ଗୋଟିଏ ବେଦୀରେ ଦୁଇ ପ୍ରେମିକାଙ୍କ ହାତ ଧରିଲେ ଚନ୍ଦୁ

ରାଇପୁର: ବାହା ବେଦୀ ଗୋଟିଏ, ବର ବି ଜଣେ ହେଲେ କନିଆ ଦୁଇ। ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ପ୍ରତିଶ୍ରୁତି ଦେଇ ଏକା ସମୟରେ ଦୁଇ ପ୍ରେମିକାକୁ ବଧୂ ରୂପେ ଗ୍ରହଣ କରିଛନ୍ତି ଜଣେ ଯୁବକ। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଛତିଶଗଡ଼ର ବସ୍ତରରେ ଏଭଳି କିଛି ଘଟଣା ଘଟିଛି।

ଜାନୁଆରୀ ୫ରେ ଚନ୍ଦୁ ମୌର୍ଯ୍ୟ ନାମକ ଏହି ଯୁବ କୃଷକ ନିଜର ଦୁଇ ପ୍ରେମିକା ସୁନ୍ଦରୀ ଏବଂ ହସିନାଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ଗାଁ ଲୋକଙ୍କୁ ବିବାହ ଭୋଜି ଦେବା ସହ ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ଚନ୍ଦୁ। ବିବାହ ଭୋଜିରେ ପ୍ରାୟ ୬ଶହରୁ ଅଧିକ ବ୍ୟକ୍ତି ସାମିଲ ହୋଇଥିବା ବେଳେ ଏକ ହସ ଖୁସିରେ ଜୀବନ ବିତାଇବା ପାଇଁ ଜଣେ ଆରଜଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ଅନୁସାରେ, ମାଓ ପ୍ରଭାବିତ ବସ୍ତର ଜିଲ୍ଲାର ଏକ ଅଧ୍ୟୁଷିତ ଗାଁରେ ବସବାସ କରୁଥିବା ଚନ୍ଦୁ ୩ ବର୍ଷ ତଳେ ୨୧ ବର୍ଷୀୟ ଯୁବତୀ ସୁନ୍ଦରୀ କାଶ୍ୟପଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଫୋନ୍‌କଲ୍‌ରୁ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏହାପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ।

ହେଲେ ବିଧିର ବିଧାନ ହୁଏତ କିଛି ଅଲଗା ଥିଲା, ବର୍ଷକ ପରେ ପୁଣି ଚନ୍ଦୁ ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଜଣେ ସମ୍ପର୍କୀୟଙ୍କ ବିବାହରେ ୨୦ ବର୍ଷୀୟ ହସିନା ନାମକ ଏହି ଯୁବତୀଙ୍କ ସହ ଚନ୍ଦୁଙ୍କ ସାକ୍ଷାତ ହୋଇଥିଲା। ଆଉ ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା କଥା ଚନ୍ଦୁ ହସିନାଙ୍କୁ ମଧ୍ୟ କହିଥିଲେ। ହେଲେ ସେ ଫୋନ୍‌ରେ ଚନ୍ଦୁଙ୍କ ସହ ଯୋଗାଯୋଗରେ ରହୁଥିଲେ।

ଚନ୍ଦୁ କହିଛନ୍ତି, ‘ଉଭୟ(ସୁନ୍ଦରୀ ଓ ହସିନା) ଏକାଠି ମୋ ସହ ରହିବା ପାଇଁ ରାଜି ହୋଇଥିଲେ। ଏହାପରେ ଆମ୍ଭେମାନେ ଫୋନ୍‌ରେ ପରସ୍ପର ସହ ଯୋଗାଯୋଗରେ ରହୁଥିଲୁ। ମୋ ସହ ରହିବା ପାଇଁ ଦିନେ ହସିନା ମୋ ଘରେ ଆସି ପହଞ୍ଚିଥିଲା। ଏହା ଜାଣି ପାରି ସୁନ୍ଦରୀ ମଧ୍ୟ ଆସି ପହଞ୍ଚି ଯାଇଥିଲା। ସେବେଠାରୁ ଆମ୍ଭେ ୩ଜଣ ପରିବାର ଭଳି ଏକାଠି ରହୁଛୁ।’

ଏକାଠି ୨ଜଣ ମହିଳାଙ୍କ ସହ ରହୁଥିବା ଘଟଣାକୁ ନେଇ ଗାଁଲୋକେ ପ୍ରଶ୍ନ ଉଠାଇବା ପରେ, ଉଭୟଙ୍କୁ ବିବାହ କରିବା ପାଇଁ ଚନ୍ଦୁ ନିଷ୍ପତ୍ତି ନେଇଥିଲେ। ଚନ୍ଦୁ କହିଛନ୍ତି, ’ଉଭୟ ମୋତେ ବହୁତ ଭଲ ପାଆନ୍ତି। ତେଣୁ ମୁଁ ସେମାନଙ୍କ ସହ କୌଣସି ବିଶ୍ୱାସଘାତକତା କରିବାକୁ ଚାହୁଁ ନଥିଲି। ସେମାନେ ମଧ୍ୟ ଏକାଠି ମୋ ସହ ରହିବା ପାଇଁ ରାଜି ହୋଇଥିଲେ।’

ବିବାହରେ ହସିନାଙ୍କ ପରିବାର ସଦସ୍ୟ ସାମିଲ ହୋଇଥିଲେ ମଧ୍ୟ ସୁନ୍ଦରୀଙ୍କ ପରିବାର ଲୋକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ। ବିବାହ ପରେ ଏକାଠି ରହିବା ସହ ଖୁସିରେ ଚାଷ କାମ କରୁଥିବା ସୂଚନା ମିଳିଛି।

You might also like