ଗଙ୍ଗାରେ ଗାଧୋଇଲେ କରୋନା ସଂକ୍ରମଣ ଆଶଙ୍କା, ୧୫ ଦିନ ପାଇଁ ବୁଡ଼ ନପକାଇବାକୁ ଅପିଲ୍

ବାରାଣାସୀ : ଗଙ୍ଗା ସ୍ନାନ ଜରିଆରେ କରୋନା ସଂକ୍ରମଣର ଆଶଙ୍କା ରହିଛି । ପବିତ୍ର ଗଙ୍ଗା ନଦୀ ନିକଟସ୍ଥ ବିଭିନ୍ନ ଅଞ୍ଚଳରେ ଅଦୃଶ୍ୟ ଭାଇରସ୍ ବିକଟାଳ ରୂପ ନେଇ‍ପାରେ ବୋଲି ଚେତାବନୀ ଦେଇଛନ୍ତି ବୈଜ୍ଞାନିକ । ତେବେ ଏହାକୁ ଦୃଷ୍ଟିରେ ରଖି ଆଗାମୀ ୧୫ ଦିନ ପାଇଁ ଗଙ୍ଗା ସ୍ନାନରୁ ଦୂରେଇ ରହିବାକୁ ଅପିଲ କରିଛନ୍ତି ଗଙ୍ଗା ନଦୀ ବିକାଶ ଏବଂ ଜଳ ଉତ୍ସ ପରିଚାଳନା ଅନୁସନ୍ଧାନ କେନ୍ଦ୍ରର ଅଧ୍ୟକ୍ଷ ତଥା ନଦୀ ବିଜ୍ଞାନୀ ପ୍ରଫେସର ଡ। ବିଡି ତ୍ରିପାଠୀ ।

ଗଙ୍ଗାର ବେସିନ ଅଞ୍ଚଳରେ ଆଲର୍ଟ ଜାରି କରିବାକୁ ନମାମୀ ଗଙ୍ଗେର ଅଧିକାରୀମାନଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ଡ। ବିଡି ତ୍ରିପାଠୀ । ବର୍ତ୍ତମାନ ସାରା ବିଶ୍ୱରେ କରୋନାର ଔଷଧ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇନାହିଁ । ଦ୍ୱିତୀୟ ଲହରୀର ଭୟାବହତା ଏବେ ଠାରୁ ଦେଖାଗଲାଣି । କରୋନା ଜାଲରେ ଛଟପଟ ହୋଇ ଜୀବନ ହାରୁଛନ୍ତି ଲୋକେ । ଅନ୍ୟପଟେ ଏ‍ବେ ସୁଦ୍ଧା ଗଙ୍ଗା ଜଳ ଦ୍ୱାରା କରୋନା ଭାଇରସ୍ ବିଲୋପ ହେବାର ‌ଅଧ୍ୟୟନ ରିପୋର୍ଟ ବି ସମ୍ପୂର୍ଣ୍ଣ ହୋଇନାହିଁ।

ଏଭଳି ପରିସ୍ଥିତିରେ ଲୋକମାନେ ଗଙ୍ଗା ଜଳ ସ୍ନାନ ଏବଂ ଗଙ୍ଗା ଉପକୂଳଠାରୁ ଦୂରେଇ ରହିବା ଉଚିତ୍ । ଶୁଷ୍କ ସ୍ରୋତ ତୁଳନାରେ ଭାଇରସ୍ ଜଳରେ ଶୀଘ୍ର ବ୍ୟାପିଥାଏ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ଗଙ୍ଗା ଜଳର ପ୍ରବାହିତ ହୋଇ ଭାଇରସ ଅଧିକ ଲୋକଙ୍କୁ ସଂକ୍ରମିତ କରିପାରେ ବୋଲି ଆଶଙ୍କା କରି ଏପରି କହିଛନ୍ତି ନଦୀ ବିଜ୍ଞାନୀ ।

ସେପଟେ ହରିଦ୍ୱାର କୁମ୍ଭମେଳାରେ ସ୍ନାନ କରିବା ପରେ ଆଖଡ଼ା ସହି ଜଡିତ ପ୍ରାୟ ୪୦ ସାଧୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣରେ ମହାମଣ୍ଡଳେଶ୍ୱର କପିଲ ଦେବ ଦାସଙ୍କର ମୃତ୍ୟୁ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ଟେଷ୍ଟ କରାଯାଉଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱତନ୍ତ୍ର ସ୍ଥାନରେ ରଖାଯିବା ସହ ଏମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି।

ସେପଟେ ଦେଶରେ କରୋନା ଭୟଙ୍କର ରୂପ ନେଉଛି। ଦିନକୁ ଦିନ ବଢୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ପ୍ରତିଦିନ କରୋନା ନୂଆ ରେକର୍ଡ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଜନିତ ମୃତ୍ୟୁ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ରିପୋର୍ଟରୁ  ଜଣାଯାଇଛି, ଦିନକରେ ଦେଶରେ ୧୩୪୧ ଲୋକଙ୍କର ମୃତ୍ୟୁ ଘଟିଛି। ସେହପରି ୨୪ ଘଣ୍ଟାରେ ୨, ୩୪, ୬୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ରେ ପହଞ୍ଚିଛି।

 

You might also like