ଆପଣଙ୍କ ଜରୁରୀ କାମ ସାରି ଦିଅନ୍ତୁ: ୪ ଦିନ ବନ୍ଦ ରହିପାରେ ବ୍ୟାଙ୍କ

ନୂଆଦିଲ୍ଲୀ: ଆପଣଙ୍କ ପାଇଁ ଏହା ନିଶ୍ଚୟ ଏକ ଜରୁରୀ ଖବର ହୋଇପାରେ। ଚଳିତ ମାସରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତା’ହେଲେ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ସମୟ ଆଗରୁ ଯଦି ଏହା ନ କରନ୍ତି ହୁଏତ ଆପଣ ଅସୁବିଧାରେ ପଡିପାରନ୍ତି। ସେପ୍ଟେମ୍ବର ୨୬ରୁ ସେପ୍ଟେମ୍ବର ୨୯ ଯାଏ  ବ୍ୟାଙ୍କ ବନ୍ଦ ରହିପାରେ।

ପବ୍ଲିକ୍‌ ସେକ୍ଟର ବ୍ୟାଙ୍କର ୪ଟି ଅଫିସର୍ସ ୟୁନିୟନ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ବ୍ୟାଙ୍କ ଧର୍ମଘଟ ନେଇ ଚେତାବନୀ ଦିଆଯାଇଛି। ସରକାରଙ୍କ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଫିସର୍ସ ୟୁନିୟନ ସାରା ଦେଶରେ ଏହି ଧର୍ମଘଟ ଡାକରା ଦେଇଛି। ଯଦି ଏହି ଦୁଇ ଦିନ ଧର୍ମଘଟ  ହୁଏ ତେବେ ବ୍ୟାଙ୍କ ବନ୍ଦ ରହିପାରେ। ଫଳରେ ବ୍ୟାଙ୍କ ସେବା ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି।

ସେହିପରି ସେପ୍ଟେମ୍ବର ୨୮ ଚତୁର୍ଥ ଶନିବାର ପଡ଼ୁଛି ଓ ୨୯ ତାରିଖ ରବିବାର। ଫଳରେ ଏହି ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ୨  ଗାନ୍ଧୀ ଜୟନ୍ତୀ ପଡ଼ୁଥିବାରୁ ସେହିଦିନ ବି ବ୍ୟାଙ୍କ ବନ୍ଦ ରହିବ। ତେବେ ଏହିସବୁ ଦିନ ବ୍ୟାଙ୍କ ବନ୍ଦ ରହିବାର ସମ୍ଭାବନା ଥିବାରୁ ଏଟିଏମ୍‌ରେ ମଧ୍ୟ ପଇସା ଉଠାଣକୁ ନେଇ ସମସ୍ୟା ଦେଖାଦେଇପାରେ। ଏହା ଭିତରେ ଯଦି ଆପଣଙ୍କର କିଛି ଜରୁରୀ କାମ ଅଛି ତେବେ ଏହାକୁ ଶେଷ କରି ଦିଅନ୍ତୁ। ନ ହେଲେ ହୁଏତ ଆପଣଙ୍କୁ କିଛିଦିନ ଅପେକ୍ଷା କରିବାକୁ ପଡିବ।

You might also like