥିବାରୁ ଆଇସକ୍ରିମ ଦୋକାନୀ ବିରକ୍ତ ହେଉଛନ୍ତି । ଭାଲୁମାନେ ଏପର୍ଯ୍ୟନ୍ତ ପାଖାପାଖି ପଚାଶ ହଜାର ମୂଲ୍ୟର ଆଇସକ୍ରିମ ଖାଇଯାଇଥିଲା ଅଭିଯୋଗ କରିଛନ୍ତି ଆଇସକ୍ରିମ ବିକ୍ରେତା । ରାତି ସମୟରେ ଜଙ୍ଗଲୀ ଭାଲୁ ସହର ମଧ୍ୟକୁ ଆସି ଠେଲାରୁ ଆଇସକ୍ରିମ୍‌ ଖାଇ ଦେଉଥିବା ଜଣାପଡ଼ିଛି ।

ଶିତାଲାପାର ପୋଖରୀ ନିକଟରେ ରହୁଥିବା ଅଙ୍କିତ କୁମାୱତ ତାଙ୍କ ଭାଇଙ୍କ ସହ ଆଇସକ୍ରିମ ବ୍ୟବସାୟ କରନ୍ତି। ସହରର ୨ଟି  ସ୍ଥାନରେ ସେ ଏବଂ ତାଙ୍କ ଭାଇ ଠେଲା ଗାଡ଼ିରେ ଆଇସକ୍ରିମ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରନ୍ତି । ଏବେ ଖରା ବଢ଼ୁଥିବା ବେଳେ ବେପାର ମଧ୍ୟ ଜମୁଛି । ବିକ୍ରିବଟା ସାରି ସନ୍ଧ୍ୟାରେ ଘରକୁ ଫେରିବା ପରେ ଠେଲାକୁ ଘର ସାମ୍ନାରେ ଠିଆ କରିଦିଅନ୍ତି, ଏବଂ ବଳକା ଆଇସକ୍ରିମ ଠେଲାରେ ହିଁ ରଖିଦିଅନ୍ତ । ତେବେ ଲଗାତର ୩ରୁ ୪ ମାସ ହେବ ରାତିରେ ସମସ୍ତେ ଶୋଇଯିବା ପରେ  ତିନିରୁ ଚାରିଟି ଭାଲୁ ଆସି ଠେଲାରେ ଥିବା ଆଇସକ୍ରିମ ଖାଇଯାଉଛନ୍ତି ।

ଭାଲୁ ଦାଉରୁ ଆଇସକ୍ରିମକୁ ରକ୍ଷା କରିବାକୁ ଅନକ ଉପାୟ କଲେଣି, ହେଲେ କିଛି ସୁଫଳ ମିଳୁନି । ତିନୋଟିରୁ ଚାରୋଟି ଭାଲୁ ଆସୁଥିବାରୁ ପାଖ ମାଡ଼ିବାକୁ ଲୋକେ ଭୟ କରୁଛନ୍ତି । ଯେଉଁ ଦିନ ଅଧିକ ଆଇସକ୍ରିମ ବଳକା ରହିଯାଉଛି, ସେଦିନ ରାତି ସାରା ଅନିଦ୍ରା ରହି ଆଇସକ୍ରିମ ଜଗିବାକୁ ପଡ଼ୁଛି ବୋଲି କହିଛନ୍ତି ଅଙ୍କିତ  । ଏଇକିଛି ମାସ ମଧ୍ୟରେ ଭାଲୁ ତାଙ୍କର ୫୦ରୁ ୬୦ ହଜାର ଟଙ୍କାର ଆଇସକ୍ରିମ ଖାଇ ସାରିଥିବା ସେ ଅଭିଯୋଗ କରିଛନ୍ତି । ଭାଲୁକୁ ଘଉଡାଇବାକୁ ସେ ବିଭିନ୍ନ ପ୍ରୟାସ କରିବା ପରେ ମଧ୍ୟ କିଛି ଲାଭ ହେଉନି । ଆଇସକ୍ରିମ ଠେଲା ଚାରିପାଖେ ଆଲୁମିନିୟମ ବାଡ ଦେଇଥିଲେ ମଧ୍ୟ ଭାଲୁ ବାଡ଼ ଭାଙ୍ଗି ଠେଲାରୁ ଆଇସକ୍ରିମ ଖାଇ  ଯାଉଛନ୍ତି । କେବଳ ଅଙ୍କିତ ନୁହେଁ ଅଙ୍କିତଙ୍କ ଘରପାଖରେ ରହୁଥିବା ତାଙ୍କର ସାଥୀ ଆଇସକ୍ରିମ ବ୍ୟବସାୟୀ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଫଳରେ ଏପରି ବିପଦରୁ ରକ୍ଷା କରିବାକୁ ମିଳିତ ଭାବେ ବନ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି ।

You might also like