ପାକିସ୍ତାନ ଆକ୍ରୋଶର ଗୁମର ଖୋଲିଲେ ବେଲୁଚିସ୍ତାନବାସୀ

ଜେନେଭା: ଭାରତ ବିରୋଧରେ ବିଶ୍ୱକୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନକୁ ପୁଣିଥରେ ଲୋକହସା ହେବାକୁ ପଡ଼ିଛି। ପାକିସ୍ତାନ ପିଓକେ ଏବଂ ବେଲୁଚିସ୍ତାନରେ କେଉଁଭଳି ଭାବେ ସେନା ଦ୍ୱାରା ଲୋକଙ୍କୁ ନିର୍ଯାତନା ଦେଉଛି, ତା’ର ପର୍ଦ୍ଦାଫାସ ହୋଇଛି।

ଖୋଦ୍‌ ବେଲୁଚିସ୍ତାନବାସୀ ଜେନିଭା ଠାରେ ଆୟୋଜିତ ଜାତିସଂଘ ମାନିବାଧିକାର ପରିଷଦ ବାହାରେ ପାକିସ୍ତାନ ବିରୋଧରେ ବିକ୍ଷୋଭ କରିଛନ୍ତି। ପାକିସ୍ତାନ ସେନା, ଆଇଏସ୍‌ଆଇ ଓ ଆତଙ୍କବାଦୀମାନେ ବେଲୁଚିସ୍ତାନବାସୀଙ୍କୁ କେମିତି ନିର୍ଯାତନା ଦେଉଛନ୍ତି, ସେକଥାକୁ ବିଭିନ୍ନ ପୋଷ୍ଟର ଏବଂ ବ୍ୟାନର ଲଗାଇ ସମଗ୍ର ବିଶ୍ୱକୁ ଦେଖାଇଛନ୍ତି।

ପାକିସ୍ତାନ ସରକାର ବେଲୁଚିସ୍ତାନରେ ମାନବାଧିକାର ଉଲ୍ଲଙ୍ଘନ କରୁଥିବାରୁ ଏଠାକାର ଅଧିବାସୀ ସ୍ୱାଧୀନତା ପାଇଁ ମଧ୍ୟ ଦାବି କରିଛନ୍ତି। ପାକିସ୍ତାନ ବିରୋଧରେ ଜାତିସଂଘ ମାନିବାଧିକାର ପରିଷଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବେଲୁଚିସ୍ତାନବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବିକ୍ଷୋଭକାରୀମାନେ ନିବେଦନ କରିଛନ୍ତି।

ମାର୍ଚ୍ଚ ମାସରେ ବେଲୁଚିସ୍ତାନର ଜଣେ ସାମାଜିକ କର୍ମୀ ମଧ୍ୟ ପାକିସ୍ତାନ ସେନାର ଅତ୍ୟାଚାର ସମ୍ପର୍କରେ ମୁହଁ ଖୋଲିଥିଲେ। ୪୦ତମ ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ପାକିସ୍ତାନ ସେନାର ଅତ୍ୟାଚାର କଥା ଉଠିଥିଲା। ବେଲୁଚିବାସୀ କେବଳ ଜେନେଭା ନୁହେଁ ଜର୍ମାନୀ, ବ୍ରିଟେନ ଓ ଆମେରିକା ଭଳି ରାଷ୍ଟ୍ରରେ ମଧ୍ୟ ପାକିସ୍ତାନ ଠାରୁ ସ୍ୱାଧୀନତା ପାଇବାକୁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିବାର ନଜିର ରହିଛି। କେବଳ ବେଲୁଚିସ୍ତାନ ନୁହେଁ ଖାଇବର ପାଖତୁନଖ୍ୱାରେ ମଧ୍ୟ ପାକିସ୍ତାନ ସେନା ଲୋକଙ୍କ ମାନବାଧିକାରକୁ କ୍ଷୁଣ୍ଣ କରୁଥିବା ଅଭିଯୋଗ ହୋଇଛି।

ଗୋଟିଏ ପଟେ ପାକିସ୍ତାନ ଜାତିସଂଘରେ ଭାରତ କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ କରୁଛି ବୋଲି ପ୍ରଚାର କରି ବଦନାମ କରିବାକୁ ଚେଷ୍ଟା କରୁଥିବା ବେଳେ ବାଲୋଚିବାସୀଙ୍କ ଇସ୍‌ଲାମାବାଦ ବିରୋଧରେ ରଣହୁଙ୍କାର ଇମ୍ରାନ ଖାନ୍‌ ସରକାରଙ୍କୁ ଅଡ଼ୁଆରେ ପକାଇଛି।

ଆହୁରି ପଢ଼ନ୍ତୁ

You might also like