ପିପିଇ କିଟ୍ ପିନ୍ଧି ନଦୀରେ ଶବ ଫୋପାଡ଼ୁଛନ୍ତି ଲୋକେ, ଭିଡିଓ ଭାଇରାଲ୍‌

ବଳରାମପୁର : କରୋନା ସଂକ୍ରମଣ ରୋକିବା ପାଇଁ କେତେ ସଚେତନ ଆମ ଦେଶବାସୀ ? ପିପିଇ କିଟ୍ ପିନ୍ଧି ନଦୀରେ ଶବ ଫୋପାଡ଼ୁଛନ୍ତି ଲୋକେ । କରୋନାର ଦ୍ୱିତୀୟ ଲହରୀରେ ଏପରି ଅନେକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ମାନବିକତା ଉପରେ ପ୍ରଶ୍ନ ଉଠାଇଛି । ଦେଶରେ ସଂକ୍ରମଣ ଥମି ନଥିବା ବେଳେ ଅନେକ ସ୍ଥାନରେ ନଦୀରେ ଶବ ଫିଙ୍ଗୁଥିବା ଦେଖିବାକୁ ମିଳୁଛି । ଆର୍ଥିକ ଅନଟନ କାରଣରୁ ଅନ୍ତିମ ସଂସ୍କାର କରିବାକୁ ଅକ୍ଷମ ପରିବାର ଲୋକ ନଦୀରେ ଶବ ପ୍ରବାହିତ କରୁଥିବା ସୂଚନା ମିଳିଥିଲା । ଏହି ମୁଦ୍ଦାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏପରି ଘଟଣା ପରେ ବିଭିନ୍ନ ନଦୀ କୂଳରେ ସରକାରଙ୍କ ପକ୍ଷରୁ ପୋଲିସ୍ ମୁତୟନ କରାଯାଇଥିଲା । କଡ଼ା କଟକଣା ମଧ୍ୟରେ ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଲାର ଏକ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରରି ବୁଲୁଛି । ଏହି ଭିଡିଓରେ ଦୁଇ ଜଣ ଯୁବକ ସଂକ୍ରମିତଙ୍କ ଶବକୁ ବ୍ରିଜରୁ ରାପ୍ତି ନଦୀକୁ ଫୋପାଡ଼ୁଥିବା ଦେଖିବାକୁ ମଳୁଛି । ମୃତଦେହ ଫିଙ୍ଗିଥିବା ଦୁଇଜଣ ଯୁବକଙ୍କ ମଧ୍ୟରୁ ଜଣେ ପିପିଏ କିଟ୍ ପିନ୍ଧିଥିବା ସ୍ପଷ୍ଟ ଜଣାପଡ଼ୁଛି ।

ବଳରାମପୁର ଜିଲ୍ଲା କୋତୱାଲି ଟାଉନ୍ ଅଞ୍ଚଳର ରାପ୍ତି ନଦୀ ଉପରେ ନିର୍ମିତ ସିସଇ ବ୍ରିଜ୍ ନିକଟରେ ଏପରି ଘଟଣା ଘଟିଥିବା କୁହାଯାଉଛି । ଭାଇରାଲ ଭିଡିଓ ପ୍ରସଙ୍ଗରେ ସିଏମଓ ଡକ୍ଟର ବିଜୟ ବାହାଦୂର ସିଂ କହିଛନ୍ତି,ନଦୀରେ ଫିଙ୍ଗାଯାଇଥିବା ମୃତଦେହ ସିଦ୍ଧାର୍ଥନଗର ଜିଲ୍ଲାର ଶୋହରତଗଡରେ ରହୁଥିବା ପ୍ରେମନାଥ ମିଶ୍ରଙ୍କର ଅଟେ। ମେ ୨୫ରେ କରୋନା ସଂକ୍ରମିତ ହେବାପରେ ତାଙ୍କୁ ୟୁନାଇଟେଡ୍ ଜିଲ୍ଲା ହସ୍ପିଟାଲର ଏଲ ଟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ମେ ୨୮ ଚିକିତ୍ସାଧୀନ ଅବସ୍ଥାରେ ପ୍ରେମନାଥ ମିଶ୍ରଙ୍କର ମୃତ୍ୟୁ ହୋଇଥିଲା। ସଂକ୍ରମିତଙ୍କ ମୃତଦେହ କୋଭିଡ ପ୍ରୋଟୋକଲ ଅନୁଯାୟୀ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଭାଇରାଲ ଭିଡିଓରେ ମୃତଦେହକୁ ରାପ୍ତି ନଦୀରେ ଫୋପାଡି ଦିଆଯାଉ ଥିବା ଦେଖିବାକୁ ମିଳୁଛି । ଏ ସମ୍ପର୍କରେ କୋତୱାଲି ନାଗର ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ମାମଲାର ତଦନ୍ତ ଚାଲିଛି ।

ଶବକୁ ନଦୀର ଫୋପାଡ଼ୁଥିବା ବେଳେ ସେହି ବ୍ରିଜ ଦେଇ ଯାଉଥିବା କିଛି ଲୋକ ଏହି ଦୃଶ୍ୟ ଦେଖି ଭିଡିଓ ଉତ୍ତୋଳନ କରିଥିଲେ । ପରେ ଭିଡିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ମୃତଦେହ ଫିଙ୍ଗିଥିବା ଦୁଇ ଯୁବକଙ୍କୁ ଚିହ୍ନଟ କରାଯାଉଛି। ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ପିପିଏ କିଟ୍ ପିନ୍ଧିଛନ୍ତି ଏବଂ ଅନ୍ୟ ଜଣଖ ସାଧାରଣ ବେଶ ପୋଷାକରେ ଅଛନ୍ତି । ପିପିଏ କିଟ୍ ପିନ୍ଧିଥିବା ଯୁବକ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ନା ଅନ୍ୟ କେହି ତାହା ମଧ୍ୟ ଖୋଳତାଡ଼ ହେଉଛି ।

ସୂଚନାଯୋଗ୍ୟ ରାଜ୍ୟରେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବଦାହ ପାଇଁ ସରକାର ୫୦୦୦ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ବ୍ରିଜରୁ ମୃତଦେହକୁ ନଦୀରେ ଫିଙ୍ଗିବା ଏକ ଗୁରୁତର ଅପରାଧିକ । ଦେଶରେ କରୋନାର ଲହରୀର ଦ୍ୱିତୀୟ ଲହରୀର ଭୟାବହତା ସମ୍ପର୍କରେ ସମସ୍ତେ ଅଳ୍ପବହୁତ ଅବଗତ ଥିଲେ ସୁଦ୍ଧା ସଚେତନ ହେଉନାହାନ୍ତି ।

You might also like